Home News in Odia ଏ ସରକାର ନେମ୍‍ ଚେଞ୍ଜର

ଏ ସରକାର ନେମ୍‍ ଚେଞ୍ଜର

ଭୁବନେଶ୍ୱର : ନୂଆ ସରକାରର ପ୍ରଥମ ବଜେଟ ପାଇଁ ଅଭିନନ୍ଦନ । ଆମ ସରକାର ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ରୁ ଅଧିକ ଯୋଜନାକୁ ପୁନଃପ୍ରବର୍ତ୍ତନ କରିଥିବାରୁ ସ୍ୱତନ୍ତ୍ର ଅଭିନନ୍ଦନ  । ଆପଣଙ୍କ ବଜେଟର ୮୦% ପାଣ୍ଠି ବିଜୁ ଜନତା ଦଳ ସରକାରଙ୍କ ଦ୍ୱାରା କରାଯାଇଥ‍ିବା ବିଭିନ୍ନ ଯୋଜନା ପାଇଁ ରଖାଯାଇଛି ।

ପରିବର୍ତ୍ତନ ଆଣିବାର ପ୍ରତିଶୃତି ଲୋକଙ୍କୁ ଦେଇ ରାଜ୍ୟରେ ବିଜେପି ସରକାର ଗଡିଛି । ଆପଣଙ୍କ ବଜେଟ ପ୍ରସ୍ତାବ ସବୁ ଅନୁଧ୍ୟାନ କରିବାପରେ ମୁଁ ଦେଖୁଛି ଯେ ପରିବର୍ତ୍ତନ ବା  ଚେଞ୍ଜ୍‍  ଏହି ସରକାର   ଆମ ସରକାର ଙ୍କ ୪୫ ଟି ଯୋଜନାର ନାମ ପରିବର୍ତ୍ତନ କରିଛନ୍ତି । ଭାରତୀୟ ଜନତା ପାର୍ଟି କହିଥିଲା ଯେ ସେମାନଙ୍କ ସରକାର ହେବ  ଗେମ୍‍ ଚେଞ୍ଜର  କିନ୍ତୁ ଦୁର୍ଭାଗ୍ୟ ବଶତଃ ଏହି ସରକାର ନେମ୍‍ ଚେଞ୍ଜର  ହୋଇଯାଇଛି ।

ଏହି ବଜେଟ ରୁ ଜଣାପଡିଛି ଯେ ଆମ ସରକାର ର ୮୦% ଯୋଜନା ର ପୁନଃ ପ୍ରବର୍ତ୍ତନ କରାଯାଇଛି । ଏଥିରୁ ଜଣାପଡୁଛି ଯେ ବିଜେଡି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ଯୋଜନା ଗୁଡିକ ଲୋକାଭିମୁଖୀ, ପ୍ରଗତିଶୀଳ ଏବଂ ଦୃଢ ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ ।  ବାକି ୨୦% ପାଣ୍ଠି ଆବଣ୍ଟନ ଭାରତୀୟ ଜନତା ଦଳ ନିର୍ବାଚନ ଇସ୍ତାହାରରେ ଲୋକଙ୍କୁ ଦେଇଥ‍ିବା ପ୍ରତିଶୃତି ପାଳନ ଦିଗରେ ଖର୍ଚ କରାଯିବ ।  ବିଜେପିର ନିର୍ବାଚନ ଇସ୍ତାହାରର ଗୋଟିଏ ନକଲ ଆମେ ବାଣ୍ଟିଛୁ  । ସେମାନେ  ଦିଆଯାଇଥିବା  ଅନେକ ପ୍ରତିଶୃତି ମଧ୍ୟରୁ ମୁଁ ୩ରୁ ୪ଟି ପ୍ରତିଶୃତି ବିଷୟରେ ରେ କହିବି ।

 ବିଜେପି ନିର୍ବାଚନ ଇସ୍ତାହାରରେ ପ୍ରତିଶୃତି ଦିଆଯାଇଛି ଯେ ସୁଭଦ୍ରା ଯୋଜନାରେ ରାଜ୍ୟର ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଲେଖାଏ ଦିଆଯିବ । ଓଡିଶାରେ ୨କୋଟି ରୁ ଅଧିକ ମହିଳା ଅଛନ୍ତି। ଅଧିକନ୍ତୁ ୨ ବର୍ଷ ଭିତରେ ସବୁ ମହିଳାଙ୍କୁ ଏହି ଅର୍ଥ ଦେବାପାଇଁ  ବିଜେପି ପ୍ରତିଶୃତି ଦେଇଥିଲା । ଏହି ପ୍ରତିଶୃତି ପାଳନ ପାଇଁ

 ଆପଣଙ୍କର ୧ଲକ୍ଷ କୋଟି ଟଙ୍କା ଦରକାର ।  କିନ୍ତୁ ଆପଣ ମାତ୍ର ୧୦ ହଜାର କୋଟି ଟଙ୍କାର ପ୍ରସ୍ତାବ ରଖିଛନ୍ତି  । ଏହା ଦ୍ୱାରା ମାତ୍ର ୧୦% ମହିଳା ଉପକାର ପାଇବେ  । ବାକି ୧ କୋଟି ୮୦ ଲକ୍ଷ ମହିଳା କେବେ ପାଇବେ ?

