Home General ନିଯୁକ୍ତି ଅପେକ୍ଷାରେ ସାଢେ ୩ଲକ୍ଷ

ନିଯୁକ୍ତି ଅପେକ୍ଷାରେ ସାଢେ ୩ଲକ୍ଷ


ଭୁବନେଶ୍ୱର : ନିର୍ବାଚନୀ ପ୍ରତିଶ୍ରୁତି ମୁତାବକ ନୂଆ ସରକାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦେବାପାଇଁ ପଦକ୍ଷେପ ଗ୍ରହଣ କରୁଥିବାବେଳେ ରାଜ୍ୟରେ ବିଭିନ୍ନ ବର୍ଗର ସାଢେ ୩ଲକ୍ଷରୁ ଅଧିକ ଶିକ୍ଷିତ ନିଯୁକ୍ତି ପ୍ରତୀକ୍ଷାରେ ରହିଛନ୍ତି । ଏମାନଙ୍କୁ ନିଯୁକ୍ତି ଦେବା ଏବେ ସରକାରଙ୍କ ଆଗରେ ବଡ ଆହ୍ୱାନ ହୋଇଛି ।

ରାଜ୍ୟରେ ଏବେ ୩.୫୫ ଲକ୍ଷରୁ ଅଧିକ ଯୁବକ ଯୁବତୀ ସରକାରଙ୍କ ନିକଟରେ ନାମ ପଞ୍ଜିକରଣ କରି ନିଯୁକ୍ତି ଅପେକ୍ଷାରେ ଅଛନ୍ତି । ଏମାନଙ୍କ ମଧ୍ୟରେ ଏକ ଲକ୍ଷରୁ ଅଧିକଙ୍କ ଯୋଗ୍ୟତା ଯୁକ୍ତ ଦୁଇ ପାଶ୍‍ ରହିଛି । ତେବେ ଏହି ଚାକିରି ପ୍ରତ୍ୟାଶୀଙ୍କ ମଧ୍ୟରେ କଳା, ବିଜ୍ଞାନ, ବାଣିଜ୍ୟ ବିଭାଗର ସ୍ନାତକଙ୍କ ସହିତ କୃଷି, ପଶୁପାଳନ, ଡାକ୍ତରୀ, ଇଞ୍ଜିନିୟରିଂ, ଆଇନ୍‍ ଆଦି ବିଷୟର ଡିଗ୍ରୀଧାରୀ ରହିଛନ୍ତି ।

ସ୍ନାତକ ଓ ସ୍ନତକୋତ୍ତର ଡିଗ୍ରୀଧାରୀଙ୍କ ସହିତ ଡିପ୍ଲୋମୋ, ଆଇଟିଆଇ, ସିଟି, ବିଏଡ୍‍, ଏମଏଡ୍‍ ତାଲିମଧାରୀ ଶିକ୍ଷକ ରହିଛନ୍ତି । ଏମାନେ ସମସ୍ତେ ସରକାରଙ୍କ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀରେ ନିଯୁକ୍ତି ପାଇବାକୁ ଆଶା ବାନ୍ଧିଛନ୍ତି । ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ୧୨ହଜାରରୁ ଅଧିକ ନିଯୁକ୍ତି ଅପେକ୍ଷାରେ ଥିବାବେଳେ ୭୦ରୁ ଅଧିକ ସ୍ନାତକୋତ୍ତର ଡିଗ୍ରୀଧାରୀ ବି ନିଯୁକ୍ତି ପାଇଁ ଚାହିଁ ବସିଛନ୍ତି । ସେହିଭଳି କୃଷି ବିଜ୍ଞାନ ପାଠ୍ୟକ୍ରମରେ ତିନି ଶହରୁ ଅଧିକ ସ୍ନାତକ ଡିଗ୍ରୀଧାରୀ ରହିଥିବାବେଳେ ଏହି ବର୍ଗରେ ସ୍ନାତକ ଡିଗ୍ରୀଧାରୀଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି ।

ତେବେ ନିଯୁକ୍ତି ସୁଯୋଗ ଥିବା ଡିପ୍ଲୋମା ଓ ଆଇଟିଆଇ ଉପରେ ଗତ କିଛିବର୍ଷ ଧରି ଗୁରୁତ୍ୱ ଦିଆଯିବା ଯୋଗୁଁ ଏଥିରେ ଅଧିକରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ଏବେ ରାଜ୍ୟରେ ୧୨ ହଜାରରୁ ଅଧିକ ଡିପ୍ଲୋମାଧାରୀ ନିଯୁକ୍ତି ଅପେକ୍ଷାରେ ଥିବାବେଳେ ସାଢେ ଚାରି ହଜାରରୁ ଅଧିକ ଆଇଟିଆଇ ଡିଗ୍ରୀଧାରୀ ରହିଛନ୍ତି । ସେହିଭଳି ସିଟି ତାଲିମପ୍ରାପ୍ତଙ୍କ ସଂଖ୍ୟା ୪ହଜାରରୁ ଅଧିକ ଥିବାବେଳେ ୯ହଜାରରୁ ଅଧିକ ବିଏଡ୍‍ ଡିଗ୍ରୀଧାରୀ ରହଚଛନ୍ତି ।

ରାଜ୍ୟର ବିଦ୍ୟାଳୟଗୁଡିକରେ ଖାଲିପଡିଥିବା ଶିକ୍ଷକ ପଦବୀରେ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଆଣି ପାଠପଢାଇବା ପାଇଁ ସରକାର ଯୋଜନା କରୁଥିବାବେଳେ ଏତେ ସଂଖ୍ୟକ ବିଏଡ୍‍ ଡିଗ୍ରୀଧାରୀ ନିଯୁକ୍ତି ଅପେକ୍ଷାରେ ରହିବା ଅଭିଭାବକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଅବସରପ୍ରାପ୍ତ ବୟସ୍କ ଶିକ୍ଷକମାନଙ୍କୁ ଆଣି ପାଠ ପଢାଇବା ପରିବର୍ତ୍ତେ ଯୁବ ଡିଗ୍ରୀଧାରୀମାନଙ୍କୁ ନିଯୁକ୍ତି ଦେବାପାଇଁ ମତପ୍ରକାଶ ପାଉଛି ।

ସେହିଭଳି କଳା, ବାଣିଜ୍ୟ ଓ ବିଜ୍ଞାନ ବିଷୟରେ ସ୍ନାତକ ଓ ସ୍ନାତକୋତ୍ତର ଚାକିରି ଆଶାୟୀଙ୍କ ସଂଖା ଢେର ଅଧିକ ରହିଥିବାବେଳେ ଅବସରପ୍ରାପ୍ତ କର୍ମଚାରୀଙ୍କ ଠିକା ନିଯୁକ୍ତି ସ୍ଥାନରେ ଏମାନଙ୍କୁ ନିୟମିତ ନିଯୁକ୍ତି ଦେବାପାଇଁ ମତପ୍ରକାଶ ପାଉଛି । ଗୋଟିଏ ପଟେ ଅବସର ପରେ ଚାରିବର୍ଷ ପାଇଁ କର୍ମଚାରୀମାନେ ଠିକାରେ ରହୁଥିବାବେଳେ ସେହି ସମୟରେ ବହୁ ଚାକିରି ଆଶାୟୀଙ୍କ ବୟସ ଗଡିଯାଉଛି । ଏହାଛଡା ବର୍ତ୍ତମାନ ସମୟରେ ଅବସରପ୍ରାପ୍ତ ବୟସ୍କ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ମଧ୍ୟ ଅନେକ ନାପସନ୍ଦ କରୁଛନ୍ତି । ତେବେ ରାଜ୍ୟରେ ଗଠିତ ନୂଆ ସରକାର ପ୍ରତିଶ୍ରୁତି ମୁତାବକ ନିଯୁକ୍ତି ଉପରେ ଫୋକସ୍‍ ଦେଉଥିବାବେଳେ ସାଢେ ୩ଲକ୍ଷରୁ ଅଧିକ ଚାକିରି ଆଶାୟୀ କିଭଳି ନିଯୁକ୍ତି ପାଇବେ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)