Home Agriculture ଆଳୁ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ନାହିଁ

ଆଳୁ ଚାଷ ପାଇଁ ଚାଷୀଙ୍କ ଆଗ୍ରହ ନାହିଁ

ଭୁବନେଶ୍ୱର : ଓଡିଶା ପାଇଁ ବାର୍ଷିକ ପାଖାପାଖି ୧୩ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଆବଶ୍ୟକ ପଡୁଥିବାବେଳେ ରାଜ୍ୟରେ ଅତି ବେଶିରେ ୩ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଉତ୍ପାଦିତ ହେଉଛି । ଯେତିକି ଆଳୁ ଓଡିଶାରେ ଉତ୍ପାଦିତ ହେଉଛି ପର୍ଯ୍ୟାପ୍ତ ସଂଖ୍ୟକ ଶୀତଳଭଣ୍ଡାର ନଥିବାରୁ ଚାଷୀମାନେ ବାଧ୍ୟହୋଇ ବେପାରୀମାନଙ୍କୁ ଅମଳ ସମୟରେ କୁଇଣ୍ଟାଲ ପିଛା ୪୦୦/୫୦୦ ଟଙ୍କାରେ ବିକିବାକୁ ବାଧ୍ୟ ହେଉଥିବାରୁ ଆଳୁଚାଷ ଲାଗି ଚାଷୀମାନଙ୍କ ଭିତରେ ଆଗ୍ରହ କମିଯାଉଛି ।

ପଶ୍ଚିମବଙ୍ଗ ଆଳୁ ନଦେଲେ ଓଡିଶାରେ କିଭଳି ହା ହା କାର ଅବସ୍ଥା ସୃଷ୍ଟିହୁଏ ତାହା ଏବେ ଭୁବନେଶ୍ୱର ସମେତ ସାରା ଓଡିଶାରେ ଲୋକେ ଅନୁଭବ କରୁଛନ୍ତି । ସେହିଭଳି ମହାରାଷ୍ଟ୍ରରୁ ପିଆଜ ନଆସିଲେ ଏବଂ ଆନ୍ଧ୍ର ଓ କର୍ଣ୍ଣାଟକ ଆଦି ରାଜ୍ୟରୁ ପରିବା ନଆସିଲେ ଏଠି ଅବସ୍ଥା ସାଂଘାତିକ । ଏଯାବତ୍‍ ଆମେ ପଶ୍ଚିମବଙ୍ଗର ଫୁଲ ଓ ଆନ୍ଧ୍ର ମାଛ ଉପରେ ବି ନିର୍ଭର କରୁଛୁ ।

ଆଳୁ ଉତ୍ପାଦନ କ୍ଷେତ୍ରରେ ଓଡିଶାକୁ ସ୍ୱାବଲମ୍ବି କରିବାପାଇଁ ୨୦୧୫ ମସିହାରେ ଆରମ୍ଭ ହୋଇଥିଲା ବହୁ ପ୍ରଚାରିତ ଆଳୁ ମିଶନ । ଏଥିପାଇଁ କୋଟି କୋଟି ଟଙ୍କା ବି ରାଜକୋଷରୁ ଗଲା । ଆଳୁ ମିଶନ ମାଧ୍ୟମରେ କେଉଁ ବର୍ଷ କେଉଁ ଜିଲ୍ଲାରେ ଅତି କମ୍‍ରେ କେତେ ହେକ୍ଟର ଜମିରେ ଆଳୁଚାଷ କରାଯିବ ଏବଂ ଏଥିଲାଗି ଚାଷୀଙ୍କୁ ହେକ୍ଟରପିଛା ସହାୟତା ରାଶି ଭାବେରେ କେତେକ ଟଙ୍କା ପ୍ରଦାନ କରାଯିବ ତାହାର ବି ନକ୍ସା ରଖାଗଲା । କିନ୍ତୁ ଆଳୁ ମିଶନରେ କୋଟି କୋଟି ଟଙ୍କା ବରବାଦ ହୋଇଥିବାବେଳେ ଏହି ମିଶନ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଓଡିଶା ଆଳୁ କ୍ଷେତ୍ରରେ ଏବେ ବି ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛି ।

