ଭୁବନେଶ୍ୱର : ରାଜ୍ୟରେ ନୂଆ ସରକାର ଆସିବାପରେ ଏବେ ଯୋଜନାବୋର୍ଡର ପୁର୍ନଗଠନ ହେବ । ଏଥିରେ ସ୍ଥାନ ପାଇବାପାଇଁ ରାଜନେତାଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ଲବି ଆରମ୍ଭ କରିଦେଇଛନ୍ତି ।
ନିୟମ ମୁତାବକ ରାଜ୍ୟ ଯୋଜନା ବୋର୍ଡରେ ଜଣେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ବ୍ୟତିତ ୧୪ ଜଣ ସଭ୍ୟ ଏବଂ ଜଣେ ସଚିବ ରହିବେ । ସାଧାରଣତଃ ରାଜ୍ୟ ଯୋଜନା ବୋର୍ଡର ଅଧ୍ୟକ୍ଷ ପଦରେ ମୁଖ୍ୟମନ୍ତ୍ରୀ ରହିଥାନ୍ତି । ତେବେ ଏହି ପଦବୀରେ ଜଣେ ବେସରକାରୀ ବ୍ୟକ୍ତି ମଧ୍ୟ ରହିପାରିବେ । ଏହାର ନଜିର ବି ପୂର୍ବରୁ ରହିଛି । ସେହିଭଳି ଉପାଧ୍ୟକ୍ଷ ପଦରେ ଜଣେ କ୍ୟାବିନେଟ୍ ମନ୍ତ୍ରୀ କିମ୍ବା କୌଣସି ବେସରକାରୀ ବ୍ୟକ୍ତି ରହିପାରିବେ । ଯେଉଁ ବେସରକାରୀ ବ୍ୟକ୍ତି ଉପାଧ୍ୟକ୍ଷ ରହିବେ ତାଙ୍କୁ କ୍ୟାବିନେଟ୍ ପାହ୍ୟା ପ୍ରଦାନ କରାଯିବାର ପରମ୍ପରା ଗଡିଆସୁଛି ।
ତେବେ ଯୋଜନା ବୋର୍ଡର ସଭ୍ୟ ଭାବରେ ଯୋଜନା ଓ ସଂଯୋଜନ ବିଭାଗର ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅତରିକ୍ତ ମୁଖ୍ୟ ଶାସନ ସଚିବ, ଅର୍ଥ ବିଭାଗର ଶାସନ ସଚିବ ରହିବେ । ଏମାନଙ୍କ ସହିତ ସଭ୍ୟ ଭାବେ ବିଶିଷ୍ଟ ଶିକ୍ଷାବିତ୍, ଅର୍ଥନୀତିଜ୍ଞ,ବୈଜ୍ଞାନିକ, ବୈଷୟିକ ଜ୍ଞାନସମ୍ପନ୍ନ ବ୍ୟକ୍ତିଙ୍କ ମଧ୍ୟରୁ ଦୁଇ ଜଣ ରହିବେ । ସେହଭଳି ସମାଜସେବୀ କିମ୍ବା ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମଧ୍ୟରୁ ୫ଜଣ ସଭ୍ୟଭାବେ ସ୍ଥାନ ପାଇବେ । ବୋର୍ଡର ସଭ୍ୟ ଭାବେ ଜଣେ ଶିଳ୍ପପତି କିମ୍ବା ଶିଳ୍ପ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତି ରହିବେ । ଏଥି ସହିତ ବିଧାନସଭାର ଦୁଇ ଜଣ ସଦସ୍ୟ ସଭ୍ୟ ପଦରେ ରହିପାରିବେ । ଉନ୍ନୟନ କମିଶନର କିମ୍ବା ଅତିରିକ୍ତ ଉନ୍ନୟନ କମିଶନର ବୋର୍ଡର ସଭ୍ୟ ତଥା ସଚିବ ଭାବେ କାର୍ଯ୍ୟ ତୁଲାଇ ଆସୁଛନ୍ତି ।
