ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ମନ୍ତ୍ରୀ, ଆଇନ, ପୂର୍ତ୍ତ, ଅବକାରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଜାତୀୟ ରାଜପଥ ପ୍ରାଧିକରଣ ଏବଂ ଜାତୀୟ ରାଜପଥ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଗୁଡ଼ିକ ଉପରେ ନୂଆଦିଲ୍ଲୀର ଭାରତମଣ୍ଡପମରେ ଥିବା ବୈଠକରେ ଯୋଗ ଦେଇଥିଲେ ।
ଏହି ବୈଠକରେ ମାନ୍ୟବର କେନ୍ଦ୍ର ମନ୍ତ୍ରୀ, ସଡକ ପରିବହନ ଏବଂ ରାଜପଥ ଶ୍ରୀଯୁକ୍ତ ନିତିନ ଗଡକରୀ ଜୀ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ଓଡିଶାର ମୁଖ୍ୟ ଶାସନ ସଚିବ; ଏସିଏସ୍, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ ଯୋଗ ଦେଇଥିଲେ |
ବୈଠକରେ ଓଡ଼ିଶା ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଚାଲିଥିବା ପ୍ରକଳ୍ପଗୁଡିକ ତ୍ୱରାନ୍ୱିତ କରାଯିବ ବୋଲି ସହମତି ପ୍ରକାଶ ପାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଆଶ୍ୱାସନା ଦେଇଛନ୍ତି ଯେ ରାସ୍ତା ନିର୍ମାଣ ଓଡ଼ିଶା ସରକାରଙ୍କ ପ୍ରାଥମିକତା ହୋଇଥିବାରୁ ସମସ୍ତ ସହଯୋଗ ଯୋଗାଇ ଦିଆ ଯିବ ଏବଂ ଜମି ଅଧିଗ୍ରହଣ ଭଳି ସମସ୍ୟା ଓ ନିର୍ମାଣ ସାମଗ୍ରୀର ଉପଲବ୍ଧତା ଶୀଘ୍ର ସମାଧାନ ହେବ।
ସଡକ ପ୍ରକଳ୍ପ ମଧ୍ୟରେ ୧୮୦୦ କୋଟି ଟଙ୍କା ବ୍ୟୟରେ ୬୦ କିଲୋମିଟର ଦୈର୍ଘ୍ୟ ଭୁବନେଶ୍ୱର – ପୁରୀ ରାଜପଥକୁ ୬ଲେନ୍ କରାଯିବ । ଏଥିରେ ସର୍ଭିସ୍ ରାସ୍ତା ରହିବ । ସେହିଭଳି ପ୍ରାୟ ୧୦ହଜାର କୋଟି ଟଙ୍କା ବ୍ୟୟରେ ୨୦୦ କି.ମି ଦୈର୍ଘ୍ୟ ଚଣ୍ଡିଖୋଲ- ବଡବିଲ୍ ରାସ୍ତା କାର୍ଯ୍ୟ ହେବ ।
୧୧୦୦ କୋଟି ଟଙ୍କା ବ୍ୟୟରେ ସର୍ଭିସ୍ ରୋଡ ସହିତ ୫୭ ନମ୍ବର ଜାତୀୟ ରାଜପଥର ୫୪ କିଲୋମିଟର ଦୈର୍ଘ୍ୟ ଖୋର୍ଦ୍ଧା-ନୟାଗଡ଼ ରାଜପଥକୁ ୪ଲେନ୍ କରାଯିବ । ୨୬ ନମ୍ବର ଜାତୀୟ ରାଜପଥର କେସିଙ୍ଗା- ଜୁନାଗଡ ୪୬ କି.ମି ରାସ୍ତାକୁ ୪ଲେନ୍ କରାଯିବ ଏବଂ ଏଥିପାଇଁ ପ୍ରାୟ ୧୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ।
୧୫୦୦୦ କୋଟି ଟଙ୍କା ମୂଲ୍ୟର ସମସ୍ତ ଚାରିଟି ପ୍ରକଳ୍ପ ଉପରେ ସହମତି ହୋଇଥିଲା ଏବଂ ଏହି ପ୍ରକଳ୍ପଗୁଡିକ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଗଲା |