Home Energy ଓଡିଶାରେ ବିକ୍ରି ହୋଇଛି ସର୍ବାଧିକ ଏଲ୍‍ଇଡି ବଲ୍‍ବ

ଓଡିଶାରେ ବିକ୍ରି ହୋଇଛି ସର୍ବାଧିକ ଏଲ୍‍ଇଡି ବଲ୍‍ବ

ଭୁବନେଶ୍ୱର : ବିଜୁଳି ସଞ୍ଚୟ ପାଇଁ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ଯୋଗାଇ ଦେଇଥିବା ଶସ୍ତା ଏଲ୍‍ଇଡି ବଲ୍‍ବର ସର୍ବାଧିକ ବିକ୍ରି ଓଡିଶାରେ ହୋଇଛି । ରାଜ୍ୟର ବିଜୁଳି ହିତାଧିକାରୀମାନେ ୫କୋଟିରୁ ଅଧିକ ବଲ୍‍ବ ଖରିଦ କରିଛନ୍ତି । ସମଗ୍ର ଦେଶରେ ବିକ୍ରି ହୋଇଥିବା ଏଲ୍‍ଇଡି ବଲ୍‍ବ ସଂଖ୍ୟା ୩୬କୋଟିରୁ ଅଧିକ ରହିଛି ।

ଲୋକସଭାରେ ବିଜେପି ସାଂସଦ ବୈଜୟନ୍ତ ପଣ୍ଡା ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ମନୋହର ଲାଲ । କେନ୍ଦ୍ରମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ ୨୦୧୫ ମସିହାରେ କେନ୍ଦ୍ର ସରକାର ଉଜ୍ୱଳା ଯୋଜନାରେ ଏହି ବଲ୍‍ବ ଯୋଗାଣ ଆରମ୍ଭ କରିଥିଲେ । ବିଦ୍ୟୁତ୍‍ ସଞ୍ଚୟ ପାଇଁ ରାଷ୍ଟ୍ରାୟତ ସଂସ୍ଥା ଇଇଏସ୍‍ଏଲ ଓ ବିଭିନ୍ନ ରାଜ୍ୟର ବିଜୁଳି ଯୋଗାଣକାରୀ ସଂସ୍ଥାଙ୍କ ସହାୟତାରେ ଏଲ୍‍ଇଡି ବଲ୍‍ବ ଯୋଗାଇ ଦେଇଥିଲେ । ବିଜୁଳି ହିତାଧିକାରୀମାନେ ବିଦ୍ୟୁତ୍‍ ଯୋଗାଣକାରୀ ସଂସ୍ଥାମାନଙ୍କ ଠାରୁ ଏହି ଶସ୍ତା ବିଜୁଳି ବଲ୍‍ବ କିଣିଥିଲେ ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ସମଗ୍ର ଦେଶରେ ଏହି ଧରଣର ୩୬ କୋଟି ୪୦ଲକ୍ଷ ବଲ୍‍ବ ବିକ୍ରି ହେଉଛି । ଏହି ବଲ୍‍ବ ବିକ୍ରି ଦ୍ୱାରା ସମଗ୍ର ଦେଶରେ ବାର୍ଷିକ ୪୮.୪ ବିଲିୟନ ୟୁନିଟ୍‍ ବିଜୁଳି ସଞ୍ଚୟ ହୋଇଥିଲା ଯାହାର ମୂଲ୍ୟ ୧୯,୩୩୭ କୋଟି ଟଙ୍କା ଆକଳନ କରାଯାଇଛି ।

ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଓଡିଶାରେ ମୋଟ୍‍ ୫,୨୨,୭୦,୫୭୦ଟି ବଲ୍‍ବ ବିକ୍ରି ହୋଇଛି ଯାହାକି ଦେଶର ଯେକୌଣସି ରାଜ୍ୟ ଠାରୁ ସର୍ବାଧିକ ରହିଛି । ଏହି ସମୟରେ ପଶ୍ଚିବଙ୍ଗରେ ଏଲ୍‍ଇଡି ବଲ୍‍ବ ବିକ୍ରି ସଂଖ୍ୟା ଏକ କୋଟି ଟପିନଥିବାବେଳେ ଆନ୍ଧ୍ରପ୍ରଦେଶରେ ଏହା ୨କୋଟି ୨୦ଲକ୍ଷର ସାମାନ୍ୟ ଅଧିକ ରହିଛି । ସେହିଭଳି ଛତିଶଗଡରେ ୫ଲକ୍ଷ ୫୪ହଜାର ଏଲ୍‍ଇଡି ବଲ୍‍ବ ବିକ୍ରି ହୋଇଥିବାବେଳେ ଝାଡଖଣ୍ଡରେ ଏହି ସଂଖ୍ୟା ଏକ କୋଟି ୩୬ଲକ୍ଷରୁ ସାମାନ୍ୟ ଅଧିକ ରହିଛି ।

ସର୍ବବୃହତ୍‍ ରାଜ୍ୟ ଉତ୍ତରପ୍ରଦେଶରେ ୨କୋଟି ୬୨ଲକ୍ଷରୁ ସାମାନ୍ୟ ଅଧିକ ବଲ୍‍ବ ବିକ୍ରି ହୋଇଥିବାବେଳେ ଗୁଜୁରାଟାରେ ଏହା ୪କୋଟିକୁ ଅତିକ୍ରମ କରିଛି । ମହାରାଷ୍ଟ୍ର, କର୍ଣ୍ଣାଟକ ଆଦି ରାଜ୍ୟରେ ଏହା ୨କୋଟି ଅତିକ୍ରମ କରିଛି । ସିକିମ୍‍ରେ ସବୁଠାରୁ କମ୍‍ ଏକ ଲକ୍ଷରୁ ସାମାନ୍ୟ ଅଧିକ ବଲ୍‍ବ ବିକ୍ରି ହୋଇଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ।

ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଏହି ଶସ୍ତା ଏଲଇଡ୍‍ ବଲ୍‍ବ ଓଡିଶାରେ ବେଶ୍‍ ଆଦୃତ ହୋଇଥିଲା । ଏହାକୁ ପାଇବାପାଇଁ ଲୋକେ ବିଭିନ୍ନ ସ୍ଥାନ ବିଶେଷକରି ବିଦ୍ୟୁତ୍‍ ଦପ୍ତର ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ଧାଡି ଲଗାଉଥିଲେ । ସେତେବେଳେ ଖୋଲା ବଜାରରେ ଏଲ୍‍ଇଡି ବଲ୍‍ବର ଦାମ୍‍ ଅଧିକ ରହିବା ସହିତ ଏହା ପର୍ଯ୍ୟାପ୍ତ ଭାବେ ମିଳୁନଥିଲା । ହେଲେ କେନ୍ଦ୍ରର ଏଲ୍‍ଇଡି ବଲ୍‍ବ ଯୋଗାଣ ପରେ ଏବେ ବଜାରରେ ଶସ୍ତାରେ ଉନ୍ନତମାନର ଏଲ୍‍ଇଡି ବଲ୍‍ବ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉଛି ଏବଂ ଲୋକେ ମଧ୍ୟ ବିଜୁଳି ବିଲ୍‍ ସଞ୍ଚୟ ପାଇଁ ଏହି ବଲ୍‍ବ କିଣୁଛନ୍ତି । (ତଥ୍ୟ)