Home General କପା ଉତ୍ପାଦନ ସତ୍ୱେ ନାହିଁ ସୂତାକଳ

କପା ଉତ୍ପାଦନ ସତ୍ୱେ ନାହିଁ ସୂତାକଳ

ଭୁବନେଶ୍ୱର : ରାଜ୍ୟରେ ଭଲ କପା ଚାଷ ହେଉଛି । କେବଳ ବଲାଙ୍ଗିର ଜିଲ୍ଲାରେ ବର୍ଷକୁ ସାଢେ ୭ଲକ୍ଷ ଗଣ୍ଠିଲି (ବେଲ୍‍) କପା ମିଳୁଛି । ହେଲେ ରାଜ୍ୟରେ ସୂତାକଳ ନଥିବାରୁ ଏ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁ ନାହିଁ ।

ଉନ୍ନତ କିସମର କପା ଉତ୍ପାଦନ କ୍ଷେତ୍ରରେ ଭଲ ନାଁ କରିଥିବା ଓଡିଶାରେ ଏବେ ରହିଛି ଗୋଟିଏ ମାତ୍ର ସୂତାକଳ । ଏଠାରେ କେବଳ ତୁଳା ଭିଣା ଯାଉଛି । କାର୍ଯ୍ୟରତ ଅଛନ୍ତି ମାତ୍ର ୧୫ଜଣ ଶ୍ରମିକ । ରାଜ୍ୟରେ ସୂତାକଳ ନଥିବାରୁ ଓଡିଶାର ଉତ୍ପାଦିତ ଟ୍ରକ ଟ୍ରକ ଉନ୍ନତ କିସମର ତୁଳା ଏବେ ରାଜ୍ୟ ବାହାରେ ଥିବା ସୂତାକଳଗୁଡିକୁ ଚାଲିଯାଉଛି ।

ଓଡିଶାରେ ଏକଦା ସାତଟି ସୂତାକଳ ଥିଲା । ଓଡିଶାରୁ ଉତ୍ପାଦିତ କପାରୁ ଏଠାରେ ସୂତା ପ୍ରସ୍ତୁତ ହେଉଥିଲା ଏବଂ ଏଥିରେ ଶହ ଶହ ଶ୍ରମିକ କର୍ମସଂସ୍ଥାନ ପାଉଥିଲେ । ଓଡିଶା ବାହାରେ ଓଡିଶା ସୂତାର ବେଶ୍‍ ଚାହିଦା ଥିଲା । ହେଲେ ଏବେ ଏହି ସୂତାକଳ ମଧ୍ୟରୁ ୬ଟି ଅଚଳ । ଏହାକୁ ସଚଳ କରିବାପାଇଁ ବି ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ନଥିବା ଜଣାଯାଇଛି ।

ଓଡିଶାରୁ ଉତ୍ପାଦିତ ଟ୍ରକ ଟ୍ରକ କପା ରାଜ୍ୟ ବାହାରକୁ ଚାଲି ଯାଉଥିବାବେଳେ ସେଠାରୁ ସୂତା ପ୍ରସ୍ତୁତ ହୋଇ ପୁଣି ଓଡିଶା ବଜାରରେ ବିକ୍ରି ହେଉଛି । ଏବେ ଓଡିଶାର ହସ୍ତତନ୍ତ କାରିଗରମାନେ ବାହାର ରାଜ୍ୟର ସୂତା ଉପରେ ନିର୍ଭରଶୀଳ । ଯେଉଁଥିପାଇଁ ଓଡିଶାର ଉତ୍ପାଦିତ ହସ୍ତତନ୍ତ ସାମଗ୍ରୀର ଦର ଅଧିକ ରହୁଛି ।

ରାଜ୍ୟରେ ଅଚଳ ହୋଇ ପଡିଥିବା ସୂତାକଳଗୁଡିକର ପୁନରୁଦ୍ଧାର ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଲେ ନାହିଁ । ଏପରିକି କପା ଚାଷ ହେଉଥିବା ପଶ୍ଚିମଓଡିଶାର କୌଣସି ଏକ ସ୍ଥାନରେ ନୂତନ ସୂତାକଳ ସ୍ଥାପନ ପାଇଁ ଥିବା ପ୍ରସ୍ତାବ ବି ଶୀତଳଭଣ୍ଡାରରେ ରହିଯାଇଛି । ଏଥିଯୋଗୁଁ ଏବେ ରାଜ୍ୟରେ ଏହି ‘ଧଳା ସୁନା’ ଚାଷ କରିବାପାଇଁ ଚାଷୀମାନେ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି । କାରଣ କପା ଉତ୍ପାଦନ ସମୟରେ ବାହାର ରାଜ୍ୟର ବ୍ୟବସାୟୀମାନେ ଆସି ଏଠାରେ ଡେରା ପକାଇବା ସହିତ ନିଜ ନିଜ ଭିତରେ ସଲାସୁତରା କରି ଚାଷୀଙ୍କ ଠାରୁ କମ୍‍ ଦରରେ କପା ଖରିଦ କରୁଛନ୍ତି । ଏହାଦ୍ୱାରା ରାଜ୍ୟ ବାହାରର ବ୍ୟବସାୟୀମାନେ ଲାଭବାନ ହେଉଥିବାବେଳେ ଓଡିଶାର କପାଚାଷୀମାନେ କ୍ଷତି ସହୁଛନ୍ତି ।

ବର୍ତ୍ତମାନ ରାଜ୍ୟ ସରକାର ହସ୍ତତନ୍ତ ସାମଗ୍ରୀ ଉତ୍ପାଦନ ଓ ରପ୍ତାନି ଉପରେ ଗୁରୁତ୍ୱ ଦେଉଛନ୍ତି । ଓଡିଶାର ହସ୍ତତନ୍ତ ସାମଗ୍ରୀର ମଧ୍ୟ ଦେଶ ତଥା ଦେଶ ବାହାରେ ବେଶ୍‍ ଚାହିଦା ରହିଛି । ରାଜ୍ୟର ବରିଷ୍ଠ ବୁଣାକାର ଓ କାରିଗର ସହାୟତା ଯୋଜନା ଅଧିନରେ ଦେଢ ହଜାରରୁ ଅଧିକ ବୁଣାକାରଙ୍କୁ ସହାୟତା ପ୍ରଦାନ କରାଯାଉଛି । ଏହାଛଡା ବୁଣାକାରମାନଙ୍କ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ବୁଣାକାରମାନଙ୍କର ସବୁଠାରୁ ଜରୁରୀ ଆବଶ୍ୟକ ସୂତା କିନ୍ତୁ ଓଡିଶାରେ ନାହିଁ । ବିପୁଳ କପା ଉତ୍ପାଦନ ସତ୍ୱେ ଓଡିଶାରେ ସୂତାକଳଟିଏ ହୋଇପାରୁ ନଥିବାରୁ ଏଭଳି ସ୍ଥିତି ଉପୁଜିଛି । ରାଜ୍ୟର ଏକାଧିକ କୁଶଳୀ ଶ୍ରମିକ ଗୁଜୁରାଟ ସମେତ ଅନ୍ୟାନ୍ୟ ରାଜ୍ୟରେ ଥିବା ସୂତାକଳରେ ଖଟୁଥିବାବେଳେ ନିଜ ରାଜ୍ୟରେ ସୂତାକଳ ସ୍ଥାପନ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)