Home Education କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କର

କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି କର

ଭୁବନେଶ୍ୱର : ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ସଜାଡିବାପାଇଁ ନୂଆ ସରକାର ଏବେ ଶିକ୍ଷକ ନିଯୁକ୍ତି ଉପରେ ଜୋର ଦେଉଥିବାବେଳେ କମ୍ପ୍ୟୁଟର ଶିକ୍ଷାପାଇଁ ସମସ୍ତ ଭିତ୍ତିଭୂମି ଥିବା ବିଦ୍ୟାଳୟଗୁଡିକରେ କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ଦେବାପାଇଁ ମତପ୍ରକାଶ ପାଉଛି । କଳା, ବିଜ୍ଞାନ ଆଦି ବିଷୟର ଶିକ୍ଷକଙ୍କ ଅଭାବକୁ କର୍ତ୍ତୃପକ୍ଷ କୌଣସି ପ୍ରକାରେ ସମ୍ଭାଳି ନେଉଥିବାବେଳେ କମ୍ପ୍ୟୁଟର ଶିକ୍ଷକ ଅଭାବ ଯୋଗୁଁ କିନ୍ତୁ ଭିତ୍ତିଭୂମି ନଷ୍ଟ ହେବାରେ ଲାଗିଛି ।

ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ ଲାଗି ରାଜ୍ୟର ୪ହଜାର ବିଦ୍ୟାଳୟରେ କମ୍ପ୍ୟୁଟର ଲାବ୍‍ ପ୍ରତିଷ୍ଠା କରାଯାଇଥିଲା । ଏଥିପାଇଁ କେନ୍ଦ୍ର ସରକାର ଅର୍ଥ ଯୋଗାଇ ଦେଇଥିଲେ । ଏହି ଲାବ୍‍ରେ କମ୍ପ୍ୟୁଟର ସହିତ ପ୍ରିଣ୍ଟର, ପ୍ରୋଜେକ୍ଟର, ଇଣ୍ଟରନେଟ୍‍ ଆଦି ରହିଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଠପଢାରେ କମ୍ପ୍ୟୁଟର ଶ୍ରେଣୀ ରହିଥିଲା ଏବଂ ଛାତ୍ରଛାତ୍ରୀମାନେ ସେହି ସମୟରେ ଲାବ୍‍କୁ ଆସି କମ୍ପ୍ୟୁଟର ପାଠ ପଢୁଥିଲେ ।

ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ କର୍ତ୍ତୃପକ୍ଷ କମ୍ପ୍ୟୁଟର ପାଠ ପଢାଇବାପାଇଁ ଠିକା କମ୍ପ୍ୟୁଟର ଶିକ୍ଷକମାନଙ୍କୁ ରଖିଥିଲେ । ଯୋଜନା ଥିଲା ଏମାନେ ପିଲାଙ୍କୁ କମ୍ପ୍ୟୁଟର ପଢାଇବା ସହିତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ମଧ୍ୟ କମ୍ପ୍ୟୁଟର ତାଲିମ ଦେବେ । ବଛା ବଛା ଶିକ୍ଷକମାନେ କମ୍ପ୍ୟୁଟର ତାଲିମ ପାଇଲାପରେ ସେମାନେ ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ କମ୍ପ୍ୟୁଟର ପାଠପଢାଇବେ ।

ହେଲେ ଏହି ଯୋଜନା ଏକ ପ୍ରକାର ବାଟବଣା ହୋଇଗଲା । ଯେଉଁ ଠିକା କମ୍ପ୍ୟୁଟର ଶିକ୍ଷକମାନେ ନିଯୁକ୍ତ ହେଲେ ସେମାନେ ପିଲାଙ୍କୁ ପାଠ ପଢାଇବା ସହିତ ବିଦ୍ୟାଳୟର ସମସ୍ତ କାର୍ଯ୍ୟରେ ସାମିଲ ହେଲେ । ପିଲାଙ୍କ ଫର୍ମ ପୂରଣ ଠାରୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନ୍‍ଲାଇନ୍‍ରେ ହେଉଥିବାରୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି କମ୍ପ୍ୟୁଟର ପ୍ରଶିକ୍ଷକଙ୍କୁ କାମରେ ଲଗାଇଦେଲେ । ତେବେ ନିଜେ କମ୍ପ୍ୟୁଟର ତାଲିମ ନେବାକଥା ଭୁଲିଗଲେ । ଅଧିକାଂଶ ବିଦ୍ୟାଳୟରେ ଆବଶ୍ୟକ ନିୟମିତ ଶିକ୍ଷକ ନଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହେଲା ।

ପରବର୍ତ୍ତୀ ସମୟରେ ଏହି ଠିକା ଶିକ୍ଷକମାନଙ୍କୁ କାର୍ଯ୍ୟରୁ ଦୂରେଇ ଦିଆଗଲା । ଏମାନେ ନିଯୁକ୍ତି ଦାବି କରି ଦୀର୍ଘଦିନ ବିଧାନସଭା ସାମ୍ନାରେ ଧାରଣାରେ ବି ବସିଥିଲେ । ହେଲେ ସରକାର ସେଭଳି କୌଣସି କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ । ଏହା ପରଠାରୁ ହାଇସ୍କୁଲଗୁଡିକରେ ଥିବା କମ୍ପ୍ୟୁଟର ଲାବ୍‍ ଏକ ପ୍ରକାର ଅଚଳ । ହଜାର ହଜାର ସଂଖ୍ୟାରେ କମ୍ପ୍ୟୁଟର ଖତ ଖାଇଗଲାଣି । ଅନ୍ୟାନ୍ୟ ସାମଗ୍ରୀର ବି ଅନୁରୂପ ଅବସ୍ଥା । ଶିକ୍ଷକ ଅଭାବରୁ କମ୍ପ୍ୟୁଟର ଶିକ୍ଷା ଦିଆଯାଇ ପାରୁନାହିଁ ।

ତେଣୁ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ଲାଗି ପ୍ରକ୍ରିୟା ଆରମ୍ଭ କରିଥିବାରୁ କମ୍ପ୍ୟୁଟର ପାଠ ପଢାଇବାପାଇଁ ମଧ୍ୟ ପ୍ରଶିକ୍ଷକ ନିଯୁକ୍ତି ଲାଗି ଅଭିଭାବକମାନେ ମତ ଦେଉଛନ୍ତି । ବର୍ତ୍ତମାନ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ଆରମ୍ଭକରି ଘରୋଇ ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠାରେ ପିଲାଙ୍କୁ କମ୍ପ୍ୟୁଟର ତାଲିମ ଦିଆଯାଉଥିବାବେଳେ ଭିତ୍ତିଭୂମି ଥିବା ରାଜ୍ୟର ସରକାରୀ ବିଦ୍ୟାଳୟଗୁଡିକରେ ଅନୁରୂପ ଭାବେ କମ୍ପ୍ୟୁଟର ପାଠପଢା ଲାଗି ଛାତ୍ରଛାତ୍ରୀ ଓ ଅଭିଭାବକମାନେ କହିଛନ୍ତି । (ତଥ୍ୟ)