Home General ବଢିବ ଜବରଦଖଲ ଉଚ୍ଛେଦ ମାମଲା

ବଢିବ ଜବରଦଖଲ ଉଚ୍ଛେଦ ମାମଲା

ଭୁବନେଶ୍ୱର : ସରକାରୀ ଜମିକୁ ଜବରଦଖଲମୁକ୍ତ କରିବାପାଇଁ ମୁଖ୍ୟମନ୍ତ୍ରୀ ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେବାପରେ ଏହା ଏବେ ପ୍ରଶାସନ ପାଇଁ ବଡ ଆହ୍ୱାନ ହୋଇଛି । ଖୋଦ୍‍ ରାଜଧାନୀରେ ଜବରଦଖଲ ଜମି ଉପରେ ୧୦ହଜାରରୁ ଅଧିକ ମାମଲା ଚାଲିଥିବାବେଳେ ସାରା ରାଜ୍ୟରେ ଏଭଳି ଅଦାଲତି ଲଢେଇ ଚାଲିଛି । ସରକାରଙ୍କର ଏଭଳି ପଦକ୍ଷେପ ପରେ ମାମଲା ସଂଖ୍ୟା ଆହୁରି ବଢିବ ବୋଲି ଆଶଙ୍କା କରାଯାଉଛି ।

ରାଜଧାନୀରେ ସରକାରୀ ଜମିକୁ ଜବଦରଖଲ କରିବା ସହିତ ତାହାକୁ ରାତାରାତି ବିକ୍ରି କରାଯାଉଛି । ସାଧାରଣ ପ୍ରଶାସନର ଜମି ହେଉ କିମ୍ବା ଖଦିବୋର୍ଡର ଜମି, ମାଫିଆମାନେ କାହାକୁ ଛାଡୁ ନାହାନ୍ତି । ଏହିସବୁ ଜମି ସରିଯିବା ପରେ ଏବେ ରାସ୍ତାକଡ, କନଜରଭେନ୍ସି ଆଦି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି । କେଉଁଠି ଜମି ବିକ୍ରିକରି ଦେଉଛନ୍ତି ତ ଆଉ କେଉଁଠି ସରକାରୀ ଜମି ଉପରେ ଘର ତିଆରିକରି ଚଢା ଦରରେ ବିକ୍ରି କରୁଛନ୍ତି ।

ତେବେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ସରକାରୀ ଜମି ଜବରଦଖଲକୁ ନେଇ ୧୦ହଜାରରୁ ଅଧିକ ମାମଲା ଚାଲିଛି । ଦଖଲକାରୀମାନେ ସରକାରୀ ଜମି ଉପରେ ବେଆଇନ୍‍ ଘର ର୍ନିମାଣ କରି ତାହାକୁ ଭଡା ଲଗାଇଛନ୍ତି । ସେହି ଭଡା ଅର୍ଥରେ ମାମଲା ଲଢୁଛନ୍ତି । ଏଣେ ସରକାର ନିଜ ଜମିକୁ ମୁକୁଳାଇବା ପାଇଁ ସରକାର ରାଜକୋଷରୁ ପୁଳା ପୁଳା ଟଙ୍କା ଖର୍ଚ୍ଚ କରୁଛନ୍ତି । ଦୀର୍ଘଦିନ ହେଲା ଅଦାଲତି ଲଢେଇ ଯୋଗୁଁ ଏହିସବୁ ମୂଲ୍ୟବାନ ଜମିକୁ ଉଦ୍ଧାର କରାଯାଇ ପାରୁନଥିବାବେଳେ ଏବେ କିଭଳି ତାହା ସରକାରୀ ଖାତାକୁ ଆସିବ କର୍ତ୍ତୃପକ୍ଷଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।

କେବଳ ରାଜ୍ୟ ରାଜଧାନୀ ନୁହେଁ, ରାଜ୍ୟର ବିଭିନ୍ନ ସହରାଞ୍ଚଳ ସମେତ ଗାଁ ଗହଳରେ ମଧ୍ୟ ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି । ଗାଁ ଗହଳରେ ଥିବା ଅନାବାଦି ଓ ଗୋଚର ଜମିକୁ ଲୋକେ ଜବରଦଖଲ କରିଛନ୍ତି । ଏଥିପାଇଁ ଗାଁ ଗହଳରେ ଆଉ ଗାଈ ଗୋରୁଙ୍କ ପାଇଁ ଚାରଣ ଭୂମି ନାହିଁ । ଏ ସଂକ୍ରାନ୍ତରେ ଅଭିଯୋଗ କଲେ ଜବରଦଖଲକାରୀମାନେ ସିଧାସଳଖ ଆଇନ୍‍ ଅଦାଲତରେ ହାଜର ହୋଇ ଜମି ଉପରେ ସ୍ଥିତାବସ୍ଥା ନେଇ ଆସୁଛନ୍ତି । ପୀଢି ପୀଢି ପରେ ଏହିଭଳି ଭାବେ ଜମିକୁ ଜବରଦଖଲ କରି ରଖିଛନ୍ତି ।

ସେହିଭଳି ସହର ଠାରୁ ଗାଁ ପର୍ଯ୍ୟନ୍ତ ବିଭିନ୍ନ ଦେବତ୍ତୋର ଜମିକୁ ମଧ୍ୟ ମାଫିଆମାନେ ମାଡି ବସିଛନ୍ତି । ଖୋଦ୍‍ ଜଗନ୍ନାଥଙ୍କ ଜମିକୁ ମଧ୍ୟ ଛାଡୁ ନାହାନ୍ତି । ବର୍ଷ ବର୍ଷ ଧରି ଏହି ଜମିକୁ ଚାଷକରି ଖାଉଥିବାବେଳେ ଠାକୁରଙ୍କ ପାଇଁ ଟଙ୍କାଟିଏ ହେଲେ ଦେଉ ନାହାନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଏହିସବୁ ସମ୍ପତ୍ତିକୁ ଠାବ କରିବା ସହିତ କେଉଁମାନେ ଏହାକୁ ଜବରଦଖଲରେ ରଖିଛନ୍ତି ତାହା ବାହାର କରିବା କାଠିକରପାଠ ଅବସ୍ଥା ।

ରାଜ୍ୟ ସରକାର ଏବେ ଜବଦରଖଲ ହଟାଇବାପାଇଁ ରଣହୁଙ୍କାର ଦେଇଥିବାବେଳେ ଅନେକ ଜବରଦଖଲକାରୀ ଏବେ ଆଇନ୍‍ ଅଦାଲତକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି । ତେଣୁ ଏହି ଜବରଦଖଲକାରୀମାନଙ୍କୁ କିଭଳି ଅଦାଲତରୁ ସୁରକ୍ଷା ନମିଳିବ ସେ ଦିଗରେ ସରକାର ପଦକ୍ଷେପ ନେବା ଆବଶ୍ୟକ । ଏହା ନହେଲେ ସରକାରଙ୍କ ବିରୁଦ୍ଧରେ ଆହୁରି ଅନେକ ମାମଲା ରୁଜୁ ହେବ ଏବଂ ଏଥିପାଇଁ ରାଜକୋଷରୁ କୋଟିକୋଟି ଟଙ୍କା ଖର୍ଚ୍ଚ ବି ହେବ । ଏଥି ଯୋଗୁଁ ଜବରଦଖଲ ଜମିକୁ ନିଜ ଅକ୍ତିଆରକୁ ଆଣିବା ସରକାରଙ୍କ ପାଇଁ ସେତେଟା ସହଜ ହେବନାହିଁ । (ତଥ୍ୟ)