Home General ଆଞ୍ଚଳିକ ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଆଞ୍ଚଳିକ ସମ୍ବାଦପତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର : ଭାରତର ବିଭିନ୍ନ ଭାଷାରେ ପ୍ରକାଶ ପାଉଥିବା ସମ୍ବାଦପତ୍ର ଆଜି ଆମ ସମାଜ ପାଇଁ ଗୌରବଶାଳୀ ଅନୁଷ୍ଠାନରେ ପରିଣତ ହୋଇଛି । ସମାଜରେ ଘଟୁଥିବା ସମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ସୂଚନା ଦେଇଥାନ୍ତି ସମ୍ବାଦପତ୍ର ବା ଗଣମାଧ୍ୟମ ।

ତତ୍କାଳ ଘଟଣା, କ୍ରୀଡ଼ା, ସୂଚନା, ଶିକ୍ଷା ଏବଂ ମନୋରଞ୍ଜନ ସମ୍ପର୍କିତ ଖବର ପ୍ରସାର କରିବା କ୍ଷେତ୍ରରେ ସମ୍ବାଦପତ୍ରଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହା ମଧ୍ୟ ସମାଜରେ ଜାଗ୍ରତ ପ୍ରହରୀର ଭୂମିକା ଗ୍ରହଣ କରିଥାଏ । ତେବେ ଏଦିଗରେ ଆଞ୍ଚଳିକ ସମ୍ବାଦପତ୍ରଗୁଡ଼ିକର ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ବୋଲି ବାଚସ୍ପତି ସୁରମା ପାଢ଼ୀ କହିଛନ୍ତି ।

‘ସମୟ’ ଓ ‘ସମୟ ଲାଇଭ୍‌’ ପକ୍ଷରୁ ସ୍ୱାଧୀନତା ଦିବସ ପୂର୍ବର ଉତ୍ସବ ପାଳନ ଅବସରରେ ବାଚସ୍ପତି ଶ୍ରୀମତୀ ପାଢୀ କହିଛନ୍ତି ଯେ ଆଲୋଚନାର ବିଷୟ ହେଉଛି: ‘ଭାରତର ସ୍ୱାଧୀନତା ପରବର୍ତ୍ତୀ, ୭୮ବର୍ଷ ଧରି ଆଞ୍ଚଳିକ ସମ୍ବାଦପତ୍ରର ଭୂମିକା’ । ଆଞ୍ଚଳିକ ସମ୍ବାଦପତ୍ରର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ । ଯଦି ଆମେ ଭାରତୀୟ ସମ୍ବାଦପତ୍ର ଇତିହାସକୁ ଯିବା ୧୭୮୦ ମସିହା ଜାନୁଆରୀ ୨୯ରେ ଦେଶର ପ୍ରଥମ ସମ୍ବାଦପତ୍ର ପ୍ରକାଶ ପାଇଥିଲା ।

ବ୍ରିଟିଶ ଶାସନ ସମୟରେ ଜେମ୍ସ ଅଗଷ୍ଟସ୍‌ ହିକିଂଙ୍କ ପକ୍ଷରୁ ‘ବେଙ୍ଗଲ ଗେଜେଟ’ ନାମରେ ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା । କ୍ରମାଗତ ଭାବେ ଅନେକ ସମ୍ବାଦପତ୍ର ପ୍ରକାଶ ପାଇଥିଲା । ତେବେ ଏହି ସମୟରେ ଆଞ୍ଚଳିକ ସମ୍ବାଦପତ୍ରଗୁଡିକ ଦେଶର ଜନମତକୁ ଯଥେଷ୍ଟ ପ୍ରଭାବିତ କରିଥିଲା । ସ୍ୱାଧୀନତା ପରେ ସମ୍ବାଦପତ୍ରଗୁଡିକରେ ଅନେକ ପରିବର୍ତ୍ତନ ଘଟିଥିଲା । ଅଧିକାଂଶ ସମ୍ବାଦପତ୍ର ମାଲିକାନା ଭାରତୀୟଙ୍କ ହାତକୁ ଆସିଲା ।

ବ୍ରିଟିଶ ଶାସନ ସମୟରେ ଆତ୍ମପ୍ରକାଶ କରିଥିବା ଭାରତୀୟ ସମ୍ବାଦପତ୍ରଗୁଡିକ ଦେଶର ସ୍ୱାଧୀନତା ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ବାସ୍ତବ ପକ୍ଷେ ଏହି ସମ୍ବାଦପତ୍ର ଜାତୀୟ ଓ ଆଞ୍ଚଳିକ ସ୍ତରରେ ସ୍ୱାଧୀନତା ସଂଗ୍ରାମର ମୁଖପାତ୍ର ରୂପେ କାର୍ଯ୍ୟ କରୁଥିଲେ । ସରକାର ଓ ପ୍ରଶାସକଙ୍କ ବିଭିନ୍ନ ଯୋଜନା ଏବଂ ନୀତି ଉପରେ ସମ୍ବାଦପତ୍ର ତୀକ୍ଷ୍‌ଣ ନଜର ରଖିଥାନ୍ତି ।

