ଭୁବନେଶ୍ୱର : ଲୋକସଭା ଓ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାସେ ବିତିଥିଲେ ମଧ୍ୟ ଜୟ ପରାଜୟର କାରଣ ଏଯାବତ୍ କୌଣସି ରାଜନୈତିକଦଳ କିମ୍ବା ମେଣ୍ଟ ଖୋଜି ବାହାର କରୁନାହାନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଚାରି ପର୍ଯ୍ୟାୟରେ ଓଡିଶାରେ ହୋଇଥିବା ନିର୍ବାଚନର ଫଳାଫଳ ଗତ ମଇ ୪ତାରିଖରେ ପ୍ରକାଶ ପାଇଥିଲା ଏବଂ ତାହାରି ଆଧାରରେ ୧୨ତାରିଖରେ ଓଡିଶାରେ ବିଜେପି ସରକାର ଗଢାଯାଇଛି ।
ଗତ ନିର୍ବାଚନରେ ବିଜେଡିକୁ କ୍ଷମତାଚ୍ୟୁତ କରି ବିଜେପି ରାଜ୍ୟରେ ସରକାର ଗଢିଛି । ବିଜେଡିର ଆସନ ସଂଖ୍ୟା କାହିଁକି ୧୧୫ରୁ ୫୧କୁ ଖସିଲା ସେ ସଂକ୍ରାନ୍ତରେ ଦଳ ଏକ କମିଟି ଗଠନ କରି ଅନୁଧ୍ୟାନ ଚଳାଇବ ବୋଲି କୁହାଯାଇଥିଲା । ତେବେ ଏଯାବତ୍ ଅନୁଧ୍ୟାନ ତ ଦୂରରକଥା କମିଟି ମଧ୍ୟ ଗଢାଯାଇନାହିଁ ।
ସେହିପରି ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସରେ ଫାଟ ବଢି ଚାଲିଛି । ଏମିତିକି ଯିଏ ସମାଲୋଚନା କରୁଛି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଦଳରୁ ବିଦା କରାଯାଉଛି । ଦଳର ବିଧାୟକ ସଂଖ୍ୟା ୯ ରୁ ୯୦କୁ ବଢାଇ ଏଥର ରାଜ୍ୟରେ କଂଗ୍ରେସ ସରକାର ଗଢିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି କହି ଆସୁଥିବାବେଳେ ଦଳର ଆସନ ସଂଖ୍ୟା ବିଧାନସଭାରେ ୧୪ରେ ସୀମିତ ରହିଯାଇଛି । ପ୍ରଦେଶ କଂଗ୍ରେସ ସଭାପତିଙ୍କ ସମେତ ଆଉ ୨ଜଣ ପୂର୍ବତନ ସଭାପତି ମଧ୍ୟ ନିର୍ବାଚନ ହାରିଛନ୍ତି । ବିପର୍ଯ୍ୟୟର କାରଣ ସଂକ୍ରାନ୍ତରେ ଅନୁଧ୍ୟାନ କରି ପ୍ରତିକାରାତ୍ମକ ପଦକ୍ଷେପ ନେଇ ଆଗକୁ ବଢିବା ପରିବର୍ତ୍ତେ ୨୦୧୯ ତୁଳନାରେ ୨୦୨୪ରେ କଂଗ୍ରେସ ଓଡିଶାରେ ଅଧିକ ୭ଟି ଆସନ ପାଇବା ସହ ତାହାର ଏକମାତ୍ର ଲୋକସଭା ଆସନ ବଜାୟ ରଖିଥିବାରୁ ଫଳାଫଳ ଘେନି ଦଳୀୟ ନେତାମାନେ ଆତ୍ମସନ୍ତୋଷ ଲାଭ କରୁଛନ୍ତି ।
