Home Environment ତଦାରଖ ପାଇଁ ରଣନୀତି ପ୍ରସ୍ତୁତ କର

ତଦାରଖ ପାଇଁ ରଣନୀତି ପ୍ରସ୍ତୁତ କର

ଭୁବନେଶ୍ୱର : ସ୍ୱଚ୍ଛ ବାୟୁ, ନିରାପଦ ପିଇବା ପାଣି ଓ ସୁସ୍ଥ ପରିବେଶରେ ବଂଚିବା ସହ ନିରନ୍ତର ବିକାଶ ଧାରାରେ ଆଗକୁ ବଢ଼ିବାରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସପିସିବି) ର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବାୟୁର ସ୍ୱଚ୍ଛତା, ଶିଳ୍ପ କାରଖାନାରୁ ନିର୍ଗତ ଧୂଆଁ, ବିଭିନ୍ନ ପ୍ରଦୂଷଣ ସୃଷ୍ଟିକାରୀ ବାଷ୍ପ, ବର୍ଜ୍ୟ ବସ୍ତୁ ସମେତ ନଦୀ, ହ୍ରଦ, ପୋଖରୀ, ଭୂତଳ ଜଳ ଓ ସମୁଦ୍ର ଇତ୍ୟାଦିର ଜଳ ଉପରେ ନଜର ରଖି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଓ ପରାମର୍ଶ ଦେଇଥାଏ ।

ବିକଶିତ ଜ୍ଞାନ କୌଶଳ ଦ୍ୱାରା ଏବେ ରିୟଲ-ଟାଇମ୍‌ ପଦ୍ଧତିରେ ଦୁର୍ଗମ ସ୍ଥାନରୁ ପରିବେଶର ଗୁଣବତ୍ତା ଉପରେ ନଜର ରଖିବା ସମ୍ଭବ ହୋଇପାରୁଛି । ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ଏହାର ନିରୀକ୍ଷଣ ତଥା ତଦାରଖ ବ୍ୟବସ୍ଥା ବୋର୍ଡର ପ୍ରମୁଖ କାର୍ଯ୍ୟ ହୋଇଥିବା ବେଳେ ଏହାକୁ ଅଧିକ ପ୍ରଭାବୀ କରିବା ପାଇଁ ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବାକୁ ଆଜି ମୁଖ୍ୟ ଶାସନ ସଚିବ ତଥା ଓଏସପିସିବିର ଅଧ୍ୟକ୍ଷ ମନୋଜ ଆହୁଜା ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି ।

ଆଜି ଅନୁଷ୍ଠିତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏହି ୧୩୧ ତମ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ମୁଖ୍ୟ ଶାସନ ସଚିବ ବୋର୍ଡର ବିଭିନ୍ନ କାର୍ଯ୍ୟ ସଂପର୍କରେ ସମୀକ୍ଷା ପୂର୍ବକ ଓଏସପିସିବିକୁ ବିଭିନ୍ନ କ୍ଷେତ୍ରରେ ରହୁଥିବା ପରିବେଶ ସମସ୍ୟାର ସମାଧାନ ପାଇଁ ବ୍ୟାପକ ରଣନୀତି ପଦ୍ଧତି ପ୍ରସ୍ତୁତି ଓ ତାହାକୁ କାର୍ଯ୍ୟକାରୀ କରିବାକୁ ଗୁରୁତ୍ୱ ଦେଇଛନ୍ତି । ବୈଠକରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଡଃ କେ. ମୁରୁଗେସନଙ୍କ ସମେତ ବୋର୍ଡର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ ।

ବୈଠକରେ ତା ୨୯.୨.୨୦୨୪ ରେ ଅନୁଷ୍ଠିତ ବୋର୍ଡର ୧୩୦ ତମ ପରିଷଦ ବୈଠକର ନିଷ୍ପତ୍ତି ଓ କାର୍ଯ୍ୟକାରିତା ସଂପର୍କରେ ଆଲୋଚନା ଏବଂ ୨୦୨୨-୨୩ ଓ ୨୦୨୩-୨୪ ର ବାର୍ଷିକ ବିବରଣୀ ବୋର୍ଡର ଅନୁମୋଦନ ପାଇଁ ଉପସ୍ଥାପିତ ହୋଇଥିଲା । ତତ୍ ସହିତ ୨୦୨୩-୨୪ ବର୍ଷ ପାଇଁ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡକୁ ପାଣ୍ଠି ଅନୁମୋଦନ ଓ ଖର୍ଚ୍ଚ ସଂପର୍କରେ ଉପସ୍ଥାପନ କରାଯାଇଥିଲା । ବୈଠକରେ ବୋର୍ଡ ଅଧୀନରେ ପରିବେଶ ନିରୀକ୍ଷଣ ଏବଂ ତଥ୍ୟ ବିଶ୍ଳେଷଣ କେନ୍ଦ୍ର ( ସେଣ୍ଟର ଫର ଏନଭିରନମେଣ୍ଟ ମନିଟରିଂ ଆଣ୍ଟ ଡାଟା ଆନାଲିସିସ୍ ) ସ୍ଥାପନ ପାଇଁ ପ୍ରସ୍ତାବ ଦିଆଯାଇଛି ।

ଏହି କେନ୍ଦ୍ର ପରିବେଶ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାରେ ତଦାରଖ ବ୍ୟବସ୍ଥା, ବିଭିନ୍ନ ପ୍ରକଳ୍ପ ଏବଂ ତଥ୍ୟ ବିଶ୍ଲେଷଣ କରି ପରିବେଶ ପରିଚାଳନା ସଂପର୍କୀୟ ନିଷ୍ପତ୍ତିକୁ ସୁବିଧା ଜନକ କରିବାରେ ସହାୟକ ହେବ ବୋଲି ସୂଚନା ଦିଆଯାଇଛି । ଏଥି ସହିତ ବୈଠକରେ ଗବେଷଣା, ବିକାଶ ଏବଂ ଉପକୂଳ ସେଲ୍ ପ୍ରକଳ୍ପରେ ପିଏଚଡି ଗବେଷଣା ବିଦ୍ୟାର୍ଥୀମାନଙ୍କୁ ନିୟୋଜିତ କରିବାକୁ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିବା ବେଳେ ବାୟୋମେଡିକାଲ ବର୍ଜ୍ୟବସ୍ତୁ ପରିଚାଳନାରେ ଅର୍ଥ ବ୍ୟବସ୍ଥା କରିବା ପ୍ରସ୍ତାବ ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା ।