Home News in Odia ରାଜ୍ୟପାଳ ଆଶା ମଉଳି ଗଲା

ରାଜ୍ୟପାଳ ଆଶା ମଉଳି ଗଲା

ଭୁବନେଶ୍ୱର : ଓଡିଶାରୁ ବିଜେପି ଗତ ନିର୍ବାଚନରେ ୨୧ରୁ ୨୦ଟି ଲୋକସଭା ଆସନ ଜିଣିବା ସହ ରାଜ୍ୟ ବିଧାନସଭାରେ ବହୁମତ ହାସଲକରି ସରକାର ଗଢିଥିବାବେଳେ ଦଳର ବହୁ ନେତା ରାଜ୍ୟପାଳ ହେବେ ବୋଲି ଆଶାବାନ୍ଧି ବସିଥିଲେ । ଏବେ ନଅ ଜଣଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ରାଜ୍ୟପାଳ ନିଯୁକ୍ତି କରିଥିବାବେଳେ ସେମାନଙ୍କ ମଧ୍ୟରେ ଓଡିଶାର ଜଣେ ହେଲେ କେହି ନାହାନ୍ତି ।

ବିଜେପି ଶାସନକାଳରେ ପ୍ରଥମେ ଦ୍ରୌପଦୀ ମୁର୍ମୁଙ୍କୁ ଝାଡଖଣ୍ଡର ଏବଂ ପରବର୍ତ୍ତୀ ସମୟରେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ପ୍ରଥମେ ଆନ୍ଧ୍ରପ୍ରଦେଶ ଓ ପରେ ଛତିଶଗଡର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଥିଲା । ଆଜି ଶ୍ରୀ ହରିଚନ୍ଦନ ରାଜ୍ୟପାଳ ପଦରୁ ଅବସର ନେଇ ଆସନ୍ତା କାଲି ଓଡିଶା ଫେରିବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ନେତାମାନେ ଏଥର କେନ୍ଦ୍ରରେ ବିଜେପି ସରକାରକ ଗଠନ ପାଇଁ ଓଡିଶାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିବା ବାରମ୍ବାର ସ୍ୱୀକାର କରିବା ସହ ଓଡିଶା ପ୍ରତି ଅବହେଳା କରାଯିବ ନାହିଁ ବୋଲି କହିଆସୁଥିବାବେଳେ ଏବେ ସୁପ୍ରିମ୍‍କୋର୍ଟରେ କେହି ଓଡିଆ ବିଚାରପତି ନାହାନ୍ତି କିମ୍ବା କୌଣସି ରାଜ୍ୟରେ ଜଣେ ହେଲେ ଓଡିଆ ରାଜ୍ୟପାଳ ନାହାନ୍ତି ।

