Home General ଚଳିତ ରଥଯାତ୍ରାରେ ଭିଭିଆଇପିଙ୍କ ଭିଡ

ଚଳିତ ରଥଯାତ୍ରାରେ ଭିଭିଆଇପିଙ୍କ ଭିଡ

ଭୁବନେଶ୍ୱର : ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହେଉଥିବା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଏବର୍ଷ ରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭକରି ବହୁ ଭିଭିଆଇପିଙ୍କ ସମାବେଶ ହେଉଥିବାରୁ ସମଗ୍ର ପୁରୀ ସହରରେ କଡା ନିରାପତ୍ତା ବନ୍ଦୋବସ୍ତ କରାଯାଉଛି । ତେବେ ଭିଭିଆଇପିମାନଙ୍କ ରଥଯାତ୍ରା ଦର୍ଶନ ଯୋଗୁଁ ଯେଭଳି ଦୂର ଦୂରାନ୍ତରୁ ଆସୁଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଅସୁବିଧାରେ ନପଡନ୍ତି ତାହା ଉପରେ ଏବେ ପୁଲିସ୍‍ ଓ ପ୍ରଶାସନକଳର ନଜର ରହିଛି ।

ପ୍ରାୟ ୫୩ବର୍ଷ ପରେ ଏଥର ରଥଯାତ୍ରାରେ ପୁଣି ଏକ ବିରଳ ସଂଯୋଗ ଯୋଗ ରହିଛି । ଗୋଟିଏ ଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ଜୁଲାଇ ୭ତାରିଖରେ ଅନୁଷ୍ଠିତ ହେବାକୁ ଥିବାରୁ ସେଦିନ ଶ୍ରୀମନ୍ଦିର ଭିତରେ ଦର୍ଶନ ଲାଗି କାହାକୁ ଛଡାଯିବ ନାହିଁ । କେବଳ ଯେଉଁମାନଙ୍କର ସେବା ରହିଛି ଓ ଆଉ ଯେଉଁମାନେ ନିରାପତ୍ତା ତଥା ଶ୍ରୀମନ୍ଦିର ପ୍ରଶାସନ ସହ ଜଡିତ କେବଳ ସେହିମାନଙ୍କୁ ହିଁ ଭିତରକୁ ଛଡାଯିବ ।

ସମସ୍ତ ନୀତିକାନ୍ତି ପରେ ସଂଧ୍ୟା ପୂର୍ବରୁ ପହଣ୍ଡି ଓ ଛେରା ପହଁରା କାର୍ଯ୍ୟକ୍ରମ ଶେଷ କରି ରଥ ଟଣା ଆରମ୍ଭ ହେବ । ତେବେ ଶ୍ରୀଗୁଣ୍ଡିଚା ଦିନ ବିଳମ୍ବରେ ରଥଟଣା ଆରମ୍ଭ ହେବାକୁ ଥିବାରୁ ବସ୍ତୁତଃ ତାହା ପରଦିନ ଅର୍ଥାତ୍‍ ୮ତାରିଖରେ ଅଧିକ ସମୟ ପାଇଁ ରଥ ଟାଣି ଗୁଣ୍ଡିଚା ମନ୍ଦିରରେ ଲଗାଇବାପାଇଁ ଯୋଜନା ରହିଛି । ଏ ପରିପ୍ରେକ୍ଷୀରେ ଛଅ ତାରିଖରୁ ଶ୍ରୀକ୍ଷେତ୍ର ପୁରୀରେ ଶ୍ରଦ୍ଧାଳୁମାନଙ୍କ ଭିଡ ବଢିବା ଆଶଙ୍କା କରାଯାଉଛି ।

ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁମୁଁ ୬ତାରିଖରୁ ତାଙ୍କର ଓଡିଶା ଗସ୍ତ ଆରମ୍ଭ କରୁଛନ୍ତି । ଏହି ଅବସରରେ ସେ ୭ତାରିଖରେ ଭୁବନେଶ୍ୱରରୁ ହେଲିକାପ୍ଟର ଯୋଗେ ଯାଇ ପୁରୀରେ ପହଞ୍ଚିବା ସହ ଭିଭିଆଇପିମାନଙ୍କ ପାଇଁ ପ୍ରସ୍ତୁତ ମଞ୍ଚରୁ ରଥ ଦର୍ଶନ କରିବେ ଏବଂ ପରେ ରଥଟଣା କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ । ତା’ ପରଦିନ ସକାଳେ ରାଷ୍ଟ୍ରପତି ସମୁଦ୍ର କୂଳରେ ପ୍ରାତଃ ଭ୍ରମଣ କରିବେ ବୋଲି ସୂଚୀତ କାର୍ଯ୍ୟକ୍ରମରୁ ଜଣାଯାଇଛି ।

ରାଷ୍ଟ୍ରପତିଙ୍କ ସୁରକ୍ଷା ଲାଗି ବ୍ଲୁ ବୁକ୍‍ ଆଧାରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଏଥିଲାଗି ସ୍ୱତନ୍ତ୍ର ଭାବେ ବହୁ ସଂଖ୍ୟକ ସୁରକ୍ଷାବଳ ନିୟୋଜିତ ହୁଅନ୍ତି । ଏହାଛଡା ରାଷ୍ଟ୍ରପତିଙ୍କ ସହ ମଧ୍ୟ ତାଙ୍କ ଦପ୍ତରର ଅଧିକାରୀମାନେ ଆସିଥାନ୍ତି । ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସମେତ ବହୁ ବିଚାରପତି ରଥଯାତ୍ରା କାର୍ଯ୍ୟକ୍ରମ ପାଇଁ ପୁରୀ ଆସିବାର ରହିଛି । ଏହାଛଡା କେନ୍ଦ୍ର ଓ ରାଜ୍ୟର ବହୁ ମନ୍ତ୍ରୀ, ଅନେକ ସାଂସଦ ଓ ବିଧାୟକ ବି ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ସେମାନଙ୍କ ଦିଲ୍ଲୀ ଗସ୍ତବେଳେ ବହୁ କେନ୍ଦ୍ରମନ୍ତ୍ରୀଙ୍କୁ ପୁରୀ ଆସିବାପାଇଁ ନିମନ୍ତ୍ରଣ କରିଛନ୍ତି । ଏମିତିକି ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଲୋକସଭାରେ ବକ୍ତବ୍ୟ ଦେବାବେଳେ ମନ୍ତ୍ରୀ ଓ ସାଂସଦମାନଙ୍କୁ ନିମନ୍ତ୍ରଣ ଦେଇଛନ୍ତି । ଯଦି ଓଡିଶାର ନେତାମାନଙ୍କ ନିମନ୍ତ୍ରଣ ରକ୍ଷାକରି ଅଧିକ ସଂଖ୍ୟକ ନେତା ଆସନ୍ତି ତାହେଲେ ଭିଭିଆଇପି ଓ ସେମାନଙ୍କ ନିରାପତ୍ତାରକ୍ଷୀମାନଙ୍କ ପାଇଁ ମଞ୍ଚରେ ଓ ରଥଦଉଡି ନିକଟରେ ଅଧିକ ଜାଗା ଦରକାର ପଡିବ । ଇତି ମଧ୍ୟରେ ମୁଖ୍ୟମନ୍ତ୍ରୀ, ଆଇନ୍‍ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୁଲିସ୍‍ ଡିଜି ଆଦି ଘନ ଘନ ପୁରୀ ଗସ୍ତକରି ରଥଯାତ୍ରା କାର୍ଯ୍ୟକ୍ରମ ଘେନି ତୁହାକୁ ତୁହା ସମୀକ୍ଷା ବୈଠକମାନ କରିଥିବାବେଳେ ଭିଭିଆଇପିମାନଙ୍କ ସୁରକ୍ଷା ପ୍ରସଙ୍ଗ ଘେନି ବି ଆଲୋଚନା କରିଛନ୍ତି । (ତଥ୍ୟ)