Home Agriculture ଡାଲି, ତୈଳବୀଜ ଉତ୍ପାଦନ ନୈରାଶ୍ୟଜନକ

ଡାଲି, ତୈଳବୀଜ ଉତ୍ପାଦନ ନୈରାଶ୍ୟଜନକ

ଭୁବନେଶ୍ୱର : ରାଜ୍ୟରେ ଚାଉଳ ଉତ୍ପାଦନକୁ ବାଦ୍‍ ଦେଲେ ଅନ୍ୟ କୌଣସି କୃଷି ସାମଗ୍ରୀ ଉତ୍ପାଦନରେ ଗତ ୧୦ବର୍ଷ ମଧ୍ୟରେ ସେଭଳି ଆଖିଦୃଶିଆ ଅଭିବୃଦ୍ଧି ହୋଇନାହିଁ । ବିଶେଷକରି ଦୈନିକ ଆବଶ୍ୟକ ପଡୁଥିବା ଡାଲି ଓ ତୈଳବୀଜ ଉତ୍ପାଦନ ରାଜ୍ୟରେ ଅତ୍ୟନ୍ତ ଧିମା ରହିଛି ।

କୃଷି ପରିସଂଖ୍ୟାନ ଅନୁଯାୟୀ ୨୦୧୩-୧୪ ବର୍ଷରେ ରାଜ୍ୟରେ ହେକ୍ଟର ପିଛା ୧୪୨୬ କିଲୋଗ୍ରାମ ଖାଦ୍ୟ ଶସ୍ୟ ଉତ୍ପାଦନ ହେଉଥିବାବେଳେ ୨୦୨୨-୨୩ ବର୍ଷରେ ଏହି ପରିମାଣ ୨୧୬୨ କିଲୋଗ୍ରାମକୁ ବୃଦ୍ଧି ପାଇଛି । ଏହି ଖାଦ୍ୟଶସ୍ୟ ମଧ୍ୟରେ ମୁଖ୍ୟତଃ ଧାନ ଉତ୍ପାଦନ ରହିଛି । ରାଜ୍ୟରେ ଅଧିକ ପରିମାଣରରେ ଧାନ ଉତ୍ପାଦନ ଯୋଗୁଁ ଓଡିଶା ଏକାଧିକ ଥର କୃଷି କର୍ମଣ ପୁରସ୍କାର ପାଇସାରିଛି ।

କିନ୍ତୁ ଡାଲି ଜାତୀୟ ଶସ୍ୟ ଓ ତୈଳବୀଜ ଉତ୍ପାଦନ ରାଜ୍ୟରେ ସେତେଟା ଉତ୍ସାହଜନକ ହୋଇପାରୁ ନାହିଁ । ୨୦୧୩-୧୪ରେ ରାଜ୍ୟରେ ହେକ୍ଟର ପିଛା ୫୦୭ କିଲୋ ଡାଲି ଜାତୀୟ ଶସ୍ୟ ଉତ୍ପାଦନ ହେଉଥିବାବେଳେ ଦଶବର୍ଷ ପରେ ଅର୍ଥାତ୍‍ ୨୦୨୨-୨୩ ବର୍ଷରେ ତାହା ୫୪୮ କିଲୋରେ ପହଞ୍ଚିଛି । ଏଭଳି ନୈରାଜନକ ଉତ୍ପାଦନ ଯୋଗୁଁ ଓଡିଶା ବର୍ଷସାରା ଡାଲି ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ ହେଉଥିବାବେଳେ ଏ ବାବଦରେ କୋଟି କୋଟି ଟଙ୍କା ଓଡିଶାରୁ ଅନ୍ୟ ରାଜ୍ୟକୁ ପଳାଇଯାଉଛି ।