କୁହାଯାଉଛି ଯେ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ପୁରିବା ପୂର୍ବରୁ ଶ୍ରୀ ହରିଚନ୍ଦନଙ୍କୁ ବିଜେପିର କିଛି କେନ୍ଦ୍ରୀୟ ନେତା ଅନ୍ୟ କେତେକ ଦାୟିତ୍ୱ ଦେବାକୁ ପ୍ରସ୍ତାବ ରଖିଥିଲେ । ତେବେ ନମ୍ରତାର ସହ ଶ୍ରୀ ହରିଚନ୍ଦନ ଏହାକୁ ଏଡାଇ ଯାଇ ଅବଶିଷ୍ଟ ଜୀବନ ଓଡିଶାରେ କାଟିବେ ବୋଲି ଉଲ୍ଲେଖ କରିବା ସହ ତାଙ୍କୁ ୫ବର୍ଷ ଧରି ଦୁଇଟି ରାଜ୍ୟର ରାଜ୍ୟପାଳ ଦାୟିତ୍ୱ ଦେଇଥିବାରୁ ସେ କେନ୍ଦ୍ର ସରକାରଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ କରାଯିବା ପରେ ବିଧାୟକ ଓ ସାଂସଦ ନଥିବା ଓଡିଶାର କୌଣସି ବିଜେପି ନେତାଙ୍କୁ ଏଯାବତ୍‍ ରାଜ୍ୟ କିମ୍ବା କେନ୍ଦ୍ର ସରକାରର କୌଣସି ଦାୟିତ୍ୱରେ ନିଯୁକ୍ତି ମିଳିନାହିଁ । ଅବଶ୍ୟ ୨୦୧୯ ନିର୍ବାଚନରେ ସେତେବେଳର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ହିଞ୍ଜିଳିରୁ ପ୍ରାର୍ଥୀ ହୋଇଥିବା ଓ ପରବର୍ତ୍ତୀ ସମୟରେ ବିଜେପିର ରାଜ୍ୟ ମୁଖପାତ୍ର ଥିବା ପୀତାମ୍ବର ଆଚାର୍ଯ୍ୟଙ୍କୁ ଇତି ମଧ୍ୟରେ ଓଡିଶାର ହାଇକୋର୍ଟର ଆଡଭୋକେଟ ଜେନେରାଲ ଭାବେ ନିଯୁକ୍ତି ମିଳିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ଓଡିଶାବାସୀଙ୍କ ଭାବାବେଗ ସହିତ ଅକୁଣ୍ଠ ସମର୍ଥନକୁ ଆଖିଆଗରେ ରଖି ଦଳୀୟ ନେତାଙ୍କ ସମେତ ଦଳର ବାହାରେ ଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଅବସ୍ଥାପନ କରାଯାଇପାରେ । ଏହାଦ୍ୱାରା ସରକାରଙ୍କ ଭାବମୂର୍ତ୍ତି ବଢିବ ବୋଲି ଆଶା କରାଯାଉଛି ।

ଅତୀତରେ ଜଣାଶୁଣା ଗାନ୍ଧୀବାଦୀ କର୍ମୀ ଡି ଭି ସ୍ୱାମୀଙ୍କୁ ଓଡିଶାରୁ ରାଜ୍ୟସଭାକୁ ପଠାଯାଇଥିଲା । ତାଙ୍କ ପରେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ରାଜ୍ୟସଭାରେ ମନୋନିତ ସଭ୍ୟ ଭାବେ ନିଯୁକ୍ତି ଦିଆଯାଇଥିଲା । ତେବେ ରଘୁନାଥଙ୍କ କାର୍ଯ୍ୟକାଳ ଅଧା ହେବା ପୂର୍ବରୁ ତାଙ୍କର ଦେହାବସାନ ହେବାପରେ ରାଷ୍ଟ୍ରପତିଙ୍କ ମନୋନିତ ସଦସ୍ୟ ଭାବେ ଓଡିଶାରୁ ଆଉ କାହାକୁ ପଠାଯାଇନାହିଁ ।

ରାଜ୍ୟ ସରକାରଙ୍କ ବିଭିନ୍ନ କମିଶନ, ବୋର୍ଡ ଓ ନିଗମ ଆଦିରେ ଥଇଥାନ ହେବାଲାଗି ବହୁ ବିଜେପି ନେତା ଆଶାବାନ୍ଧି ବସିଛନ୍ତି । ଏହାଛଡା ହାଇକୋର୍ଟରୁ ନିମ୍ନ ଅଦାଲତ ପର୍ଯ୍ୟନ୍ତ ସରକାରୀ ପ୍ୟାନେଲରେ ରହିବାପାଇଁ ଦଳର ବହୁ ନେତା ବି ଆଗ୍ରହୀ । ଏ ପରିସ୍ଥିତିରେ ଓଡିଶାରୁ ଅନ୍ୟୁନ ୨ଜଣଙ୍କୁ ନୂଆ ରାଜ୍ୟପାଳ କରାଯିବ ବୋଲି ଯେଉଁ ଆଶା କରାଯାଉଥିବା ତାହା ଏବେ ନିରାଶାରେ ପରିଣତ ହୋଇଛି । (ତଥ୍ୟ)