ସାମାଜିକ ସୁରକ୍ଷା ମାସିକ ଭତ୍ତା ୩୫୦୦ ଟଙ୍କା କରିବା ପାଇଁ ଭାରତୀୟ ଜନତା ପାର୍ଟି  ପ୍ରତିଶ୍ରୁତି  ଦେଇଛନ୍ତି  । ରାଜ୍ୟରେ ମୋଟ ୫୦ ଲକ୍ଷ ହିତାଧିକାରୀ ଅଛନ୍ତି  । କିନ୍ତୁ ବଜେଟର ପ୍ରସ୍ତାବ ଅନୁଯାୟୀ ମାତ୍ର ଏକ ଲକ୍ଷ ହିତାଧିକାରୀ ଉପକାର ପାଇବେ । ଆପଣଙ୍କ ବଜେଟ ରେ ଆପଣ କହିଛନ୍ତି ଯେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏବଂ ୮୦% ଵା ତା ଠାରୁ ଅଧିକ ଅକ୍ଷମ  ବ୍ୟକ୍ତିମାନେ ଏହି ବର୍ଦ୍ଧିତ ଭତ୍ତା ପାଇବେ । ତେବେ ୬୦ରୁ ୮୦ ବର୍ଷ ମଧ୍ୟରେ ଥିବା ବିଧବା , ଭିନ୍ନକ୍ଷମ ଏବଂ ଦୁଃଖି ଲୋକମାନେ କାହିଁକି  ଏଥିରୁ ବଞ୍ଚିତ ହେବେ ? ଆପଣଙ୍କର ଏହି ପ୍ରତିଶ୍ରୁତି ପୁରା କରିବା ପାଇଁ ବାର୍ଷିକ ୨୦,୦୦୦ କୋଟି ଟଙ୍କା ଆବଶ୍ୟକ  ।

ଭାରତୀୟ ଜନତା ପାର୍ଟି ପ୍ରତି ଶ୍ରୁତି  ଦେଇଥିଲେ ଯେ ଧାନର କୁଇଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା ରଖାଯିବ। କିନ୍ତୁ ବଜେଟ ପ୍ରସ୍ତାବରେ ହୋଇଥିବା ସମ୍ବଳ ଆବଣ୍ଟନରୁ ଜଣାପଡୁଛି ଏହା ରାଜ୍ୟର ୩୦% ଚାଷୀଙ୍କ ପାଇଁ ମଧ୍ୟ  ଯଥେଷ୍ଟ ହେବନାହିଁ । ଓଡିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବର୍ଦ୍ଧିତ MSP  ଦେବାପାଇଁ କଣ ଯୋଜନା ରହିଛି ?  ଭାରତୀୟ ଜନତା ପାର୍ଟି ୩୦୦ ୟୁନିଟ୍ ମାଗଣା ବିଜଳି ଦେବପାଇଁ ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦେଇଥିଲେ । ସାରା ଦେଶର ୧ କୋଟି ଘର କୁ ମାଗଣା ବିଜୁଳି ଦେଵା କୁ କେନ୍ଦ୍ର ସରକାର ଯୋଜନା କରିଛନ୍ତି । ତେଣୁ ଓଡିଶା ଭାଗରେ ମାତ୍ର ୩ ଲକ୍ଷ ଘର ପଡିପାରେ । କିନ୍ତୁ ଆମ ରାଜ୍ୟରେ ଦେଢ କୋଟି ଘର ରହିଛି । 

ଲୋକଙ୍କୁ ମାଗଣା ବିଜୁଳି ଯୋଗାଇ ଦେବାପାଇଁ  ଏହା କଣ ଆପଣଙ୍କ ପ୍ରତିଶ୍ରୁତି ? ମୁଁ ଚ୍ୟାଲେଞ୍ଜ କରୁଛି ଯେ ଆଗାମୀ ୫ ବର୍ଷ ମଧ୍ୟରେ ଆମ ରାଜ୍ୟର ଲୋକ ସଂଖ୍ୟାର ୫% ଲୋକଙ୍କୁ ମଧ୍ୟ ୩୦୦ ୟୁନିଟ ମାଗଣା ବିଜୁଳି ଦେବା ପାଇଁ ବିଜେପି ସକ୍ଷମ ହେବନାହିଁ  ।