ଯୋଜନା ବୋର୍ଡର ଉପାଧ୍ୟକ୍ଷଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟାର ସମସ୍ତ ସରକାରୀ ସୁବିଧା ସୁଯୋଗ ଓ ବେତନ ମିଳିଥାଏ । ସେହିଭଳି ପୂର୍ଣ୍ଣକାଳୀନ ସଭ୍ୟମାନେ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ପାହ୍ୟାର ସମସ୍ତ ସୁବିଧା ସୁଯୋଗ ପାଇଥାନ୍ତି । ଏମାନଙ୍କୁ ରାଜଧାନୀରେ ସରକାରୀ ବଙ୍ଗଳା ଯୋଗାଇଦେବାର ବ୍ୟବସ୍ଥା ରହିଛି ।
କେନ୍ଦ୍ରରେ ପୂର୍ବରୁ ଯୋଜନା କମିଶନ ରହିଥିଲା । ପରବର୍ତ୍ତୀ ସମୟରେ ଏହାକୁ ଭାଙ୍ଗି ନୀତି ଆୟୋଗ ଗଢାଯାଇଛି । ସାରା ଦେଶ ପାଇଁ ନୀତି ଆୟୋଗର ଯେଭଳି ଗୁରୁଦାୟିତ୍ୱ ରହିଛି ଅନୁରୂପ ଭାବେ ରାଜ୍ୟର ଯୋଜନା ପ୍ରଣୟନ ଓ ରୂପାୟନ କ୍ଷେତ୍ରରେ ମଧ୍ୟ ରାଜ୍ୟ ଯୋଜନା ବୋର୍ଡର ଭୂମିକା ରହିଥାଏ । ତେବେ ବହୁ ବର୍ଷ ଧରି ରାଜ୍ୟ ଯୋଜନାବୋର୍ଡ ବସ୍ତୁତଃ ରାଜନୈତିକ ଥଇଥାନ କେନ୍ଦ୍ରରେ ପରିଣତ ହୋଇଥିବାରୁ ଏହାଠାରୁ ଯାହା ଆଶା କରାଯିବାକଥା ତାହା ମିଳୁନାହିଁ । ବେଦପ୍ରକାଶ ଅଗ୍ରୱାଲ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଥିବା ସମୟରେ ୨୦୦୭ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଯୋଜନା ବୋର୍ଡର ଶେଷ ବୈଠକ ବସିଥିଲା । ପ୍ରାୟ ୧୭ବର୍ଷ ଧରି ଏହି ବୋର୍ଡର ପୂର୍ଣ୍ଣାଙ୍ଗ ବୈଠକ ନବସିବା ଘଟଣାରୁ ଏହାର ଆବଶ୍ୟକତା ଅନୁଭୂତ ହେଉନାହିଁ । ଏ ପରିପ୍ରେକ୍ଷୀରେ ପୁରୁଣା ଢାଞ୍ଚାରେ ଥଇଥାନ ପାଇଁ ରାଜ୍ୟ ଯୋଜନା ବୋର୍ଡ ପୁର୍ନଗଠନ ହେବ ନା ବାସ୍ତବରେ ରାଜ୍ୟର ପ୍ରଗତି ଲାଗି ଯୋଜନା ପ୍ରଣୟନ ସହିତ ବିକାଶ କାମରେ ଏହି ବୋର୍ଡ ସକ୍ରିୟ ଯୋଗଦାନ ଦେବ ତାହା ଉପରେ ସମସ୍ତଙ୍କ ନଜର ।
କ୍ୟାବିନେଟ୍ ଓ ରାଷ୍ଟ୍ରପାହ୍ୟା ମନ୍ତ୍ରୀଙ୍କ ମର୍ଯ୍ୟାଦା ସହିତ ରାଜଧାନୀରେ ସରକାରୀ ବଙ୍ଗଳା, ଗାଡି ଏବଂ ରାଜ୍ୟ ବାହାରକୁ ଗସ୍ତଖର୍ଚ୍ଚ ମିଳିବାର ବ୍ୟବସ୍ଥା ଥିବାରୁ ରାଜ୍ୟ ଯୋଜନାବୋର୍ଡର ଅଧ୍ୟକ୍ଷ, ଉପାଧ୍ୟକ୍ଷ ଓ ପୂର୍ଣ୍ଣକାଳୀନ ସଦସ୍ୟ ହେବାଲାଗି ଅନେକ ଆଶାୟୀ ଚାତକ ଭଳି ଅନାଇ ରହିଛନ୍ତି । ତେବେ ଏ ସଂକ୍ରାନ୍ତରେ ଚୂଡାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀଙ୍କ ଉପରେ ନିର୍ଭର କରେ । (ତଥ୍ୟ)