Home General ଦାଦନ ସମସ୍ୟା ସରକାରଙ୍କ ପାଇଁ ଆହ୍ୱାନ

ଦାଦନ ସମସ୍ୟା ସରକାରଙ୍କ ପାଇଁ ଆହ୍ୱାନ

ଭୁବନେଶ୍ୱର : ଅନ୍ୟ ରାଜ୍ୟକୁ କାମ ଅନ୍ୱେଷଣରେ ଦାଦନ ଭାବେ ଓଡିଶାରୁ ଶ୍ରମଶକ୍ତି ପଳାୟନ କରିବା ବଡ ସମସ୍ୟା ହୋଇଥିବାବେଳେ ଏହାକୁ ରୋକିବା ଏବେ ନୂଆ ସରକାରଙ୍କ ପାଇଁ ଆହ୍ୱାନ ପାଲଟିଛି । ରାଜ୍ୟରୁ ପାଞ୍ଚ ହଜାରରୁ କମ୍‍ ଶ୍ରମିକଙ୍କୁ ନେବାପାଇଁ ସରକାର ଠିକାଦାରମାନଙ୍କୁ ଲାଇସେନ୍ସ ଦେଇଥିବାବେଳେ ବାସ୍ତବରେ ତାହାଠାରୁ ଢେର ଅଧିକ ଶ୍ରମିକ ଯାଉଥିବା କୁହାଯାଉଛି ।

ସରକାରୀ ହିସାବ ଅନୁଯାୟୀ ଶ୍ରମିକମାନଙ୍କୁ ଅନ୍ୟ ରାଜ୍ୟକୁ ନେବାପାଇଁ ୮୨ଜଣ ଠିକାଦାରଙ୍କୁ ଲାଇସେନ୍ସ ପ୍ରଦାନ କରାଯାଇଛି । ଏମାନେ ବିଭିନ୍ନ ଜିଲ୍ଲାରୁ ୪୮୦୦ ଶ୍ରମିକ ନେବାପାଇଁ ଅନୁମତି ପାଇଛନ୍ତି । ଏଥି ମଧ୍ୟରେ ଦାଦନ ପ୍ରବଣ କୁହାଯାଉଥିବା ବଲାଙ୍ଗିର, ଗଞ୍ଜାମ, ନବରଙ୍ଗପୁର, ନୂଆପଡା ଆଦି ଜିଲ୍ଲାରୁ ସର୍ବାଧିକ ଶ୍ରମିକ ନେବାପାଇଁ ଏହି ଠିକାଦାରମାନେ ଲାଇସେନ୍ସ ହାସଲ କରିଛନ୍ତି ।

ତେବେ ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନଙ୍କ ମତରେ ଏହିସବୁ ଜିଲ୍ଲାରୁ ବହୁଳ ସଂଖ୍ୟାରେ ଶ୍ରମିକମାନେ ଅନ୍ୟ ରାଜ୍ୟକୁ କାମ ଅନ୍ୱେଷଣରେ ଯାଉଛନ୍ତି । ବିଶେଷକରି ତାମିଲନାଡୁ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ଆଦି ରାଜ୍ୟକୁ ଶହ ଶହ ସଂଖ୍ୟାରେ ଶ୍ରମିକମାନେ ଯାଉଥିବାବେଳେ ଏମାନଙ୍କ ସଂଖ୍ୟା ସରକାରୀ ହିସାବକୁ ଆସୁନାହିଁ । ଯେତେବେଳେ ଏହି ଶ୍ରମିକମାନେ ସେଠାରେ କୌଣସି ସମସ୍ୟାରେ ପଡୁଛନ୍ତି ସେତେବେଳେ ସେମାନଙ୍କ ସଂକ୍ରାନ୍ତରେ ସରକାରଙ୍କ ନିକଟରେ ଖବର ପହଞ୍ଚୁଛି ।

