Home Judiciary ଓଡିଶା ହାଇକୋର୍ଟ କେବେ ?

ଓଡିଶା ହାଇକୋର୍ଟ କେବେ ?

ଭୁବନେଶ୍ୱର : ଆମ ରାଜ୍ୟ ଓଡିଶାର ନାମ ଇଂରାଜୀରେ ଥିବା ‘ଓରିଶା’ ଓ ଭାଷାର ନାମ ଓଡିଆ ପରିବର୍ତ୍ତେ ‘ଓରିଆ’ ଥିଲା । ପ୍ରାୟ ୧୦ବର୍ଷ ତଳେ ସଂସଦରେ ସଂଶୋଧନ ପ୍ରସ୍ତାବ ଅଣାଯାଇ ଇଂରାଜୀ ଓ ହିନ୍ଦୀ ଭାଷାରେ ଆମ ମାତୃଭାଷା ଭଳି ଆମ ରାଜ୍ୟର ନାମକୁ ଓଡିଶା ଓ ଭାଷାର ନାମକୁ ଓଡିଆରେ ସଂଶୋଧିତ କରାଯାଇଥିବାବେଳେ ଆଜିର ଦିନରେ ବି ଆମ ରାଜ୍ୟ ହାଇକୋର୍ଟର ନାମ ‘ଓରିଶା’ ରହିଛି ।

ଏବେ ଅସ୍ମିତା ପ୍ରସଙ୍ଗ ବିଭିନ୍ନ ମହଲରେ ଗତ ନିର୍ବାଚନ ସମୟରୁ ଜୋରଦାର ଉଠାଯାଉଥିବାବେଳେ ହାଇକୋର୍ଟ ଅଫ୍‍ ଓରିଶା କେବେ ହାଇକୋର୍ଟ ଅଫ୍‍ ଓଡିଶାରେ ପରିଣତ ହେବ ସେଥିଘେନି ବୁଦ୍ଧିଜୀବୀ ଓ ଆଇନ୍‍ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଇଂରାଜୀ ରାଜତ୍ୱ ସମୟରେ ଆମ ରାଜ୍ୟ ଓ ଭାଷାର ନାମକୁ ବିକୃତ କରି ଲେଖାଯାଉଥିଲା । କେବଳ ସେତିକି ନୁହେଁ ଆଳି, କଟକ, ନିମାପଡା ଭଳି ରାଜ୍ୟର ବହୁ ସ୍ଥାନର ନାମକୁ ମଧ୍ୟ ଏବେ ବି ଇଂରାଜୀରେ ବିକୃତ କରି ଲେଖାଯାଉଛି । ଏହାର ବି ଏଯାବତ୍‍ ସଂଶୋଧନ ହୋଇନାହିଁ । ଏ ପ୍ରସଙ୍ଗରେ ଇତି ମଧ୍ୟରେ କିଛି ଚିନ୍ତାଶୀଳ ବ୍ୟକ୍ତି ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଗତ ସରକାର ସମୟରେ ଏ ପ୍ରସଙ୍ଗ ବି ଅନେକ ଥର ଉଠିଥିଲା ।

ଅଭିଜ୍ଞ ଆଇନ୍‍ଜୀବୀମାନେ ହାଇକୋର୍ଟର ଓରିଶା ପରିବର୍ତ୍ତେ ଓଡିଶା କରିବା ଲାଗି ରାଜ୍ୟ ସରକାର ହାଇକୋର୍ଟଙ୍କ ସହ ଯୋଗାଯୋଗ କରିବା ପରେ ଏ ପ୍ରସଙ୍ଗ ସୁପ୍ରିମ୍‍କୋର୍ଟ ଓ କେନ୍ଦ୍ର ସରକାରଙ୍କ ନଜରକୁ ଆଣିବାପରେ ଯାଇ ହାଇକୋର୍ଟର ନାମ ଓରିଶାକୁ ଓଡିଶାକୁ ବଦଳିପାରିବ ।

ସଂସଦରେ ସଂଶୋଧନ ବିଧେୟକ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ସ୍ୱୀକୃତିଲାଭ କରି ଆମ ରାଜ୍ୟର ନାମ ହିନ୍ଦୀ ଓ ଇଂରାଜୀ ବନାନରେ ସଂଶୋଧନ ଅଣାଯାଇଥିଲା ଏବଂ ତାହାପରେ ରାଜ୍ୟ ସରକାର ଏକ ଗେଜେଟ ବିଜ୍ଞପ୍ତି ଜାରିକରି ଓରିଶା ପରିବର୍ତ୍ତେ ଓଡିଶା ଓ ଓରିଆ ପରିବର୍ତ୍ତେ ଓଡିଆ ସଂଶୋଧନ ସାରା ରାଜ୍ୟରେ ଲାଗୁ କରିଥିଲେ । ତେବେ ଆଇନ୍‍ଗତ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରଙ୍କ ଏହି ଗେଜେଟ ବିଜ୍ଞପ୍ତି ଓଡିଶା ହାଇକୋର୍ଟ ଏକ ତରଫା ଭାବେ ଲାଗୁ କରିପାରିବେ ନାହିଁ । ଏଥିଲାଗି ଉଭୟ ସୁପ୍ରିମ୍‍କୋର୍ଟ ଓ କେନ୍ଦ୍ର ସରକାରଙ୍କ ଅନୁମୋଦନର ଆବଶ୍ୟକତା ରହିଛି ।

ଦଶ ବର୍ଷ ଧରି ରାଜ୍ୟର ନାମ ସଂଶୋଧିତ ହୋଇସାରିଥିବାବେଳେ ଆଜିର ଦିନରେ ବି ଆମ ରାଜ୍ୟ ହାଇକୋର୍ଟରେ ଦାଖଲ ହେଉଥିବା ମାମଲା ଏବଂ ହାଇକୋର୍ଟଙ୍କ ବିଭିନ୍ନ ରାୟ ଓ ଆଦେଶନାମାରେ ଏବଂ ହାଇକୋର୍ଟର ମୋହର ଠାରୁ ଆରମ୍ଭକରି ଏହାର ନାମଫଳକରେ ଓଡିଶା ପରିବର୍ତ୍ତେ ଓରିଶା ବୋଲି ଲେଖା ରହୁଛି । ତୁରନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଏହି ବ୍ୟାପାରରେ ହସ୍ତକ୍ଷେପ କରିବାପାଇଁ ବିଭିନ୍ନ ମହଲରୁ ଦାବି ଉଠୁଛି । (ତଥ୍ୟ)