ଭୁବନେଶ୍ୱର : ପୁରୀ ଶ୍ରୀମନ୍ଦିର ସଂକ୍ରାନ୍ତରେ ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଯେଉଁ ରିପୋର୍ଟ ଦେଇଥିଲେ ତାହା କାର୍ଯ୍ୟକାରୀ ହୋଇଥିଲେ ଶ୍ରୀମନ୍ଦିର ସେବାରୁ ଗଜପତି ପରମ୍ପରା ଓ ସେବାୟତମାନଙ୍କ ପାରିବାରିକ ସେବା ପ୍ରାୟ ୪୦ବର୍ଷ ଧରି ବନ୍ଦହୋଇ ସାରନ୍ତାଣି ।
ଶ୍ରୀମନ୍ଦିରରେ ଉପୁଜୁଥିବା ବିଭିନ୍ନ ବିଭ୍ରାଟ ତାଙ୍କ ନଜରକୁ ଆସିବାପରେ ୧୯୭୮ ମସିହାରେ ସେତେବେଳର ରାଜ୍ୟପାଳ ଭଗବତ ଦୟାଲ ଶର୍ମା ତାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଥିଲେ । ଯେଉଁଥିରେ ଗଜପତିଙ୍କ ସମେତ ଡକ୍ଟର ହରେକୃଷ୍ଣ ମହାତାବ, ଡକ୍ଟର ରାଧାନାଥ ରଥ, ଜଷ୍ଟିର ହରିହର ମହାପାତ୍ରଙ୍କ ଭଳି ବହୁ ବିଶିଷ୍ଟ ବ୍ୟକ୍ତି ସଦସ୍ୟ ଥିଲେ । ଏହି କମିଟିର ବୈଠକ ଏକାଧିକଥର ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା । ଶେଷରେ ରାଜ୍ୟପାଳଙ୍କ ପକ୍ଷରୁ ଏକ ଚିଠା ପ୍ରସ୍ତାବ ସଦସ୍ୟମାନଙ୍କ ମଧ୍ୟରେ ବିତରଣ କରାଯାଇଥିଲା ।
ସେତେବେଳେ ଏହି ଚିଠା ପ୍ରସ୍ତାବରେ ଶ୍ରୀମନ୍ଦିର ସେବାରୁ ଗଜପତିଙ୍କୁ ଅବ୍ୟାହତି ଦେବାକୁ ଉଲ୍ଲେଖ ଥିବା ପରିପ୍ରେକ୍ଷୀରେ ନିଜେ ଗଜପତି ଏହି କମିଟିରୁ ଇସ୍ତଫା ଦେଇଥିଲେ । ଏହାଛଡା ପୁରୁଷାନୁକ୍ରମେ ବିଭିନ୍ନ ବର୍ଗର ସେବାୟତମାନଙ୍କୁ ଉଚ୍ଛେଦ କରି କର୍ମଚାରୀଙ୍କ ଭଳି ନିଯୁକ୍ତି ବିଜ୍ଞାପନ ମାଧ୍ୟମରେ ସେବାୟତ ଚୟନ ପାଇଁ ମଧ୍ୟ ପ୍ରସ୍ତାବ ଥିଲା । ରାଜ୍ୟପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିର ପ୍ରସ୍ତାବ ସବୁ ସେ ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଜଗନ୍ନାଥପ୍ରେମୀଙ୍କ ମହଲରେ ଗଭୀର ଉଦବେଗ ଦେଖାଦେଇଥିଲା ।