ବର୍ତ୍ତମାନ ଏହିସବୁ ଜିଲ୍ଲାରୁ କିଭଳି ଅଧିକ ଦାଦନ ନଯିବେ ତାହା ଉପରେ ନୂଆ ସରକାରଙ୍କ ନଜର ରହିବ । କାରଣ ଗତ ବିଧାନସଭା ନିର୍ବାଚନରେ ଦାଦନ ଅନ୍ୟତମ ମୁଖ୍ୟ ପ୍ରସଙ୍ଗ ରହିଥିଲା । ତେବେ ଏହି ଶ୍ରମିକମାନଙ୍କୁ କିଭଳି ରାଜ୍ୟ ଭିତରେ କର୍ମସଂସ୍ଥାନ ଯୋଗାଇ ଦିଆଯାଇପାରିବ ତାହା ଏକ ବଡ ଆହ୍ୱାନ ହୋଇଛି ।

ଦାଦନ ଚାଲାଣକୁ ରୋକିବାପାଇଁ ଗତ ସରକାର ସମୟରେ ଏମ୍‍ଜିନରେଗା ଯୋଜନାରେ ଶ୍ରମମ ଦିବସ ସଂଖ୍ୟାକୁ ୯ଟି ଜିଳ୍ଲା ଯଥା ବଲାଙ୍ଗିର, ବରଗଡ, କଳାହାଣ୍ଡି, ନୂଆପଡା, ଗଜପତି, କୋରାପୁଟ, ନବରଙ୍ଗପୁର, ରାୟଗଡା ଓ କନ୍ଧମାଳ ଜିଲ୍ଲାର ୩୦ଟି ଦାଦନ ପ୍ରବଣ ବ୍ଲକରେ ବୃଦ୍ଧି କରାଯାଇଥିଲା । ରାଜ୍ୟ ବଜେଟ୍‍ରେ ଏଥିପାଇଁ ଅତିରିକ୍ତ ୨୦୦ ଦିନର କାର୍ଯ୍ୟଦିବସ ସହିତ ପ୍ରତ୍ୟେକ ବ୍ୟକ୍ତିଙ୍କ ଲାଗି ଦେନିକ ୩୫୨ ଟଙ୍କାର ସର୍ବନିମ୍ନ ମଜୁରୀ ଧାର୍ଯ୍ୟ ହୋଇଥିଲା ।

ତେବେ ଏମ୍‍ଜିନରେଗା ଯୋଜନାରେ କାମ କରିବାକୁ ଗାଁ ଗହଳର ଅନେକ ଲୋକେ ଅମଙ୍ଗ ହେଉଛନ୍ତି । ଗୋଟିଏ ପଟେ ଦରଦାମକୁ ଦୃଷ୍ଟିରେ ରଖି ଏଥିରେ ମଜୁରୀ ପରିମାଣ କମ୍‍ ହୋଇଥିବାବେଳେ ଅନ୍ୟକଟେ ମାଟି କାମ କରିବା ବଦଳରେ ଅନ୍ୟ ରାଜ୍ୟରେ ଯାଇ ଇଟାଭାଟି, ଚିଙ୍ଗୁଡି ପ୍ରକ୍ରିୟାକରଣ କେନ୍ଦ୍ର ଓ ଅନ୍ୟାନ୍ୟ କଳ କାରଖାନାରେ କାମ କରିବାକୁ ଏମାନେ ଶ୍ରେୟ ମଣୁଛନ୍ତି ।

ଗୋଟିଏ ପଟେ ପଡୋଶୀ ପଶ୍ଚିମବଙ୍ଗ, ଝାଡଖଣ୍ଡ ଓ ଛତିଶଗଡର ଶ୍ରମିକମାନେ ବହୁଳ ସଂଖ୍ୟାରେ ଆସି ଓଡିଶାରେ କୃଷି ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ପଶ୍ଚିମ ଓଡିଶାରୁ ବହୁ ସଂଖ୍ୟାକ ଶ୍ରମିକ ରାଜ୍ୟ ବାହାରକୁ ଯାଉଛନ୍ତି । ତେଣୁ ଓଡିଶାରେ ଥିବା କୁଶଳୀ ଶ୍ରମିକମାନଙ୍କୁ ରାଜ୍ୟ ଭିତରେ କାର୍ଯ୍ୟ ଯୋଗାଇବା ସହିତ ଦାଦନ ସମସ୍ୟାର ସମାଧାନ ଏବେ ନୂଆ ସରକାରଙ୍କ ପାଇଁ ଆହ୍ୱାନ ହୋଇଛି । (ତଥ୍ୟ)