ସାମାଜିକ ଗଣ ମାଧ୍ୟମରେ ଏହି ଯୋଜନାକୁ ଆପଣ ଏଭଳି ଭାବରେ ଉପସ୍ଥାପନ କଲେ ଯେ ଲୋକମାନେ ଜୁଲାଇରୁ ZERO ବିଜୁଳି ବିଲ୍ ପାଇବାକୁ ଅପେକ୍ଷା କରିଛନ୍ତି । ମୁଁ ଦୁଖିତ ଯେ ଆପଣ ରାଜ୍ୟବାସୀଙ୍କୁ ପ୍ରତାରିତ କରିଛନ୍ତି ।

ଆସନ୍ତା ୩ ବର୍ଷରେ – ୨୦୨୭ ବେଳକୁ ୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରିବା ପାଇଁ ଆପଣ ପ୍ରତିଶୃତି ଦେଇଛନ୍ତି । ଏହାକୁ କାର୍ଯ୍ୟକାରି କରିବାପାଇଁ ଆପଣଙ୍କୁ ୨୦,୦୦୦ କୋଟି ଟଙ୍କା  ଆବଶ୍ୟକ ପଡିବ । କିନ୍ତୁ ଚଳିତ ବଜେଟ ରେ  ମାତ୍ର ୧୦୦୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏହି ମହାନ ଗୃହରେ ପରବର୍ତ୍ତୀ ସମୟରେ ଲକ୍ଷପତି ଦିଦି ମାନଙ୍କର ଏକ ତାଲିକା ବିସ୍ତୃତ ତଥ୍ୟ ସହ ଉପସ୍ଥାପିତ କରିବାପାଇଁ ଦାବୀ ଜଣାଉଛି ।

୨୦୩୬ ସୁଦ୍ଧା ଆପଣ  ଏକ ବିକଶିତ ଓଡିଶାର ପ୍ରତିଶ୍ରୁତି ଦେଇଛନ୍ତି । ଏକ ବିକଶିତ ଓଡିଶା ପାଇଁ ଆପଣଙ୍କ ଦୂରଦର୍ଶୀ ଯୋଜନାର ଏକମାତ୍ର ଉଦାହରଣ ମୁଁ ଏଠାରେ ଉପସ୍ଥାପନ କରୁଛି ।  ରାଉଲକେଲା- ସମ୍ବଲପୁର – ପାରାଦ୍ୱୀପ-ଧାମରା କୁ ସଂଯୁକ୍ତ କରୁଥିବା ଶିଳ୍ପ କରିଡର ପାଇଁ ମାତ୍ର ୨୦ କୋଟି ଟଙ୍କାର ପ୍ରସ୍ତାବ ରଖାଯାଇଛି । କିନ୍ତୁ ଏଭଳି ଏକ କରିଡର

ନିର୍ମାଣ ପାଇଁ ୧ ଲକ୍ଷ କୋଟିରୁ କମ୍ ଖର୍ଚ ହେବନାହିଁ । ‘ଜୁମଲା’ ପାଇଁ ଆପଣଙ୍କ ଦଳ ଜଣାଶୁଣା କିନ୍ତୁ ଓଡିଶାବାସୀ, ଯେଉଁମାନଙ୍କୁ ଆପଣଏକ ବିକଶିତ ଓଡିଶାର ସ୍ୱପ୍ନ ଦେଖାଇଛନ୍ତି ଏହା ସେମାନଙ୍କ ପାଇଁ ନିଷ୍ଠୁର ଉପହାସ ।

ନିର୍ବାଚନ ଜିତିବା ପାଇଁ  ଲୋକଙ୍କୁ ବିଜେପିର ଥିଲା ଏଗୁଡିକ  ମୁଖ୍ୟ ପ୍ରତିଶ୍ରୁତି ।  ଆପଣ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ଯଦି  ପାଳନ ନକରନ୍ତି ତେବେ ଆପଣଙ୍କ ଇସ୍ତାହାର ଓ ବହୁଳ ପ୍ରଚାରିତ ଗ୍ୟାରେଣ୍ଟି ଗୁଡିକ  ମିଥ୍ୟାର ଦସ୍ତାବିଜ ପାଲଟି ଯିବ । ମୁଁ ଆଶା କରୁଛି ଓ ପ୍ରାର୍ଥନା ମଧ୍ୟ କରୁଛି ଯେ ଓଡିଶାବାସୀ ନ ଭାବନ୍ତୁ ମିଥ୍ୟା ତଥା ବୃଥା ସ୍ୱପ୍ନ ଦେଖାଇ ଆପଣ  ନିର୍ବାଚନ ଜିତିଛନ୍ତି । ଏହା ଆମ ରାଜ୍ୟ ତଥା ଜନସାଧାରଣଙ୍କ ପାଇଁ ମଙ୍ଗଳପ୍ରଦ ହେବନାହିଁ ।