ସମାଜରେ ଘଟୁଥିବା ତ୍ରୁଟି, ବିଚୁ୍ୟତି, ଏକଚ୍ଛତ୍ରବାଦ, ଦୁର୍ନୀତି ଏବଂ ଅସାଧୁ ଉପାୟ ବିରୋଧରେ ସେମାନେ ସ୍ୱର ଉତ୍ତୋଳନ କରିଥାନ୍ତି । ଗତ ୭୭ବର୍ଷର ସ୍ୱାଧୀନତାର ଦୀର୍ଘ ଯାତ୍ରାରେ ଆଞ୍ଚଳିକ ସମ୍ବାଦପତ୍ରଗୁଡିକ ଦେଶ ସାର୍ବଭୌମତ୍ୱ ଓ ସଂହତିକୁ ମଜଭୁତ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛନ୍ତି । ଏହି ଅବସରରେ ଶ୍ରୀମତୀ ପାଢ଼ୀ ଓଡ଼ିଶାରୁ ଏକଦା ପ୍ରକାଶିତ ଉତ୍କଳ ଦୀପିକା ଓ ସମାଜ, ପ୍ରଜାତନ୍ତ୍ର ଆଦି ସମ୍ବାଦପତ୍ରର ମଧ୍ୟ ନଜିର ଦେଇଥିଲେ । ଓଡ଼ିଶାରେ ମଧ୍ୟ ଶତାଧିକ ସମ୍ବାଦପତ୍ର ପ୍ରକାଶ ପାଉଥିଲାବେଳେ ସେଗୁଡିକ ମଧ୍ୟ ପାଠକମାନଙ୍କ ଦ୍ୱାରା ଆଦୃତ ହୋଇପାରିଛି ବୋଲି ଶ୍ରୀମତୀ ପାଢୀ ପ୍ରକାଶ କରିଛନ୍ତି ।

ଏହି ଅବସରରେ ଅନ୍ୟତମ ଅତିଥି ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଆଜିର ସମୟରେ ଖବରକାଗଜ ବଞ୍ଚେଇ ରଖବା ବହୁ କଷ୍ଟସାଧ୍ୟ । ଏହାକୁ ଚଳାଇବା ମାଲିକମାନଙ୍କ କ୍ଷେତ୍ରରେ ଅସମ୍ଭବ ହୋଇଥିଲେ ମଧ୍ୟ ସମୟ ନିଜର ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଆଜିର ପାଠକ କେବଳ ହେଡ୍‌ଲାଇନ ପଢିବା ପରେ ପାଠ ଭିତରକୁ ଯାଉନାହାନ୍ତି । ବୟସ୍କ ପାଠକମାନେ ଖବରର ପ୍ରତିଟି ଶବ୍ଦକୁ ପଢିବାକୁ ଇଚ୍ଛା କରିଥାନ୍ତି । ତାହା ଏବେ ଦେଖବାକୁ ମିଳୁନି । ଟେକ୍‌ନୋଲୋଜି ଯୁଗର ପରିବର୍ତ୍ତନ ଆସିଛି ।

ସମ୍ବାଦପତ୍ରର ଆକର୍ଷଣ କମିଛି ଓ ଟିଭି ମାଧ୍ୟମରେ ଧାଡିକିଆ ଖବର ପ୍ରସାରଣ କରାଯାଉଛି । ତେବେ ଖବରକାଗଜରେ ଏହା ବିସ୍ତୃତ ଭାବେ ପ୍ରକାଶିତ ହେଉଛି । ଭାରତ ଛାଡ ଆନ୍ଦୋଳନରେ ଛାପା ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ସେତେବେଳ କାଶ୍ମୀର ଠାରୁ କନ୍ୟାକୁମାରୀ ଓ ଗୁଜରାଟଠୁ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଲୋକଙ୍କୁ ଏଥରେ ଯୋଡ଼ିବା କାର୍ଯ୍ୟ କରିଥିଲା ସମ୍ବାଦପତ୍ର । ୧୯୭୫ ମସିହାରେ ଜରୁରୀକାଳୀନ ପରିସ୍ଥିତିବେଳେ କଳା ଦିବସ ପାଳନ କରାଯାଉଥାଏ । ସେହି ସମୟରେ ଗଣମାଧ୍ୟମର କଣ୍ଠରୋଧ କରାଯାଉଥାଏ, ସବୁ ସମ୍ବାଦପାତ୍ର ଏହାର ବିରୋଧରେ ସମ୍ପାଦକୀୟକୁ ଖାଲି ଛାଡ଼ିଥିଲେ ।

