Home Judiciary ବାତିଲ ହେଲା ଡାକ୍ତରଙ୍କ ଦଣ୍ଡବିଧାନ

ବାତିଲ ହେଲା ଡାକ୍ତରଙ୍କ ଦଣ୍ଡବିଧାନ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଖାମଖିଆଲି ନୀତି ଯୋଗୁଁ ଜଣେ କର୍ତ୍ତବ୍ୟପରାୟଣ ଡାକ୍ତରଙ୍କୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଳରେ ନିୟମ ବର୍ହିଭୂତ ଭାବେ ଦଣ୍ଡବିଧାନ କରାଯାଇ ପଦୋନ୍ନତିରୁ ବଞ୍ଚିତ କରାଯାଇଛି । ଦଣ୍ଡବିଧାନ ବିରୁଦ୍ଧରେ ସମ୍ପୃକ୍ତଡାକ୍ତର କରିଥିବା ଆବେଦନକୁ ଓଡିଶା ହାଇକୋର୍ଟ ଗ୍ରହଣ କରି ଦଣ୍ଡବିଧାନକୁ ବାତିଲ କରିଦେଇଛନ୍ତି ।

ମାମଲାର ବିବରଣୀରୁ ପ୍ରକାଶ ଯେ ଡାକ୍ତର ନାରାୟଣ ପ୍ରସାଦ ବେହେରା ଖୋରଧାର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଥିବା ସମୟରେ ତାଙ୍କ ବିରୁଦ୍ଧରେ ୨୦୧୭ ମସିହାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇ ବିଭାଗର ଜଣେ ଯୁଗ୍ମ ନିର୍ଦ୍ଦେଶକଙ୍କୁ ତଦନ୍ତକାରୀ ଅଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା । ସରକାରଙ୍କ ଅଭିଯୋଗ ଏବଂ ଅଭିଯୁକ୍ତ ଡାକ୍ତରଙ୍କ ଯୁକ୍ତି ସହିତ ସରକାରୀ ନଥିପତ୍ର ଯାଞ୍ଚ କରି ତଦନ୍ତକାରୀ ଅଧିକାରୀ ଡାକ୍ତର ବେହେରାଙ୍କୁ ଦୋଷମୁକ୍ତ କରିଥିଲେ ।

ଚାକିରିରେ ଥିବା ସମୟରେ ଡାକ୍ତର ବେହେରାଙ୍କୁ ବିଭିନ୍ନ ସ୍ଥାନକୁ ବଦଳି କରାଯାଇଥିଲା ଏବଂ ସେ ଆଦେଶ ମାନି ବି ବଦଳି ହେଉଥିବା ସ୍ଥାନରେ ଯୋଗ ଦେଉଥିଲେ । ତେବେ ଏକ ସଡକ ଦୁର୍ଘଟଣାରେ ଆହତ ହେବାପରେ ତାଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଥିଲା । ସେ ସମୟରେ ଏହି ଡାକ୍ତର ଜଣଙ୍କ କ୍ୟାପିଟାଲ ହସ୍ପିଟାଲର ଅସ୍ଥିଶଲ୍ୟ ବିଶେଷଜ୍ଞଙ୍କ ନିକଟରେ ଚିକିତ୍ସାଧିନ ଥିଲେ ଏବଂ ସେଠାରୁ ତାଙ୍କୁ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ସ୍ନାୟୁରୋଗ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ କୁହାଯାଇଥିଲା । ପରବର୍ତ୍ତୀ ସମୟରେ ସେ କଷ୍ଟେମଷ୍ଟେ ବଦଳି ହୋଇଥିବା ସ୍ଥାନରେ ଯୋଗ ଦେବାପାଇଁ ଯାଇଥିଲେ ମଧ୍ୟ ତାଙ୍କ ଯୋଗଦାନ ରିପୋର୍ଟ ଗ୍ରହଣ କରାଯାଇନଥିଲା ।

