ଭୁବନେଶ୍ୱର : ଓଡିଶାରେ ଦୈନିକ ୨୩୫୩ ମେଟ୍ରିକ ଟନ୍ ମାଛ ଦରକାର । ଗଞ୍ଜାମବାସୀଙ୍କ ପାଇଁ ସର୍ବାଧିକ ୨୪୭ ଟନ୍ ମାଛ ଆବଶ୍ୟକ ହେଉଥିବାବେଳେ ଏହା ପଛକୁ ଦ୍ୱିତୀୟ ସ୍ଥାନରେ ରହିଛି ବାଲେଶ୍ୱର ଜିଲ୍ଲା ।
ରାଜ୍ୟରେ ମାଛ ଆବଶ୍ୟକତାକୁ ନେଇ ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟରେ ୨୦୨୩-୨୪ ବର୍ଷରେ ପ୍ରାୟ ୧୧ଲକ୍ଷ ୨୩ ହଜାର ମେଟ୍ରିକ ଟନ୍ ମାଛ ଉତ୍ପାଦିତ ହୋଇଥିଲା । ଏଥି ମଧ୍ୟରେ ୭.୩୪ ଲକ୍ଷ ଟନ୍ ମଧୁରଜଳ ମାଛ ଥିବାବେଳେ ପ୍ରାୟ ୨.୨୭ଲକ୍ଷ ଟନ୍ ସାମୁଦ୍ରିକ ମାଛ ଏବଂ ପ୍ରାୟ ୧.୬୨ ଲକ୍ଷ ମେଟ୍ରିକ ଟନ୍ କ୍ଷାରୀଜଳ ମାଛ ରହିଥିଲା । ତେବେ ଉତ୍ପାଦନ ଠାରୁ କମ୍ ଅର୍ଥାତ୍ ସେହିବର୍ଷ ରାଜ୍ୟରେ ପ୍ରାୟ ୮.୫୬ ଲକ୍ଷ ଟନ୍ ମାଛ ଆବଶ୍ୟକ ଥିଲା ।
ଓଡିଶାରୁ ଉତ୍ପାଦିତ ମାଛ ଅନ୍ୟ ରାଜ୍ୟକୁ ରପ୍ତାନି ହେଉଥିବାବେଳେ ରାଜ୍ୟରେ କିନ୍ତୁ ଅଧିକ ପରିମାଣରେ ମଧୁରଜଳ ମାଛ ଆବଶ୍ୟକ ହେଉଛି । ତେଣୁ ଓଡିଶା ୨୦୨୩-୨୪ ବର୍ଷରେ ଅନ୍ୟ ରାଜ୍ୟକୁ ପ୍ରାୟ ୧.୮୩ଲକ୍ଷ ମେଟ୍ରିକ ଟନ୍ ମାଛ ରପ୍ତାନି କରିଥିବାବେଳେ ୩୩ହଜାର ଟନ୍ରୁ ଅଧିକ ମଧୁରଜଳ ମାଛ ଆମଦାନୀ କରିଛି । ବାହାର ରାଜ୍ୟରୁ ଏହି ପରିମାଣର ମାଛ ଅଣାଯାଇ ରାଜ୍ୟର ଖାଉଟିମାନଙ୍କ ଆବଶ୍ୟକତା ପୂରଣ କରାଯାଉଛି ।
ତେବେ ଓଡିଶାରେ ଦୈନିକ ୨୩୫୩ ମେଟ୍ରିକ ଟନ୍ ମାଛ ଆବଶ୍ୟକ ହେଉଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ମାଛ ଚାହିଦା କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଗଞ୍ଜାମ । ଏହି ଉପକୂଳ ଜିଲ୍ଲାରେ ଦୈନିକ ୨୪୭ ଟନ୍ ମାଛ ଆବଶ୍ୟକ । ସେହଭଳି ଅନ୍ୟତମ ଉପକୂଳ ଜିଲ୍ଲା ବାଲେଶ୍ୱରରେ ଦୈନିକ ୨୪୫ ଟନ୍ ମାଛ ଆବଶ୍ୟକ ହେଉଛି । ଏହି ସୂଚନା ଅନୁଯାୟୀ ପୁରୀରେ ଦୈନିକ ୧୭୦ ଟନ୍ ମାଛ ଆବଶ୍ୟକ ଥିବାବେଳେ ଜଗତ୍ସିଂହପୁରରେ ଦୈନିକ ୧୪୩ ଟନ, ଭଦ୍ରକରେ ୧୩୩ ଟନ୍, କେନ୍ଦ୍ରାପଡାରେ ୧୧୦ ଟନ୍, ବରଗଡରେ ୧୦୮ ଟନ୍ ମାଛ ଆବଶ୍ୟକ ହେଉଛି ।
ସବୁଠାରୁ କମ୍ ମାଛ ଚାହିଦା ରହିଛି କନ୍ଧମାଳ ଜିଲ୍ଲାରେ । ଏହି ଜିଲ୍ଲାରେ ଦୈନିକ ମାତ୍ର ୫ଟନ୍ ମାଛ ଦରକାର ପଡୁଛି । ଗଜପତିରେ ଦୈନିକ ୧୭ ଟନ୍ ମାଛ ଆବଶ୍ୟକ ଥିବାବେଳେ ନୂଆପଡାରେ ୨୦, ରାୟଗଡାରେ ୨୮ ଟନ୍, ଝାରସୁଗୁଡା ଓ କୋରାପୁଟରେ ୨୯ଟନ୍ କରି ଏବଂ ଦେବଗଡରେ ଦୈନିକ ୩୩ଟନ୍ ମାଛ ଆବଶ୍ୟକ ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । ତେବେ ମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି ଯେ ଓଡିଶାର ଆଭ୍ୟନ୍ତରୀଣ ଓ ପଶ୍ଚିମଓଡିଶା ଲୋକଙ୍କ ତୁଳନାରେ ଉପକୂଳ ଓଡିଶାର ଲୋକେ ଯଥେଷ୍ଟ ଅଧିକ ମାଛ ଖାଉଛନ୍ତି । (ତଥ୍ୟ)