Home General ସଫଳ ଗୁଣ୍ଡିଚା ଯାତ୍ରା ପାଇଁ କୃତଜ୍ଞତା

ସଫଳ ଗୁଣ୍ଡିଚା ଯାତ୍ରା ପାଇଁ କୃତଜ୍ଞତା

ଭୁବନେଶ୍ୱର : ପୁରୀଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଓ ଏଥି ସମ୍ପର୍କିତ ସମସ୍ତ ନୀତିକାନ୍ତି ସୁରୁଖୁରୁରେ ସମ୍ପନ୍ନ ହୋଇଛି । ଏଥି ପାଇଁ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସମସ୍ତ ସେବାୟତ, ସେବାୟତ ନିଯୋଗର ପ୍ରତିନିଧିଙ୍କ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ଏଥି ସହିତ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ, ଜିଲ୍ଲା ପ୍ରଶାସନର ସମସ୍ତ ଅଧିକାରୀ ଓ କର୍ମଚାରୀ, ରାଜ୍ୟ ଆରକ୍ଷୀ ବାହିନୀ, ସେ୍ୱଚ୍ଛାସେବୀ ସଂଗଠନ, ସଫେଇ କର୍ମଚାରୀ, ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ, ଗଣମାଧ୍ୟମର ପ୍ରତିନିଧିବୃନ୍ଦ, ଅଗଣିତ ଭକ୍ତ, ଶ୍ରଦ୍ଧାଳୁ ଏବଂ ସମସ୍ତ ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି ।

ବହୁବର୍ଷ ପରେ ଚଳିତ ବର୍ଷ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ଶାନ୍ତିଶୃଙ୍ଖଳାଠାରୁ ଆରମ୍ଭ କରି ଭକ୍ତ, ଶ୍ରଦ୍ଧାଳୁ ଓ ଦର୍ଶନାର୍ଥୀଙ୍କ ସୁବିଧା ତଥା ବିଭିନ୍ନ ସେବା ଯୋଗାଇବା ନିମନ୍ତେ ରାଜ୍ୟ ସରକାର ବ୍ୟାପକ ଆୟୋଜନ କରିଥିଲେ । ବିଭିନ୍ନ ସେବା ଓ କାର୍ଯ୍ୟରେ ନିୟୋଜିତ ସଂପୃକ୍ତ ସମସ୍ତଙ୍କୁ ନିରନ୍ତର କାର୍ଯ୍ୟ କରିବାକୁ ପଡ଼ିଥିଲା ।

ଧୈର୍ଯ୍ୟ ଓ ନିଷ୍ଠାର ସହ ନିଜ ନିଜର ଦାୟିତ୍ୱ ନିର୍ବାହ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ସଫଳ କରିବାରେ ସହଯୋଗ ପ୍ରଦାନ କରିଥିବା ସମସ୍ତଙ୍କୁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଧନ୍ୟବାଦ ଜଣାଇଛନ୍ତି ।