Home General ଜବରଦଖଲ ତାଲିକା ଦେଖି ତାଜୁବ

ଜବରଦଖଲ ତାଲିକା ଦେଖି ତାଜୁବ

ଭୁବନେଶ୍ୱର : ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ଏବେ ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଜମି ଉପରେ । ରାଜଧାନୀରେ ବୋର୍ଡର ବିଭିନ୍ନ ପ୍ରକଳ୍ପର ଜମିକୁ ଏମାନେ ମାଡି ବସିଛନ୍ତି । ଏହି ଜମିକୁ ମୁକୁଳାଇବାପାଇଁ ଗୃହ ନିର୍ମାଣ ବୋର୍ଡ ଏବେ ବିଭିନ୍ନ ସଂସ୍ଥାଙ୍କ ଶରଣ ପଶିବାରେ ଲାଗିଛି ।

ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ରାଜ୍ୟ ଗୃହ ନିର୍ମାଣ ବୋର୍ଡର କାର୍ଯ୍ୟ ସମୀକ୍ଷା କରିବା ସମୟରେ ଏଭଳି ଜବରଦଖଲ ଘଟଣା ପଦାକୁ ଆସିଛି । ବୋର୍ଡର ରଣସିଂହପୁର ଠାରୁ ଆରମ୍ଭ କରି ବିଦ୍ୟାଧରପୁର ପର୍ଯ୍ୟନ୍ତ ପ୍ରାୟ ସମସ୍ତ ପ୍ରକଳ୍ପ ଅଞ୍ଚଳରେ ମାଫିଆମାନେ ଜବରଦଖଲ କରିଛନ୍ତି ।

ପ୍ରାପ୍ତ ସୂଚନା ଅନୁଯୟୀ ଭୁବନେଶ୍ୱରର ରଣସିଂହପୁର ମୌଜାରେ ଥିବା ପ୍ରକଳ୍ପ ଅଞ୍ଚଳରେ ବୋର୍ଡର ୪.୬୫ ଏକର ଜମି ଜବରଦଖଲ ହୋଇଯାଇଛି । ଏହି ଜମିରେ ଜବରଦଖଲକାରୀମାନେ ଅସ୍ଥାୟୀ ବାସଗୃହ ଓ ଦୋକାନ ଘର ନିର୍ମାଣ କରିଛନ୍ତି । ସେହିଭଳି ଡୁମୁଡୁମା ଫେଜ୍‍-୮ ରେ ସୁଦର୍ଶନ ଏନକ୍ଲେଭ ପାଇଁ ଉଦ୍ଦିଷ୍ଟ ସଡକକୁ ଜବରଦଖଲ କରାଯାଇଛି । ଭୁବନେଶ୍ୱରର କାନନବିହାର ଠାରେ ଥିବା ଗୃହ ନିର୍ମାଣ ବୋର୍ଡର ୬ଟି ପ୍ଲଟକୁ ଜବରଦଖଲ କରି ସେଠାରେ ୨୦ଟି ଅସ୍ଥାୟୀ ଦୋକାନଘର ନିର୍ମାଣ ହୋଇଛି ।

ରାଜଧାନୀର ପାତ୍ରପଡା ଠାରେ ଗୃହ ନିର୍ମାଣ ବୋର୍ଡର ଥିବା ୧୧.୫ ଏକର ଜମି ମଧ୍ୟରୁ ୨ଏକର ଜମି ଜବରଦଖଲ ହୋଇଯାଇଛି । ଏହି ଜବରଦଖଲ ଜମିରେ ପାଚେରୀ ବୁଲିବା ସହିତ ଶୀତତାପ ନିୟନ୍ତ୍ରିତ ଘର ନିର୍ମାଣ ହୋଇଛି । ସେହିଭଳି ଭୁବନେଶ୍ୱରର ଡୁମୁଡୁମା ଠାରେ ଥିବା ଗୋଟିଏ ଏକର ଜମିର କିଛି ଅଂଶକୁ ଜବରଦଖଲ କରି ସେଠାରେ ମାର୍ବଲ ଓ ଟାଇଲ ଦୋକାନ ସହିତ ଫଳ, ଫୁଲ ଗଛର ନର୍ସରି ତିଆରି ହୋଇଛି । କଟକ ବିଦ୍ୟାଧରପୁର ଠାରେ ଥିବା ହାଉସିଂବୋର୍ଡର ୧୧ ଏକର ଜମିକୁ କିଛି ଅଂଶକୁ ଜବରଦଖଲକାରୀମାନେ ମାଡିବସି ସେଠାରେ ଅସ୍ଥାୟୀ ଘର ନିର୍ମାଣ କରିଛନ୍ତି ।

ହାଉସିଂବୋର୍ଡ ଜମିକୁ ଜବରଦଖଲ କରିବାର ସବୁ ସୀମା ଟପିଛି ରାଉରକେଲାରେ । ଏଠାରେ ବୋର୍ଡର ବାସନ୍ତିକଲୋନୀରେ ଥିବା ଜମିକୁ ଏକାଧିକ ସଂଗଠନ ମାଡି ବସିଛନ୍ତି । ଏମାନଙ୍କ ମଧ୍ୟରେ କଳିଙ୍ଗ ବୈଶ୍ୟ ସଂଘ, ବାସନ୍ତି ପାଠାଗାର, କ୍ଷେତ୍ରୀୟ ମହାସଭା, ବିହାର ସାଂସ୍କୃତିକ ପରିଷଦ, ବାସନ୍ତି ପ୍ରଗତି ସଂସଦ ଆଦି ୪ହଜାରରୁ ୧୬ ହଜାର ବର୍ଗଫୁଟ ପର୍ଯ୍ୟନ୍ତ ଜମି ମାଡି ବସିଛନ୍ତି । ଜବରଦଖଲ ହଟାଇବାପାଇଁ ଗୃହ ନିର୍ମାଣ ବୋର୍ଡର ନିଜସ୍ୱ ସାଧନ ନଥିବାରୁ ଏବେ ବିଭିନ୍ନ ସରକାରୀ ସଂସ୍ଥାଙ୍କୁ ବୋର୍ଡ ପକ୍ଷରୁ ପତ୍ର ଲେଖାଯାଇଛି ।

ତେବେ ସମୀକ୍ଷା ସମୟରେ ରାଜଧାନୀରୁ ରାଉରକେଲା ପର୍ଯ୍ୟନ୍ତ ମୂଲ୍ୟବାନ ସରକାରୀ ସମ୍ପତ୍ତିର ଏଭଳି ଜବରଦଖଲ ଦେଖି ଖୋଦ ମନ୍ତ୍ରୀ ଡାକ୍ତର ମହାପାତ୍ର ତାଜୁବ ହୋଇ ଯାଇଛନ୍ତି । ତୁରନ୍ତ ଏହି ଜବରଦଖଲ ହଟାଇ ସରକାରୀ ଜମିକୁ ନିଜ ଅକ୍ତିଆରକୁ ଆଣି ଉଦାହରଣ ସୃଷ୍ଟି କରିବାପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହିସବୁ ଜମିରେ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ କାର୍ଯ୍ୟ ହାତକୁ ନେବାକୁ କୁହାଯାଇଛି । (ତଥ୍ୟ)