ଭୁବନେଶ୍ୱର : ସରକାରୀ ଜମିରେ ବ୍ୟାପକ ଜବରଦଖଲ କୁ ନେଇ ଗଭୀର ଉଦ୍ ବେଗ ପ୍ରକାଶ କରି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଆଜି ସମସ୍ତ ଜିଲ୍ଲାପାଳଙ୍କୁ ନିଜ ନିଜ ଅଧୀନରେ ଥିବା ସରକାରୀ ଜମି ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁ କହିଛନ୍ତି ଯେ, ଏକ ଉଚ୍ଚସ୍ତରୀୟ ବୈଠକରେ ବ୍ୟାପକ ଜବରଦଖଲ ନେଇ ସରକାର ଚିନ୍ତା ପ୍ରକଟ କରିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆମର ଏକ ପ୍ରାଥମିକ କାର୍ଯ୍ୟ ହେଉଛି: ଜମି ସମ୍ପଦର ସର୍ବୋତ୍ତମ ପରିଚାଳନା ଏବଂ ବିକାଶମୂଳକ ଉଦ୍ଦେଶ୍ୟ ଏବଂ ଅର୍ଥନୀତିର ବିଭିନ୍ନ କ୍ଷେତ୍ରପାଇଁ ପର୍ଯ୍ୟାପ୍ତ ଜମି ଆବଣ୍ଟନ ।
ତେବେ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ସରକାରୀ ଜମି ଜବରଦଖଲ ଯୋଗୁଁ ବେଳେବେଳେ ଉନ୍ନୟନମୂଳକ ଉଦ୍ଦେଶ୍ୟରେ ସୁରୁଖୁରୁରେ ଜମି ଆବଣ୍ଟନ ବାଧାପ୍ରାପ୍ତ ହେଉଛି।
କେବଳ ସେତିକି ନୁହେଁ, ଜବରଦଖଲ ହୋଇଥିବା ସରକାରୀ ଜମିର ସୁଯୋଗ ମୂଲ୍ୟ ମଧ୍ୟ ଏଭଳି କ୍ଷେତ୍ରରେ ଆକଳନ କରାଯାଇନଥାଏ। ଏଥିସହ ବେଆଇନ ଜବରଦଖଲ କୁ ନେଇ ଉପୁଜିଥିବା ମାମଲା ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜ ହୋଇ ରହିଛି ବୋଲି ଏସିଏସ୍ ଶ୍ରୀ ସାହୁ ଜିଲ୍ଲାପାଳମାନଙ୍କୁ କହିଛନ୍ତି।
ତେଣୁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜବରଦଖଲର ବାସ୍ତବ ସର୍ବେକ୍ଷଣ କରି ପ୍ରଚଳିତ ନିୟମ ଅନୁଯାୟୀ ଜବରଦଖଲ ହଟାଇବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି।
ଏଭଳି ଜବରଦଖଲ ଉଚ୍ଛେଦ ପରେ ନିଜ ଜିଲ୍ଲାରେ ମିଳିଥିବା ପାଣ୍ଠିକୁ ସମାନ ଉଦ୍ଦେଶ୍ୟରେ ବ୍ୟବହାର କରି ଉପଯୁକ୍ତ ବାଡ଼ ଦ୍ୱାରା ଏଭଳି ସରକାରୀ ଜମିକୁ ସୁରକ୍ଷା ଦେବାକୁ କୁହାଯାଇଛି।
ଯଦି ସମାନ ଉଦ୍ଦେଶ୍ୟରେ ପାଣ୍ଠି ଅଭାବ ଦେଖାଯାଏ, ତେବେ ତୁରନ୍ତ ଏହି ବିଭାଗକୁ ଜଣାଇ ଦିଆଯାଇପାରିବ। ନିର୍ଦ୍ଧାରିତ ପ୍ରୋଫର୍ମାରେ ପ୍ରତି ପନ୍ଦର ଦିନରେ ଉପରୋକ୍ତ ବିଷୟଉପରେ ଏକ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଏହି ବିଭାଗକୁ ପଠାଯିବ ବୋଲି ସେ ନିର୍ଦ୍ଦେଶ ଦେଇଛନ୍ତି।