Home Health ବିଏସକେୱାଇ ଖର୍ଚ୍ଚ ୭୬ଗୁଣା ବୃଦ୍ଧି

ବିଏସକେୱାଇ ଖର୍ଚ୍ଚ ୭୬ଗୁଣା ବୃଦ୍ଧି

ଭୁବନେଶ୍ୱର : ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଗତ ୫ବର୍ଷ ମଧ୍ୟରେ ଖର୍ଚ୍ଚ ୭୬ଗୁଣରୁ ଅଧିକ ବୃଦ୍ଧି ପାଇଛି । ୨୦୧୯ ମସିହାରେ ଆରମ୍ଭ ହୋଇଥିବା ଏହି ଯୋଜନାରେ ସେହି ଆର୍ଥିକ ବର୍ଷରେ ୪୧ କୋଟିରୁ ଅଧିକ ଅର୍ଥ ବ୍ୟୟ ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ତାହା ୩୨୦୪ କୋଟି ଟଙ୍କାକୁ ଟପିଯାଇଛି ।

ବିଜେଡି ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଆଜି ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ୨୦୧୯ ମସିହା ଫେବୃୟାରୀ ମାସରେ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ୨୦୧୯-୨୦ ବର୍ଷରେ ୪୧,୨୨,୧୪,୭୩୦ ଟଙ୍କା ବ୍ୟୟ ହୋଇଥିଲା । ଏହା ପରବର୍ଷ ଅର୍ଥାତ୍‍ ୨୦୨୦-୨୧ ବର୍ଷରେ ଏହା ୭୯ କୋଟି ୪୨ଲକ୍ଷ ଟଙ୍କାକୁ ଟପିଯାଇଥିଲା ।

ସେହିଭଳି ଏହି ଯୋଜନାର ବ୍ୟୟଭାର ୨୦୨୧-୨୨ ବର୍ଷରେ ୩୮୦ କୋଟି ଟଙ୍କାକୁ ଟପିଯାଇଥିଲା । ସେହିଭଳି ରୋଗୀମାନଙ୍କ ଚିକିତ୍ସା ବାବଦରେ ୩୮୦,୫୭,୬୫,୪୪୫ ଟଙ୍କା ବ୍ୟୟ ହୋଇଥିଲା । ଉଲ୍ଲେଖନୀୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ପ୍ରଥମେ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟସେବା ଯୋଗାଉଥିବାବେଳେ ପରବର୍ତ୍ତୀ ସମୟରେ ପୁରୁଷଙ୍କ ପାଇଁ ୫ଲକ୍ଷ ମହିଳାଙ୍କ ପାଇଁ ଏହାକୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିଥିଲେ । ଏହାପରେ ମହିଳାଙ୍କ କ୍ଷେତ୍ରରେ ଏହା ୧୦ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା । ଏହି ଯୋଜନାରେ ଲୋକେ ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା ଅନେକ ଘରୋଇ ଡାକ୍ତରଖାନାରେ ଚିକିତ୍ସାସେବା ପାଇପାରୁଥିଲେ । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ଚୁକ୍ତିବଦ୍ଧ ହୋଇଥିଲେ ।

ଏହି ସୂଚନା ଅନୁଯାୟୀ ୨୦୨୨-୨୩ ବର୍ଷରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଖର୍ଚ୍ଚ ୧୯୦୭ କୋଟି ଟଙ୍କାକୁ ଟପିଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୩୨୦୪ କୋଟି ୫୮ ଲକ୍ଷ ଟଙ୍କାକୁ ଅତିକ୍ରମ କରିଯାଇଛି । ଚଳିତବର୍ଷ ଆର୍ଥକ ବର୍ଷର ପ୍ରଥମ ତିନିମାସ ଅର୍ଥାତ୍‍ ଜୁନ୍‍ ଶେଷସୁଦ୍ଧା ଏ ବାବଦରେ ୯୭୧ କୋଟି ୧୮ଲକ୍ଷ ଟଙ୍କାରୁ ଅଧିକ ବ୍ୟୟହୋଇ ସାରିଲାଣି ।

ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଚଳିତବର୍ଷ ମଇ ମାସରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୪୧,୨୨,୧୪,୭୩୦ ଟଙ୍କା ବ୍ୟୟ ହୋଇଥିବାବେଳେ ଜୁନ୍‍ ମାସରେ ୭୯,୪୨,୩୧,୭୭୩ ଟଙ୍କା ଖର୍ଚ୍ଚ ହୋଇଛି । ତେବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଯେଉଁସବୁ ଡାକ୍ତରଖାନା ସାମିଲ ହୋଇଛନ୍ତି ସେଠାରେ ରୋଗୀଙ୍କ ପ୍ରତି କୌଣସି ପ୍ରକାର ଅବହେଳା ପ୍ରଦର୍ଶନ କରାଯାଉଥିବାର ସରକାରଙ୍କ ନଜରକୁ ଆସିନାହିଁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)