ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଆଜି ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଲଘୁ ଉପଗ୍ରହ ଉତକ୍ଷେପଣ ଯାନ (ଏସ୍ଏସ୍ଏଲ୍ଭି)-ଡି3 ଜରିଆରେ ନବୀନତମ ପୃଥିବୀ ଅବଲୋକନ ଉପଗ୍ରହ ‘ଇଓଏଲ୍-୦୮’କୁ ଉତ୍କ୍ଷେପଣ କରିଛି।
ଇଓଏସ୍-୦୮ ମିଶନ୍ର ପ୍ରାଥମିକ ଉଦ୍ଦେଶ୍ୟଗୁଡ଼ିକ ମଧ୍ୟରେ ରହିଛି ଗୋଟିଏ ମାଇକ୍ରୋ ସାଟେଲାଇଟ୍ର ଡିଜାଇନ୍ ଓ ବିକାଶ, ମାଇକ୍ରୋ ସାଟେଲାଇଟ୍ ବସ୍ ସହ ସୁସଙ୍ଗତ ପେଲୋଡ୍ ଉପକରଣ ତିଆରି କରିବା ଏବଂ ଭବିଷ୍ୟତରେ କାର୍ଯ୍ୟକ୍ଷମ ଉପଗ୍ରହ ପାଇଁ ଆବଶ୍ୟକ ନୂତନ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରିବା।
ମାଇକ୍ରୋସାଟ୍/ଆଇଏମ୍ଏସ୍-୧ ବସ୍ ରେ ନିର୍ମିତ ଇଓଏସ୍-୦୮ରେ ତିନୋଟି ପେଲୋଡ୍ ରହିଛି: ଇଲେକ୍ଟ୍ରୋ ଅପ୍ଟିକାଲ୍ ଇନଫ୍ରାରେଡ୍ ପେଲୋଡ୍ (ଇଓଆଇଆର), ଗ୍ଲୋବାଲ୍ ନେଭିଗେସନ୍ ସାଟେଲାଇଟ୍ ସିଷ୍ଟମ୍-ରିଫ୍ଲେକ୍ଟୋମେଟ୍ରି ପେଲୋଡ୍ (ଜିଏନ୍ଏସ୍ଏସ୍-ଆର୍) ଏବଂ ଏସ୍ଆଇସି ୟୁଭି ଡୋସିମିଟର। ଉପଗ୍ରହ ଭିତ୍ତିକ ନିରୀକ୍ଷଣ, ବିପର୍ଯ୍ୟୟ ନିରୀକ୍ଷଣ, ପରିବେଶ ନିରୀକ୍ଷଣ, ଅଗ୍ନିକାଣ୍ଡ ଚିହ୍ନଟ, ଆଗ୍ନେୟଗିରି ଗତିବିଧି ପର୍ଯ୍ୟବେକ୍ଷଣ ଏବଂ ଶିଳ୍ପ ଓ ଶକ୍ତି ପ୍ଲାଣ୍ଟ୍ ବିପର୍ଯ୍ୟୟ ନିରୀକ୍ଷଣ ଭଳି ପ୍ରୟୋଗ ପାଇଁ ଉଭୟ ଦିନ ଏବଂ ରାତିରେ ମିଡ୍-ୱେଭ୍ ଆଇଆର (ଏମଆଇଆର) ଏବଂ ଲଙ୍ଗ-ୱେଭ୍ ଆଇଆର (ଏଲଡବ୍ଲୁଆଇଆର) ବ୍ୟାଣ୍ଡରେ ଫଟୋ ଉଠାଇବା ପାଇଁ ଇଓଆଇଆର ପେଲୋଡକୁ ଡିଜାଇନ୍ କରାଯାଇଛି।
ଜିଏନଏସଏସ-ଆର ପେଲୋଡ୍ ସମୁଦ୍ର ପୃଷ୍ଠର ପବନ ବିଶ୍ଳେଷଣ, ମୃତ୍ତିକା ଆର୍ଦ୍ରତା ଆକଳନ, ହିମାଳୟ ଅଞ୍ଚଳରେ କ୍ରାୟୋସ୍ଫିୟର ଅଧ୍ୟୟନ, ବନ୍ୟା ଚିହ୍ନଟ ଏବଂ ଆଭ୍ୟନ୍ତରୀଣ ଜଳଭଣ୍ଡାର ଚିହ୍ନଟ ଭଳି ପ୍ରୟୋଗ ପାଇଁ ଜିଏନଏସଏସ-ଆର-ଆଧାରିତ ରିମୋଟ୍ ସେନ୍ସିଂ ବ୍ୟବହାର କରିବାର କ୍ଷମତା ପ୍ରଦର୍ଶନ କରିଥାଏ। ଅନ୍ୟପକ୍ଷରେ ଏସଆଇସି ୟୁଭି ଡୋସିମିଟର ଗଗନଯାନ ମିଶନରେ କ୍ରୁ ମଡ୍ୟୁଲର ଭ୍ୟୁପୋର୍ଟରେ ୟୁଭି ବିକିରଣ ଉପରେ ନଜର ରଖିଥାଏ ଏବଂ ଗାମା ବିକିରଣ ପାଇଁ ଏକ ହାଇ ଡୋଜ୍ ଆଲାର୍ମ ସେନ୍ସର ଭାବରେ କାର୍ଯ୍ୟ କରିଥାଏ ।