ଆଳୁ ମିଶନର ଲକ୍ଷ୍ୟ ସଫଳ ହୋଇଥିଲେ ୨୦୧୯-୨୦ ବର୍ଷ ବେଳକୁ ଓଡିଶା ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବି ହୋଇଥାନ୍ତା ଏବଂ ବର୍ତ୍ତମାନ ସମୟରେ ବଳକା ରାଜ୍ୟରେ ପରିଣତ ହୋଇ ଆଳୁ ରପ୍ତାନି କରୁଥାନ୍ତା । ଚାଷୀମାନେ ଅଭିଯୋଗ କରୁଛନ୍ତି ଯେ ଆଳୁ ମିଶନ ନାମରେ ବ୍ୟାପକ ଅର୍ଥ ଖୋଲାଖୋଲି ଭାବେ ହରିଲୁଟ୍‍ କରାଗଲା । କେବଳ ସେତିକି ନୁହେଁ, ଉତ୍ପାଦିତ ଆଳୁର ସଂରକ୍ଷଣ ଲାଗି ସର୍ବନିମ୍ନ ସଂଖ୍ୟକ ଶୀତଳଭଣ୍ଡାର ମଧ୍ୟ ରାଜ୍ୟରେ ନିର୍ମାଣ କରାଗଲା ନାହିଁ ।

ଆଳୁ ମିଶନ ଆରମ୍ଭ ହେବାର ୨୦ବର୍ଷ ପୂର୍ବରୁ ଓଡିଶାରେ ଯେତେ ଆଳୁ ଉତ୍ପାଦନ ହେଉଥିଲା କ୍ରମଶଃ ତାହା ହ୍ରାସ ପାଇବାର ପ୍ରମୁଖ କାରଣ ହେଲା ଉତ୍ପାଦିତ ଆଳୁକୁ ଶୀତଳଭଣ୍ଡାରରେ ସଂରକ୍ଷିତ କରି ରଖିବା ସୁବିଧାର ଅଭାବ । ଘନ ଘନ ବିଦ୍ୟୁତ୍‍ କାଟ୍‍, ଚଢା ଦରର ବିଜୁଳି ବିଲ୍‍ ଓ ଅନ୍ୟାନ୍ୟ କାରଣ ଯୋଗୁଁ ବହୁ ଶୀତଳଭଣ୍ଡାର ଅକାମୀ ହୋଇ ପଡିଲା । ଫଳରେ ଆଳୁ ସମେତ ଟମାଟୋ, କୋବି ଓ ଅନ୍ୟାନ୍ୟ ପନିପରବାର ସଂରକ୍ଷଣ ନହେବାରୁ ଚାଷୀମାନେ ଆଳୁ ଅମଳ ସମୟରେ ଅନ୍ୟ ରାଜ୍ୟର ବ୍ୟବସାୟୀମାନଙ୍କୁ ଯାଚି ଗୁଞ୍ଜି କିଲୋ ୨ଟଙ୍କାରୁ ୫ଟଙ୍କା ଦରରେ ବିକିବାକୁ ବାଧ୍ୟ ହେଲେ ।

ଏବେ ପ୍ରତି ବ୍ଲକକୁ ତିନି ଚାରିଟି ଜୋନ୍‍ରେ ବିଭକ୍ତ କରି କେଉଁ ଅଞ୍ଚଳରେ କି ପ୍ରକାର ପନିପରିବା ଚାଷ କରାଯାଇପାରିବ ତାହାର ନକ୍ସା ପ୍ରସ୍ତୁତ କରିବା ସହିତ ଆଳୁ ଓ ଅନ୍ୟାନ୍ୟ ପନିପରିବାର ସଂରକ୍ଷଣ ଲାଗି ଯଦି ପର୍ଯ୍ୟାପ୍ତ ସଂଖ୍ୟକ ଶୀତଳଭଣ୍ଡାର ସୀମିତ ସମୟ ମଧ୍ୟରେ ନିର୍ମାଣ କରାଯାଇପାରିବ ଏବଂ ଉତ୍ପାଦନ ଋତୁରେ ଆଳୁ କିଣିବାର ଦାୟିତ୍ୱ ସରକାର ହାତକୁ ନେବେ ତା ହେଲେ ଦୁଇ ତିନି ବର୍ଷରେ ଓଡିଶା ଆଳୁ ଉତ୍ପାଦନ କ୍ଷେତ୍ରରେ ବଳକା ରାଜ୍ୟରେ ପରିଣତ ହୋଇପାରିବ ବୋଲି ବିଭିନ୍ନ କୃଷକ ସଂଗଠନର ନେତାମାନେ ଦମ୍ଭର ସହ କହୁଛନ୍ତି । (ତଥ୍ୟ)