Home Infrastructure ୧୦ ବର୍ଷରେ ୪୬୬୯ କିମି ରାଜପଥ

୧୦ ବର୍ଷରେ ୪୬୬୯ କିମି ରାଜପଥ

ଭୁବନେଶ୍ୱର : ଗତ ୧୦ ବର୍ଷ ମଧ୍ୟରେ ଓଡିଶାରେ ୪୬୬୯ କିଲୋମିଟର ଦୈର୍ଘ୍ୟର ରାଜପଥ ନିର୍ମାଣ ହୋଇଛି । ଏଥି ମଧ୍ୟରେ ଏକ ଲେନ୍‍ ଠାରୁ ଆରମ୍ଭ କରି ୪ଲେନ୍‍ ବିଶିଷ୍ଟ ଜାତୀୟ ରାଜପଥ ରହିଛି ।

କେନ୍ଦ୍ର ଭୂପୃଷ୍ଠ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରି ଲୋକସଭାରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ୨୦୧୪ ଏପ୍ରିଲ୍‍ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଓଡିଶାରେ ୪୬୬୯ କିଲୋମିଟର ଦୈର୍ଘ୍ୟର ଜାତୀୟ ରାଜପଥ ନିର୍ମାଣ ହୋଇଛି । ଏହି ସମୟରେ ମହାରାଷ୍ଟ୍ରରେ ସର୍ବାଧିକ ୧୪,୪୨୫ କିଲୋମିଟର ଦୈର୍ଘ୍ୟର ରାଜପଥ ନିର୍ମାଣ ହୋଇଥିବାବେଳେ ଚଣ୍ଡିଗଡରେ ସବୁଠାରୁ କମ୍‍ ମାତ୍ର ଗୋଟିଏ କିଲୋମିଟର ରଜାପଥ ନିର୍ମାଣ ହୋଇଛି ।

ତେବେ ଓଡିଶାର ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରେ ଏହିସମୟ ମଧ୍ୟରେ ୪୭୪୧ କିଲୋମିଟର ଦୈର୍ଘ୍ୟର ରାଜପଥ ନିର୍ମାଣ ହୋଇଥିବାବେଳେ ଛତିଶଗଡରେ ୩୩୮୯ କିଲୋମିଟର, ଝାଡଖଣ୍ଡରେ ୨୪୪୪ କିଲୋମିଟର ଓ ପଶ୍ଚିମବଙ୍ଗରେ ୨୩୦୯ କିଲୋମିଟର ଲମ୍ବର ଜାତୀୟ ରାଜପଥ ନିର୍ମାଣ ହୋଇଛି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ଓଡିଶାରେ ୩୨ଟି ଜାତୀୟ ରାଜପଥ ରହିଛି ଯାହାର ଦୈର୍ଘ୍ୟ ହେଉଛି ୫୮୯୭ କିଲୋମିଟର । ଏଥିରେ ଚାରି ଲେନ୍‍ ବିଶିଷ୍ଟ ରାଜପଥର ଦୈର୍ଘ୍ୟ ୧୯୫୧ କିଲୋମିଟର ହୋଇଥିବାବେଳେ ଦୁଇ ଲେନ୍‍ ବିଶିଷ୍ଟ ରାଜପଥର ଦୈର୍ଘ୍ୟ ୩୨୧୧ କିଲୋମିଟର ଥିବାବେଳେ ଏକ ଲେନ୍‍ ବିଶିଷ୍ଟ ୭୩୫ କିଲୋମିଟର ରାଜପଥ ରହିଛି ।

ମନ୍ତ୍ରୀ କହିଛନ୍ତି ଯେ ଲୋକଙ୍କ ସୁବିଧା ପାଇଁ ବର୍ତ୍ତମାନ ସୁଦ୍ଧା ୨୫,୪୦୦ କିଲୋମିଟର ଦୈର୍ଘ୍ୟର ରାଜପଥର ଆଲୋକିକରଣ କରାଯାଇଛି । ଏଥି ସହିତ ରାଜପଥ ପାଶ୍ୱର୍ରେ ଟ୍ରକ୍‍ ଓ ବସ୍‍ ରହଣି ସ୍ଥାନ ସହିତ ଚାଳକ ଓ ଯାତ୍ରୀମାନଙ୍କ ଥକ୍କା ମେଣ୍ଟାଇବାପାଇଁ ରେଷ୍ଟରୁମ୍‍ ଆଦିର ବ୍ୟବସ୍ଥା କରାଯାଇଛି । ଟୋଲ ପ୍ଲାଜାଗୁଡିକର ଆଖପାଖରେ ଉଜ୍ୱଳ ଆଲୋକ ବ୍ୟବସ୍ଥା କରାଯିବା ସହିତ ଦପ୍ତର ଏବଂ ପାଶ୍ୱର୍ ସଡକ ନିର୍ମାଣ କରାଯାଇଛି । ଜାତୀୟ ରାଜପଥ ପାଶ୍ୱର୍ରେ ଇଭି ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଉଛି । ଇତି ମଧ୍ୟରେ ୩୩୨ ଟି ସ୍ଥାନରେ ଇଭି ଚାର୍ଜିଂ ଷ୍ଟେସନ ସହିତ ଅନ୍ୟାନ୍ୟ ମୌଳିକ ସୁବିଧା ଉପଲବ୍ଧ କରାଯାଇଛି ।

ଆସାମ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟ ଭାବେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ସେହି ରାଜ୍ୟରେ ୪୮ଟି ରାଜପଥ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହା ଜରିଆରେ ପାଖାପାଖି ୩୦ହଜାର କୋଟି ଟଙ୍କା ବ୍ୟୟରେ ୮୨୦ କିଲୋମିଟର ଜାତୀୟ ରାପଥ ନିର୍ମାଣ ଚାଲିଛି । ୨୦୧୪ ଏପ୍ରିଲ ପରଠାରୁ ଆସାମରେ ୨୭୯୬ କିଲୋମିଟର ରାଜପଥ ନିର୍ମାଣ ସରିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)