ଡାଲି ଭଳି ଦୈନନ୍ଦିନ ଆବଶ୍ୟକ ହେଉଥିବା ତେଲର ଅବସ୍ଥା । ଓଡିଶାରେ ୨୦୧୨-୧୩ ବର୍ଷରେ ହେକ୍ଟର ପିଛା ୯୨୮ କିଲୋ ତୈଳବୀଜ ଉତ୍ପାଦନ ହେଉଥିବାବେଳେ ୨୦୨୨-୨୩ ରେ ତାହା ୯୬୪ କିଲୋରେ ପହଞ୍ଚିଛି । ଫଳରେ ଖାଇବା ତେଲ ପାଇଁ ଓଡିଶା ବର୍ଷ ସାରା ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି । ଏକଦା ତୈଳବୀଜ ଉତ୍ପାଦନ ସହିତ ସୁବର୍ଣ୍ଣା ଖାଇବା ତେଲ ଉତ୍ପାଦନ କରୁଥିବା ଓଡିଶାରେ ଆଜି ତେଲ ଉତ୍ପାଦନ ନାହିଁ କହିଲେ ଚଳେ । ବାଦାମ ଓ ସୂର୍ଯ୍ୟମୁଖୀ ଭଳି ଯେତିକି ବି ତୈଳବୀଜ ଉତ୍ପାଦନ ହେଉଛି ତାହାକୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଶସ୍ତାରେ ଖରିଦ କରିନେବା ସହିତ ସେଥିରୁ ତେଲ ପ୍ରସ୍ତୁତ କରି ଓଡିଶା ବଜାରକୁ ଛାଡୁଛନ୍ତି ।

ଲାଭଦାୟକ କପା ଉତ୍ପାଦନ ମଧ୍ୟ ଓଡିଶାରେ ସେତେଟା ଉତ୍ସାହଜନକ ନୁହେଁ । ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ୱେ ଦଶ ବର୍ଷ ମଧ୍ୟରେ କପା ଉତ୍ପାଦନ ହେକ୍ଟର ପିଛା ୪୧୦ କିଲୋରୁ ବଢି ୫୫୪ କିଲୋରେ ପହଞ୍ଚିଛି । ରାଜ୍ୟରେ ସୂତାକଳ ନଥିବାରୁ ଯେତିକି ବି କପା ଉତ୍ପାଦନ ହେଉଛି ତାହାକୁ ବାହାର ରାଜ୍ୟର ବ୍ୟବସାୟୀମାନେ ଖରିଦ କରିନେଉଛନ୍ତି । ଆଶାଜନକ ଲାଭ ହେଉନଥିବାରୁ ଚାଷୀମାନେ ମଧ୍ୟ କପାଚାଷ ପ୍ରତି ଆଉ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଅନ୍ୟତମ ଅର୍ଥକରୀ ଫସଲ ଝୋଟ ଓ ଆଖୁ ଉତ୍ପାଦନ ମଧ୍ୟ ରାଜ୍ୟରେ ଅତ୍ୟନ୍ତ ଧିମା ରହିଛି । ୨୦୧୨-୧୩ ବର୍ଷରେ ରାଜ୍ୟରେ ହେକ୍ଟର ପିଛା ୧୮୮୨ କିଲୋ ଝୋଟ ଉତ୍ପାଦନ ହେଉଥିବାବେଳେ ଦଶବର୍ଷ ଭିତରେ ଏହା ବଢି ବଢି ୨୨୨୭ କିଲୋରେ ପହଞ୍ଚିଛି । ସେହିଭଳି ଆଖୁ ଉତ୍ପାଦନ ୧୦ବର୍ଷରେ ୭୧,୮୯୦ କିଲୋରୁ ବଢି ୭୨,୯୭୨ କିଲୋରେ ପହଞ୍ଚିଛି । ଅନ୍ୟ ରାଜ୍ୟ ତୁଳନାରେ ଏହା ଢେର କମ୍‍ । ଅନ୍ୟ ପକ୍ଷରେ ଆଖୁ ଉତ୍ପାଦନ ନୈରାଶ୍ୟଜନକ ହୋଇଥିବାରୁ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଚିନିକଳ ବନ୍ଦହୋଇ ଯାଉଛି । (ତଥ୍ୟ)