ସେତେବେଳେ ଏହା ବିରୋଧରେ ଯେଉଁ ତୀବ୍ର ଜନମତ ସୃଷ୍ଟି ହୋଇଥିଲା, ତାହାର ସୂତ୍ରଧାର ଥିଲେ ଗଣମାଧ୍ୟମ । ସମୟ ଆଜି ଯେଉଁଭଳି ଭାବେ ରୂପ ପ୍ରଦର୍ଶନ କରିଛି, ତାହା ପ୍ରଶଂସନୀୟ । ରାଜ୍ୟର ଜଣେ ଧୁରୀଣ ଜନନେତା ସ୍ୱର୍ଗତ ବସନ୍ତ ବିଶ୍ୱାଳ ‘ସମୟ’ ପ୍ରତିଷ୍ଠା କରିଥିଲେ, ମାତ୍ର ‘ସମୟ’ କେବେହେଲେ କୌଣସି ନିର୍ଦ୍ଧିଷ୍ଟ ଦଳ ସପକ୍ଷରେ ଅଯଥା ପ୍ରଶସ୍ତି ଗାନ କରି ନାହିଁ । ଦେଶ ତଥା ରାଜ୍ୟର ବିକାଶ ଯାତ୍ରାରେ ଆଞ୍ଚଳିକ ସମ୍ବାଦପତ୍ରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଆଶା ପ୍ରକଟ କରିଥିଲେ ।

‘ସମୟ’ର ମୁଖ୍ୟ ସମ୍ପାଦକ ରାକେଶ ଚନ୍ଦ୍ର ମହାନ୍ତି କହିଛନ୍ତି, ସାରା ଦେଶରେ ହରଘର ତ୍ରିରଙ୍ଗା ଉତ୍ସବ ପାଳନ କରାଯାଉଛି । ସ୍ୱାଧୀନତାର ୭୭ ବର୍ଷ ପୂରିଯିବ, ୭୮ବର୍ଷକୁ ପଦାର୍ପଣ କରିବ । ଦେଶର ବିକାଶରେ ପ୍ରତ୍ୟେକ ସରକାରଙ୍କ ଅବଦାନ କିଛିନା କିଛି ରହିଛି । ଭାରତ ଏବେ ବି ଯୁବା ଅବସ୍ଥାରେ ରହିଛି । ୬୦ରୁ ଊଦ୍ଧ୍ୱର୍ ବୟସ୍କ ସଂଖ୍ୟା ୧୪୭ ନିୟୁତ ରହିଛି । ୨୦୫୦ ସୁଦ୍ଧା ଏହା ୩୫ କୋଟିରେ ପହଞ୍ଚିବ । ଏହାର ଅର୍ଥ ଆମର ବିକାଶ ଆଗେଇଛି ।

ଆଞ୍ଚଳିକ ଭାଷାଭିତ୍ତିକ ଗଣମାଧ୍ୟମ ସ୍ୱାଧୀନତା ପୂର୍ବରୁ ଥିଲା, ଏବେବି ଅଛି । ବେଳେବେଳେ କିଛି ସ୍ଥାନରେ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । ତେବେ ଗଣମାଧ୍ୟମ ସବୁବେଳେ ନିରପେକ୍ଷ ଖବର ପ୍ରକାଶ କରିଆସୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭରୁ ‘ସମୟ’ ଓ ‘ସମୟ ଲାଇଭ୍‌’ର ସମ୍ପାଦକ ପପୁ ମହାନ୍ତି ସ୍ୱାଗତ ଭାଷଣ ଦେଇଥିବାବେଳେ ଅନ୍ୟତମ ଅତିଥି ଆଏନ୍‌ଡବ୍ଲୁଇସି ଓଡ଼ିଶା କାଉନସିଲର କୋର୍ଡିନେଟର ପ୍ରୀତିପଲ୍ଲବୀ ପଟ୍ଟନାୟକ ଯୋଗଦେଇ ଗଣମାଧ୍ୟମ, ବ୍ୟକ୍ତି ଓ ବାକ ସ୍ୱାଧୀନତା ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତି ଓ ସମୟ ଲାଇଭର ସାମ୍ବାଦିକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।