ଏହି ରିପୋର୍ଟର ସୁପାରିଶ୍କୁ କାର୍ଯ୍ୟକାରୀ କରିବାପାଇଁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ ଏବଂ ସେତେବେଳର ଆଇନ୍ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ମଧ୍ୟ ଏକାଧିକବାର ବିସ୍ତୃତ ଆଲୋଚନା କରିଥିଲେ । ତେବେ ସେ ସମୟରେ ଶ୍ରୀମନ୍ଦିର ପରମ୍ପରା ଓ ତାହାର ଐତିହ୍ୟ ସମ୍ପର୍କରେ ଶ୍ରୀ ହରିଚନ୍ଦନ ରାଜ୍ୟପାଳଙ୍କୁ ବୁଝାଇବା ସହିତ ଗଜପତି ପରମ୍ପରାକୁ ବାଦ୍ ଦେଇ ଶ୍ରୀମନ୍ଦିର ପ୍ରଶାସନ ଓ ସେବା ଚାଲିପାରିବ ନାହିଁ ବୋଲି କହିଥିଲେ । ଏହାଛଡା ପୂର୍ବକାଳରୁ ଯେଉଁ ବଂଶାନୁକ୍ରମିକ ସେବା ପରମ୍ପରା ରହିଛି ତାହା ବଳବତ୍ତର ରଖିବାର ଆବଶ୍ୟକତା ସଂକ୍ରାନ୍ତରେ ଅବହିତ କରାଇବାରେ ରାଜ୍ୟପାଳ ତାଙ୍କ ଜିଦରୁ ଓହରିଥିଲେ ।
ତେବେ ଏହି ରିପୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ନିୟମିତ ବ୍ୟବଧାନରେ ଯାଞ୍ଚ ଏବଂ ଅନ୍ୟାନ୍ୟ ସ୍ଥାବର ଅସ୍ଥାବର ସମ୍ପତ୍ତିର ସୁରକ୍ଷା ସହିତ ଆଇନ୍ରେ ସଂଶୋଧନ ପାଇଁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ କାର୍ଯ୍ୟକାରୀ କରିବାକୁ ଯାଇ ଶ୍ରୀ ହରିଚନ୍ଦନ ମନ୍ଦିର ପରିଚାଳନା କମିଟିର ସୁପାରିଶ୍ ଆଧାରରେ ରତ୍ନଭଣ୍ଡାରରେ ରଖାଯାଇଥିବା ସମସ୍ତ ସାମଗ୍ରୀର ପୂର୍ଣ୍ଣାଙ୍ଗ ତାଲିକା ପ୍ରସ୍ତୁତ କରିବାପାଇଁ ପଦକ୍ଷେପ ନେଇଥିଲେ । ଏହି ଆଧାରରେ ୧୯୭୮ ମଇ ୧୩ରୁ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨ମାସ ୧୧ଦିନ ଧରି ରତ୍ନଭଣ୍ଡାର ସାମଗ୍ରୀର ଗଣତି ମଣତି କରାଯାଇଥିଲା ।
ସେତେବେଳେ ଗଣତି ମଣତିରୁ ଜଣାପଡିଥିଲା ଯେ ମୂଲ୍ୟବାନ ପଥର ସହିତ ରତ୍ନଭଣ୍ଡାରରେ ୧୨,୮୩୧ ଭଳି ଏକ ଅଣା ଓଜନର ସୁନା ଓ ୨୨,୧୫୩ ଭରି ଓଜନର ରୂପା ସାମଗ୍ରୀ ରହିଥିଲା । ଏବେ ୪୬ବର୍ଷ ଭିତରେ ରତ୍ନଭଣ୍ଡାରର ଆଉ ସୁମାରି ହୋଇନାହିଁ । ଇତି ମଧ୍ୟରେ ଶ୍ରଦ୍ଧାଳୁମାନେ ଅନେକ ସୁନା, ରୂପା ଆଦି ଶ୍ରୀଜୀଉମାନଙ୍କୁ ଭେଟି ଦେଇଛନ୍ତି । ତେଣୁ ସେତେବେଳେ ଯଦି ପ୍ରାୟ ୧୪୯ କିଲୋ ସୁନା ଓ ୨୫୮ କିଲୋ ରୂପା ସାମଗ୍ରୀ ଥିଲା ତେବେ ବିଗତ ୪୬ବର୍ଷ ମଧ୍ୟରେ ଏହାର ପରିମାଣ ଢେର ଅଧିକ ବୃଦ୍ଧି ପାଇଥିବ ବୋଲି ଆଶା କରାଯାଉଛି । (ତଥ୍ୟ)