ଭୁବନେଶ୍ୱର : ରାଜ୍ୟରେ ଏବେ ଗୁରୁତର ରକ୍ତ ସଙ୍କଟ ସ୍ଥିତି ଉପୁଜୁଛି । ସ୍ୱେଚ୍ଛାକୃତ ରକ୍ତ ସଂଗ୍ରହ ହ୍ରାସ ପାଇଥିବାରୁ ରୋଗୀଙ୍କ ଠାରୁ ଆରମ୍ଭ କରି ଗୁରୁତର ଥାଲାସେମିଆ ରୋଗୀମାନେ ମଧ୍ୟ ଠିକଣା ସମୟରେ ରକ୍ତ ଟିକେ ପାଇପାରୁ ନାହାନ୍ତି ।
ରାଜ୍ୟରେ ଥିବା ରକ୍ତଭଣ୍ଡାରଗୁଡିକରେ ବିଭିନ୍ନ ସୂତ୍ରରୁ ରକ୍ତ ସଂଗ୍ରହ ହୋଇ ରହିଥାଏ । ରୋଗୀମାନେ ଆବଶ୍ୟକ ସମୟରେ ଏଠାରୁ ରକ୍ତ ନେଇଥାନ୍ତି । ଅଧିକାଂଶ ରକ୍ତ ବିଭିନ୍ନ ସ୍ୱେଚ୍ଛାକୃତ ରକ୍ତଦାନ କାର୍ଯ୍ୟକ୍ରମ ଜରିଆରେ ହିଁ ଆସିଥାଏ । ଏ କ୍ଷେତ୍ରରେ ବିଜେଡିର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅଗ୍ରଣୀ ଭୂମିକା ଗ୍ରହଣ କରିଥିଲା । ବର୍ଷ ତମାମ ଏହି ସଂସ୍ଥା ରକ୍ତଦାନ ଶିବିର ଆୟୋଜନ କରୁଥିଲା । ତେବେ ବିଜେଡି ସରକାର କ୍ଷମତାରୁ ଯିବାପରେ ଜୀବନ ବିନ୍ଦୁ ଏକ ପ୍ରକାର ଅଚଳ ହୋଇପଡିଛି । ତେବେ ରାଜ୍ୟରେ ଅନ୍ୟ କୌଣସି ରାଜନୈତିକ ସଂଗଠନର ରକ୍ତ ସଂଗ୍ରହ ପାଇଁ ସ୍ୱତନ୍ତ୍ର ଶାଖା ନଥିବାରୁ ବିଜେପି ଓଡିଶାରେ ଶାସନ କ୍ଷମତାକୁ ଆସିବାପରେ ରକ୍ତ ସଂଗ୍ରହ ହ୍ରାସ ପାଇଛି । କମିଶନରେଟ ପୁଲିସ୍ର ଆଞ୍ଚଳିକ ରେଡକ୍ରସ ଶାଖା କିଛି ସ୍ୱେଚ୍ଛାସେବୀଙ୍କ ଜରିଆରେ ଯେଉଁ ପରିମାଣରେ ରକ୍ତ ସଂଗ୍ରହ କରୁଛନ୍ତି ତାହା ପର୍ଯ୍ୟାପ୍ତ ହେଉନାହିଁ ।
ସେହିଭଳି ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମଧ୍ୟ ରକ୍ତ ସଂଗ୍ରହ ଗୁରୁତର ପ୍ରଭାବିତ ହେବାରେ ଲାଗିଛି । ଛୋଟ ଛୋଟ ରକ୍ତଦାନ ଶିବିର ଆୟୋଜନ ପାଇଁ ମଧ୍ୟ ସ୍ୱେଚ୍ଛାସେବୀମାନେ ପଛଘୁଞ୍ଚା ଦେଉଛନ୍ତି । ଏଥିପାଇଁ ସରକାରୀ ରକ୍ତଭଣ୍ଡାଗୁଡିକରେ ଏବେ ରକ୍ତ ଅଭାବ ପରିଲକ୍ଷିତ ହୋଇଛି । ରାଜଧାନୀର କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ରକ୍ତଭଣ୍ଡାର ଉପରେ ସାତଶହରୁ ଅଧିକ ଥାଲାସେମିଆ ରୋଗୀ ନିର୍ଭରଶୀଳ ଅଛନ୍ତି । ଏମାନଙ୍କୁ ନିୟମିତ ଭାବେ ରକ୍ତ ଯୋଗାଇ ଦିଆଯାଇଥାଏ । ହେଲେ ବର୍ତ୍ତମାନ ରକ୍ତ ସଂକଟ ଯୋଗୁଁ ଯେଉଁ ଥାଲାସେମିଆ ଆକ୍ରାନ୍ତଙ୍କ ହିମୋଗ୍ଲୋବିନ୍ ଅତି ତଳକୁ ଖସୁଛି ସେମାନଙ୍କୁ ହିଁ ଅଗ୍ରାଧିକାର ଭିତ୍ତିରେ କର୍ତ୍ତୃପକ୍ଷ ରକ୍ତ ଯୋଗାଇ ଦେଉଛନ୍ତି ।
ସେହିଭଳି ରକ୍ତ ନେବାପାଇଁ ରକ୍ତ ଦେବା ଜରୁରୀ ହୋଇ ପଡିଥିବାବେଳେ ଅନେକ ରୋଗୀଙ୍କ ସମ୍ପର୍କୀୟ କିନ୍ତୁ ରକ୍ତଦାନ ପାଇଁ କୁନ୍ଥୁ କୁନ୍ଥୁ ହେଉଛନ୍ତି । ଏହା ରକ୍ତ ସଙ୍କଟର ଅନ୍ୟତମ କାରଣ ବୋଲି ଜଣାପଡିଛି । ଏଥିଯୋଗୁଁ ଏବେ ବିଭିନ୍ନ ଘରୋଇ ଡାକ୍ତରଖାନାଗୁଡିକରେ ରକ୍ତର ଦର ଅଧିକ ରହୁଛି ।
ଅନ୍ୟ ପକ୍ଷରେ ବଡ ବଡ ଡାକ୍ତରଖାନାର ନିଜସ୍ୱ ରକ୍ତଭଣ୍ଡାର ଥିବାବେଳେ ଛୋଟ ଓ ମଧ୍ୟମ ଧରଣର ଡାକ୍ତରଖାନାଗୁଡିକ କିନ୍ତୁ ସରକାରୀ ରକ୍ତଭଣ୍ଡାର ଉପରେ ନିର୍ଭରଶୀଳ ରହୁଛନ୍ତି । ଏହିସବୁ ଡାକ୍ତରଖାନାଗୁଡିକ ନିଜର ଆବଶ୍ୟକତା ମେଣ୍ଟାଇବା କିମ୍ବା ସରକାରୀ ରକ୍ତଭଣ୍ଡାରରେ ମହଜୁଦ ବୃଦ୍ଧି ପାଇଁ ରକ୍ତଦାନ ଶିବିର ଆୟୋଜନ କରିବାରେ ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି । ଅଥଚ ରକ୍ତ ପାଇଁ ସମ୍ପୂର୍ଣ୍ଣ ଭାବେ ସରକାରୀ ରକ୍ତଭଣ୍ଡାର ଉପରେ ନିର୍ଭରଶୀଳ ହୋଇପଡୁଥିବାରୁ ଥାଲାସେମିଆ ରୋଗୀଙ୍କ ଠାରୁ ଆରମ୍ଭ କରି ସରକାରୀ ଡାକ୍ତରଖାନାର ରୋଗୀମାନେ ରକ୍ତ ପାଇବାପାଇଁ ସମସ୍ୟାରେ ପଡୁଛନ୍ତି । (ତଥ୍ୟ)