Home News in Odia ଓଡ଼ିଶାର ଗାଡି ଚାଳକଙ୍କୁ ଜାପାନରେ ନିଯୁକ୍ତି

ଓଡ଼ିଶାର ଗାଡି ଚାଳକଙ୍କୁ ଜାପାନରେ ନିଯୁକ୍ତି

ଭୁବନେଶ୍ୱର : ଓଡ଼ିଶାର ଦକ୍ଷ ଚାଳକଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କ୍ଷେତ୍ରରେ ସଫଳତା । ଜାପାନରେ ଉଚ୍ଚ ବେତନ ଓ ସୁବିଧା ସୁଯୋଗ ସହ ଚାକିରି କରିବାକୁ ଯିବେ ଓଡ଼ିଶାର ୩୦ ଗାଡି ଚାଳକ । ଏହି ଅବସରରେ ଆଜି ଖାରବେଳ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ସଫଳତା ହାସଲ କରିଥିବା ଚାଳକମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ବାଣିଜ୍ୟ ଓ ପରିବହନ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ଓଡ଼ିଶାର ଚାଳକମାନଙ୍କ ନିଯୁକ୍ତି ଦିଗରେ ସକ୍ରିୟ ପଦକ୍ଷେପ ନେଇଆସୁଛି ବାଣିଜ୍ୟ ଓ ପରିବହନ ବିଭାଗ । ପୂର୍ବରୁ ରାଜ୍ୟ ତଥା ଦେଶ ମଧ୍ୟରେ ଅନେକ ପ୍ରତିଷ୍ଠିତ କମ୍ପାନୀ ମାଧ୍ୟମରେ ନିଯୁକ୍ତି ବ୍ୟବସ୍ଥା କରାଯାଇଥିଲା । ଏବେ ଏଥିରେ ଆଉ ଦୁଇ ପାଦ ଆଗକୁ ଯାଇ ବିଦେଶରେ ମଧ୍ୟ ଓଡ଼ିଶାର ସୁବାହକଙ୍କ ପାଇଁ ନିଯୁକ୍ତି ବ୍ୟବସ୍ଥା ହୋଇପାରିଛି । ଆମ ରାଜ୍ୟର ଚାଳକମାନେ ଜାପାନ ଦେଶରେ ଉଚ୍ଚବେତନ ତଥା ସୁବିଧା ସୁଯୋଗରେ ଚାକିରି କରିବେ ।

ଚାଳକମାନଙ୍କ ନିମନ୍ତେ ଏଭଳି ଅଭିନବ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ଓଡ଼ିଶା ହେଉଛି ଦେଶରେ ପ୍ରଥମ ରାଜ୍ୟ । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର 30 ଜଣ ସୁବାହକ ଜାପାନ ଯିବାକୁ ଚୟନ ହୋଇଛନ୍ତି । ଜାପାନର ପ୍ରତିନିଧି ମଣ୍ଡଳି ଓ ଦେଶର ପ୍ରତିଷ୍ଠିତ ସଂସ୍ଥା ନାଭିସ ଏଚଆର ଦ୍ୱାରା ଏହି ନିଯୁକ୍ତି ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତି ଚାରିଟି ଭାରୀଯାନ ପ୍ରଶିକ୍ଷଣ କେନ୍ଦ୍ରରୁ ଉତ୍ତୀର୍ଣ୍ଣ ହୋଇଥିବା୧୮୦ ସୁବାହକ ଏଥିରେ ଭାଗ ନେଇଥିଲେ । 

ଜାପାନ ଯିବା ପୂର୍ବରୁ ଏହି ଚାଳକମାନେ ବେଙ୍ଗାଲୁରୁ ଯିବେ । ସେଠାରେ ସେମାନଙ୍କୁ ଜାପାନ ଦେଶର ଭାଷା, ଚାଲିଚଳଣ, ନୀତିନିୟମ ସଂପର୍କରେ ପ୍ରଶିକ୍ଷଣ ଦିଆଯିବ । ସେମାନଙ୍କ ପାସପୋର୍ଟ, ଭିସା ବ୍ୟବସ୍ଥା ମଧ୍ୟ କରାଯିବ । ଏ ବାବଦରେ ପ୍ରତି ଚାଳକ ପିଛା ୨ ଲକ୍ଷ ୩୦ ହଜାର ଟଙ୍କା ଖର୍ଚ୍ଚ କରାଯିବ ।

