Home General ଧିମେଇ ଗଲାଣି ଚଢଉ

ଧିମେଇ ଗଲାଣି ଚଢଉ

ଭୁବନେଶ୍ୱର : ରାଜଧାନୀରେ ୟୁରିଆ ସାର ମିଶା ନକଲି ଟମାଟୋ ସସ୍‍ ଧରାପଡି ହଇଚଇ ହୋଇଥିବାବେଳେ ଏହାପରେ କିନ୍ତୁ ଆଉ ସେଭଳି ଆଖିଦୃଶିଆ ଚଢଉ ହେଉନାହିଁ । ସହରର ଛୋଟ ବଡ ଦୋକାନୀମାନେ ଏବେ ବି ଶସ୍ତା, ରଙ୍ଗମିଶା ଓ ନିମ୍ନମାନର ଟମାଟୋ ଓ ଲଙ୍କା ସସ୍‍ ମିଶ୍ରିତ ଖାଦ୍ୟ ବିକିବାରେ ଲାଗିଛନ୍ତି ।

ରାଜଧାନୀରେ ଏବେ ମାଳ ମାଳ ଉଠା ଖାଇବା ଦେକାନୀ । ସକାଳ ସଞ୍ଜ ପର୍ଯ୍ୟନ୍ତ ପସରା ମେଲି ବିଭିନ୍ନ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି । ଏଗୁଡିକ ମଧ୍ୟରେ ମୁଖ୍ୟତଃ ଚାଟ୍‍, ଚାଉମିନ୍‍, ଗୁପ୍‍ଚୁପ୍‍, ପକୋଡା ଆଦି ରହିଛି । ଏହି ସମସ୍ତଖାଦ୍ୟ ପ୍ରସ୍ତୁତିରେ ମୁଖ୍ୟ ଉପାଦାନ ହେଉଛି ଟମାଟୋ ଓ ଲଙ୍କା ସସ୍‍ । ହେଲେ ଏହି ସସ୍‍ର ମାନ କିପରି ରହୁଛି ତାହାର ତଦାରଖ ଠିକଣା ଭାବେ ହୋଇପାରୁ ନାହିଁ । ଏଥିପାଇଁ କର୍ମଚାରୀଙ୍କର ଘୋର ଅଭାବ ବି ରହିଛି । ସମଗ୍ର ସହରରେ ଖାଦ୍ୟର ମାନ ଯାଞ୍ଚ ପାଇଁ ମାତ୍ର ସାତ ଜଣ କର୍ମଚାରୀ ରହିଛନ୍ତି ।

ତେଣୁ ଏହାର ସୁଯୋଗ ନେଇ ଅନେକ ଦୋକାନୀ ଅତ୍ୟନ୍ତ ଶସ୍ତା ସସ୍‍ ସହିତ ନିମ୍ନମାନର ରଙ୍ଗ ଆଦି ବ୍ୟବହାର କରୁଛନ୍ତି । ଏହାଛଡା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ମଧ୍ୟ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି । ସହରର ଅଧିକାଂଶ ଡ୍ରେନ ଉପରେ ଖାଦ୍ୟର ପସରା ଦେଖିବାକୁ ମିଳୁଛି ।

ସହରରେ ଏବେ ଦୁଗ୍ଧ ଠାରୁ ଆରମ୍ଭ କରି ମାଛ, ମାଂସ ଆଦି ସବୁ କିଛି ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ବିକ୍ରି ହେଉଛି । ଏହାକୁ ସମସ୍ତେ ଦେଖୁଛନ୍ତି । ଦେଢ କୋଟି ଟଙ୍କା ବ୍ୟୟରେ ନିର୍ମିତ କଂସେଇଖାନା ଦିନକୁ ପାଇଁ କାର୍ଯ୍ୟକାରୀ ହୋଇପାରିନଥିବାବେଳେ ସହର ମଝିରେ ଥିବା ମାଛ ଗୋଦାମକୁ ସ୍ଥାନାନ୍ତରପାଇଁ ବର୍ଷ ବର୍ଷ ଧରି ଯୋଜନା ଚାଲିଛି । ହେଲେ କୌଣସି ଅକୁହା କାରଣରୁ ଏହା କାର୍ଯ୍ୟକାରୀ ହୋଇପାରୁ ନାହିଁ । ଫଳରେ ରାଜଧାନୀବାସୀ ନିମ୍ନମାନର ମାଂସ ସହିତ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ କଟାଯାଉଥିବା ମାଛ ଖାଉଛନ୍ତି ।

ରାଜଧାନୀରେ ଏବେ ବିରିୟାନୀ ଅଧିକାଂଶଙ୍କର ପସନ୍ଦ ହୋଇଥିବାବେଳେ ଦିନବେଳା ରାସ୍ତାକଡରେ ବିରିୟାନୀର ପସରା ଖୋଲୁଛି । ବ୍ୟବସାୟ ପ୍ରତିଯୋଗିତାରେ ଅତି କମ୍‍ ଦାମରେ ଦୋକାନୀମାନେ ଏହାକୁ ବିକ୍ରି କରୁଛନ୍ତି । ତେଣୁ ଏଥିରେ କି ପ୍ରକାର ସାମଗ୍ରୀ ବ୍ୟବହାର ହେଉଛି ତାହାର ଯାଞ୍ଚ ଜରୁରୀ ବୋଲି ମତପ୍ରକାଶ ପାଉଛି । ବହୁ ସ୍ଥାନରେ ଅଧିକ ଲାଭ ଆଶାରେ ଦୋକାନୀମାନେ ବିରିୟାନୀରେ ନିମ୍ନମାନର ରଙ୍ଗ, ବାସ୍ନାସାମଗ୍ରୀ, ଖାଇବାତେଲ ଓ କ୍ରିମ୍‍ ଆଦି ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି ।

ଅପମିଶ୍ରିତ ଓ ନିମ୍ନମାନର ସସ୍‍, ରଙ୍ଗ ଆଦି ଖାଇବା ଦ୍ୱାରା କର୍କଟ ଭଳି ରୋଗ ସୃଷ୍ଟି ହେଉଥିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ଚେତାଇ ଦେଉଥିଲେ ମଧ୍ୟ ଏହିସବୁ ସାମଗ୍ରୀ ବିରୁଦ୍ଧରେ ଯେଭଳି ଚଢଉ ହେବାକଥା ତାହା ଦେଖିବାକୁ ମିଳୁନାହିଁ । ଗୋଟିଏ ଦୁଇଟି ଚଢଉ କରି ଗଣମାଧ୍ୟମରେ ବାହା ନେବାପରେ କର୍ତ୍ତୃପକ୍ଷ ମନ୍ଥର ଗତିରେ ଚାଲୁଥିବାର ଅଭିଯୋଗ ହେଉଛି । (ତଥ୍ୟ)