ବିଧାନସଭାରେ ବିଜେପିର ୨୨ଜଣ ସଦସ୍ୟ ଥିବାବେଳେ ଏହି ଦଳର ୭୮ଜଣ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ଏବଂ ଦଳର ବିଦ୍ରୋହୀ ପ୍ରାର୍ଥୀ ଭାବେ ଜିଣିଥିବା ଆଉ ତିନି ଜଣ ସ୍ୱାଧୀନ ବିଧାୟକ ଇତି ମଧ୍ୟରେ ବିଜେପି ପ୍ରତି ସମର୍ଥନ ଘୋଷଣା କରିଛନ୍ତି । ଲୋକସଭାରେ ୨୦୧୯ ନିର୍ବାଚନରେ ବିଜେଡିର ୧୨ ଓ ବିଜେପିର ୮ଜଣ ସଦସ୍ୟ ଥିବାବେଳେ ୨୦୨୪ରେ କିନ୍ତୁ ବିଜେଡିକୁ ମୂଳପୋଛ କରି ବିଜେପି ୨୦ଟି ଲୋକସଭା ଆସନ ଓଡିଶାରୁ ଜିଣି ରେକର୍ଡ କରିଛି । ତେବେ ଯେଉଁସବୁ ବିଧାନସଭା ଆସନରେ ବିଜେପି ହାରିଛି ତାହାର କାରଣ ଏଯାବତ୍ ଦଳ ପକ୍ଷରୁ ସର୍ବସାଧାରଣରେ ପ୍ରକାଶ କରାଯାଇନଥିଲେ ମଧ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ନିକଟରେ ତଥ୍ୟ ଉପଲବ୍ଧ ଥିବା ନେତାମାନେ କହୁଛନ୍ତି ।
ଓଡିଶାରେ ପ୍ରଥମଥର ପାଇଁ ବିଜେପି ଏକାକୀ ସରକାର ଗଢିଛି । ମଇ ୧୨ତାରିଖରେ ଏଥିଲାଗି ଜନତା ମଇଦାନରେ ବିପୁଳ ଜନସମାଗମ ମଧ୍ୟରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳର ସଦସ୍ୟମାନେ ଶପଥ ଗ୍ରହଣ କରିଥିଲେ । ଏହି ବର୍ଣ୍ଣାଢ୍ୟ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗ ଦେଇଥିଲେ । ଶପଥଗ୍ରହଣ ପରେ ମନ୍ତ୍ରୀମାନଙ୍କ ଭିତରେ ବିଭାଗ ବଣ୍ଟନ ଘେନି ବିଳମ୍ବ ହୋଇଥିଲା । ଅବଶ୍ୟ ଇତି ମଧ୍ୟରେ ବିଜେପି ତାହାର ଘୋଷଣା ମୁତାବକ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିବା ସଂଗେ ସଂଗେ ରତ୍ନଭଣ୍ଡାରର ଗଣତି ମଣତି ଲାଗି ପ୍ରକ୍ରିୟା ଆରମ୍ଭ କରିଛି ।
ବହୁ ପ୍ରଚାରିତ ସୁଭଦ୍ରା ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଏକ ବିଶାଳ ମହିଳା ସମାବେଶରେ ଆରମ୍ଭ ହେବବୋଲି ଘୋଷଣା କରାଯାଇଥିବାବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି ଖରିଫ ଋତୁରୁ ଲାଗୁ ହେବାକୁ ଯାଉଛି । ଏହାଛଡା ବିଜେପିର ନିର୍ବାଚନୀ ସଙ୍କଳ୍ପପତ୍ର ଓ ମୋଦୀ ଗ୍ୟାରେଣ୍ଟିରେ ଯେତେସବୁ ପ୍ରତିଶ୍ରୁତି ଦିଆଯାଇଥିଲା ସେ ସଂକ୍ରାନ୍ତରେ କାର୍ଯ୍ୟାନୁଷ୍ଠାନ ଶହେଦିନ ମଧ୍ୟରେ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ବାରମ୍ବାର କହୁଛନ୍ତି । (ତଥ୍ୟ)