 ସଡ଼କ ସୁରକ୍ଷା କ୍ଷେତ୍ରରେ ରାଜ୍ୟ ପରିବହନ ପ୍ରାଧିକରଣ ନିୟମିତ ଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛି । ରାସ୍ତା ଦୁର୍ଘଟଣା ହ୍ରାସ କରିବାକୁ ଚାଳକମାନଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ବିଭାଗ ପକ୍ଷରୁ ସୁବାହକ ଯୋଜନା କାର୍ଯ୍ୟକାରୀ ହେଉଛି । ଏହି ଯୋଜନା ଆଧାରରେ ରାଜ୍ୟର ୪ଟି ସ୍ଥାନରେ ସରକାରୀ ଓ ଘରୋଇ ଭାଗିଦାରୀରେ ଭାରୀଯାନ ପ୍ରଶିକ୍ଷଣ କେନ୍ଦ୍ର ରହିଛି । ଏହି କେନ୍ଦ୍ରରେ ନିଃଶୁଳ୍କ ପ୍ରଶିକ୍ଷଣ ସହ ସଂପୂର୍ଣ୍ଣ ମାଗଣାରେ ରହିବା, ଖାଇବା ଓ ଉତ୍ତୀର୍ଣ୍ଣ ଶିକ୍ଷାର୍ଥୀଙ୍କ ନିମନ୍ତେ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତିର ବ୍ୟବସ୍ଥା ରହିଛି । ଏହାସହ ୩୦ ଦିନର ସଫଳ ପ୍ରଶିକ୍ଷଣ ପରେ ୩ ହଜାର ଟଙ୍କାର ଭତ୍ତା ବ୍ୟବସ୍ଥା ମଧ୍ୟ ରହିଛି ।

ଏହି କେନ୍ଦ୍ରରେ ଅତ୍ୟାଧୁନିକ ପ୍ରଶିକ୍ଷଣ ବ୍ୟବସ୍ଥା, ପ୍ରଶିକ୍ଷକ, ଡ୍ରାଇଭିଂ ଟ୍ରାକ୍, ଏସି ଶ୍ରେଣୀଗୃହ, ହଷ୍ଟେଲର ସୁବିଧା ରହିଛି । ଏହାସହ ଶିକ୍ଷାର୍ଥୀଙ୍କୁ ମାନସିକ ଓ ଶାରୀରିକ ଭାବେ ସୁସ୍ଥ ରଖିବାକୁ ପ୍ରତିଦିନ ଯୋଗ, ବ୍ୟାୟାମ ଓ ପାଠାଗାରର ବ୍ୟବସ୍ଥା ମଧ୍ୟ ରହିଛି । କେବଳ ନୂଆ ଶିକ୍ଷାର୍ଥୀ ନୁହେଁ, ପୂର୍ବରୁ ଲାଇସେନ୍ସ ପାଇଥିବା ଚାଳକମାନଙ୍କୁ ଅଧିକ ଦକ୍ଷ କରିବାକୁ ତିନି ଦିନିଆ ରିଫ୍ରେସମେଣ୍ଟ କୋର୍ସର ବ୍ୟବସ୍ଥା ମଧ୍ୟ ରହିଛି । ଅନେକ ଦୁର୍ଘଟଣାରେ ଭାରୀଯାନ ସଂପୃକ୍ତିର ଚିତ୍ର ସାମ୍ନାକୁ ଆସିବାରୁ ଭାରୀଯାନ ଚାଳକଙ୍କ ଦକ୍ଷତା ବୃଦ୍ଧି  ପାଇଁ ଏଭଳି ପଦକ୍ଷେପ ନିଆଯାଇଥିଲା ।

୨୦୧୧ ମସିହାରେ ପ୍ରଥମେ ଯାଜପୁର ଜିଲ୍ଲାର ଛତିଆଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଗଞ୍ଜାମ ଜିଲ୍ଲାର ପାଲୁର, କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନା ହୋଇଛି । ଆଗକୁ କୋରାପୁଟ ଓ ବଲାଙ୍ଗିର ପାଇଁ ପ୍ରସ୍ତାବ ରହିଛି । ଏପର୍ଯ୍ୟନ୍ତ ଏହି ଯୋଜନାରେ ୪୪୮୮ ଜଣ ଚାଳକଙ୍କୁ ଭାରୀଯାନ ପ୍ରଶିକ୍ଷଣ ଦିଆଯାଇଥିବା ବେଳେ ୨୧,୯୬୪ ଚାଳକଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନବୀକରଣ ତାଲିମ ପ୍ରଦାନ ହୋଇସାରିଛି । ଏଠାରୁ ସଫଳତାର ସହ ଉର୍ତ୍ତୀର୍ଣ୍ଣ ହେଉଥିବା ଶିକ୍ଷାର୍ଥୀଙ୍କ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ମଧ୍ୟ ନିୟମିତ ପ୍ରୟାସ କରାଯାଏ ।

ଏଦିଗରେ ୧୨୫୪ ସୁବାହକଙ୍କୁ ବିଭିନ୍ନ କମ୍ପାନୀରେ ପୂର୍ବରୁ ନିଯୁକ୍ତି ପ୍ରଦାନ କରାଯାଇସାରିଛି । ଏହି ନିଯୁକ୍ତି କ୍ଷେତ୍ରରେ କେବଳ ପୁରୁଷ ନୁହନ୍ତି ମହିଳାମାନେ ମଧ୍ୟ ନିଜର ଦକ୍ଷତା ପ୍ରତିପାଦିତ କରିଛନ୍ତି । ଏବେ ବିଦେଶରେ ନିଯୁକ୍ତି ସୁଯୋଗ ଏକ୍ଷେତ୍ରରେ ନୂଆ ସଫଳତା ହାସଲ କରିଛି ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀଯୁକ୍ତ ଜେନା । ଏହି କାର୍ଯ୍ୟକ୍ରମରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ, ପରିବହନ କମିସନର ଅମିତାଭ ଠାକୁର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏଭଳି ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ  ଜଣାଇଥିଲେ ଚାଳକମାନେ ।