ଏଭଳି ସ୍ଥିତିରେ ସମ୍ପୃକ୍ତ ଡାକ୍ତର ଜଣଙ୍କ ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟରୁ ସ୍ୱାସ୍ଥ୍ୟ ବିଭାଗ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଗୁହାରି କରିଥିଲେ । ଛୁଟିରେ ଥିବାବେଳେ ତାଙ୍କର ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପାହ୍ୟାକୁ ପଦୋନ୍ନତି ଦିଆଯାଇ ଖୋର୍ଦ୍ଧାରେ ନିଯୁକ୍ତି ମିଳିଥିଲା ଏବଂ ସେଠାରେ ସେ କାର୍ଯ୍ୟ କରୁଥିଲେ । ତେବେ ସ୍ୱାସ୍ଥ୍ୟଗତ କାରଣରୁ ସେ ଯେଉଁ ସମୟ ତକ ଛୁଟିରେ କଟାଇଥିଲେ ଓ ଚାକିରିରେ ଯୋଗଦେବାକୁ ଚାହିଁଲେ ମଧ୍ୟ ତାହା ଗ୍ରହଣ ହୋଇନଥିଲା ସେହି ସମୟକୁ ନିୟମିତ କରିବାପାଇଁ ସେ କର୍ତ୍ତୃପକ୍ଷଙ୍କୁ ନିବେଦନ କରିବା ସହିତ ବରିଷ୍ଠତା, ଦକ୍ଷତା ଓ ଯୋଗ୍ୟତା ଭିତ୍ତିରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପାହ୍ୟାକୁ ଅନ୍ୟମାନଙ୍କ ସହ ପଦୋନ୍ନତି ଦେବାକୁ ଅନୁରୋଧ କରିଥିଲେ ।

ତେବେ ସ୍ୱାସ୍ଥ୍ୟ ବିଭାଗ ତାଙ୍କ ବିରୁଦ୍ଧରେ ସରକାରୀ ଆଦେଶ ଉଲ୍ଲଙ୍ଘନ ଅଭିଯୋଗ ଆଣି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ପଦୋନ୍ନତି ସଂକ୍ରାନ୍ତରେ ଡିପିସି ସୁପାରିଶକୁ ସିଲ୍‍ କଭରରେ ରଖିଥିଲେ । ତଦନ୍ତକାରୀ ଅଧିକାରୀ ତାଙ୍କୁ ଦୋଷମୁକ୍ତ କରିବା ସହ ତାଙ୍କ ଛୁଟି ସମୟକୁ ନିୟମିତ କରିବା ଲାଗି ସୁପାରିଶ୍‍ କରିଥିବାବେଳେ କର୍ତ୍ତୃପକ୍ଷ କିନ୍ତୁ ଏହି ସୁପାରିଶକୁ ଗ୍ରହଣ କରି ତାଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରିବାରୁ ସେ ପଦୋନ୍ନତିରୁ ବଞ୍ଚିତ ହୋଇ ଇତି ମଧ୍ୟରେ ଅବସରଗ୍ରହଣ କରିସାରିଛନ୍ତି ।

ହାଇକୋର୍ଟର ଅନ୍ୟତମ ବିଚାରପତି ବିରଜା ପ୍ରସନ୍ନ ଶତପଥୀ ଉଭୟ ପକ୍ଷର ଯୁକ୍ତି ଶୁଣିବାପରେ ନିୟମ କାନୁନର ଉଲ୍ଲଙ୍ଘନ କରି ରାଜ୍ୟ ସରକାର ସମ୍ପୃକ୍ତ ଡାକ୍ତରଙ୍କ ବିରୁଦ୍ଧରେ କରିଥିବା ଦଣ୍ଡବିଧାନକୁ ନାକଚ କରିବା ସହ ଆବେଦନକାରୀଙ୍କ ରିଟ୍‍ ଆବେଦନ ସପକ୍ଷରେ ରାୟ ଶୁଣାଇଛନ୍ତି । ଆବେଦନକାରୀ ଡାକ୍ତରଙ୍କ ପକ୍ଷରୁ ଅନ୍ୟତମ ଆଇନ୍‍ଜୀବୀ ପ୍ରହଲାଦ କୁମାର ସିଂହ ଓ ଅମୀୟ କୁମାର ଛାଟୋଇ ମାମଲା ପରିଚାଳନା କରୁଥିଲେ । ଏହି ରାୟ ଭିତ୍ତିରେ ପିଛିଲା ତାରିଖରୁ ପଦୋନ୍ନତି ସହିତ ସମ୍ପୃକ୍ତ ଡାକ୍ତରଙ୍କୁ ତାଙ୍କର ଚାକିରି ଓ ଅବସରକାଳୀନ ପ୍ରାପ୍ୟ ଏବେ ସରକାରଙ୍କୁ ଦେବାକୁ ପଡିବ । (ତଥ୍ୟ)