Home Education ଗାଦିମଡା ଅଧ୍ୟାପକଙ୍କ ବଦଳି କେବେ ?

ଗାଦିମଡା ଅଧ୍ୟାପକଙ୍କ ବଦଳି କେବେ ?

ଭୁବନେଶ୍ୱର : ସରକାରୀ ମହାବିଦ୍ୟାଳୟଗୁଡିକରେ ଅଧ୍ୟାପକ ସଙ୍କଟ ଥିବାବେଳେ ଭୁବନେଶ୍ୱର ଓ କଟକରେ ଥିବା ସଂଖ୍ୟାଧିକ ଅଧ୍ୟାପକ ଏହି ଦୁଇ ସହର ଛାଡି ଯାଉ ନାହାନ୍ତି । ଅତି ବେଶୀ ହେଲେ ଦୁଇ ସହର ମଧ୍ୟରେ ବଦଳି ହୋଇ ବର୍ଷ ବର୍ଷ ଧରି ରହିଯାଉଛନ୍ତି । ଫଳରେ ସରକାର ଚାହିଁଲେ ମଧ୍ୟ ଅଧ୍ୟାପକ ସଙ୍କଟ ଥିବା ଅନ୍ୟାନ୍ୟ ମହାବିଦ୍ୟାଳୟକୁ ଏମାନଙ୍କୁ ସହଜରେ ପଠାଇ ପାରୁନାହାନ୍ତି ।

ରାଜଧାନୀରେ ଥିବା ସରକାରୀ ବିଦ୍ୟାଳୟଗୁଡିକରେ ଏବେ କାର୍ଯ୍ୟରତ ଅଧ୍ୟାପକ/ଅଧ୍ୟାପିକାମାନେ ବର୍ଷ ବର୍ଷ ଏଠାରେ ରହିଛନ୍ତି । ତିନି ସରକାରୀ ମହାବିଦ୍ୟାଳୟ ବିଜେବି, ରାଜଧାନୀ ଓ ରମାଦେବୀ ମଧ୍ୟରେ ଏମାନଙ୍କର ବାରମ୍ବାର ବଦଳି ହେଉଛି । ଅବସ୍ଥା ଏଭଳି ହୋଇଛି ଯେ କେତେକ ଅଧ୍ୟାପକ ଅଧ୍ୟାପିକା ୨୦/୨୫ ବର୍ଷ ଧରି ରାଜଧାନୀରେ ରହିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ କଟକର କୌଣସି ସରକାରୀ ମହାବିଦ୍ୟାଳୟକୁ ବଦଳି କରାଗଲେ ଏମାନେ ଧରାଧରି କରି ବଦଳି ବାତିଲ କରିଦେଉଛନ୍ତି । ସେହିଭଳି କିଛି ଅଧ୍ୟାପକ ଗୋଟିଏ କଲେଜରେ ଥିବା ଯୁକ୍ତ ଦୁଇରୁ ସ୍ୱୟଂଶାସିତକୁ ବଦଳି ହୋଇଯାଉଛନ୍ତି ।

ବର୍ତ୍ତମାନ ରାଜ୍ୟର ପ୍ରାୟ ସମସ୍ତ ସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ସଙ୍କଟ । ବରିଷ୍ଠତା ଓ ଅଭିଜ୍ଞତା ଦୃଷ୍ଟିରେ ଭୁବନେଶ୍ୱର କିମ୍ବା କଟକରେ କାର୍ଯ୍ୟରତ ଅଧ୍ୟାପକମାନଙ୍କୁ ଅନ୍ୟ ଜିଲ୍ଲାକୁ ବଦଳି କରାଗଲେ ଅଧିକାଂଶ ବିଭିନ୍ନ ବାହାନା କରି ଯାଉନାହାନ୍ତି । ରାଜଧାନୀ କିମ୍ବା କଟକରେ ରହିବାପାଇଁ ବିଭିନ୍ନ ରାଜନେତାଙ୍କ ଶରଣ ପଶୁଛନ୍ତି ।

ବର୍ତ୍ତମାନ ସରକାର ବଦଳିବା ପରେ ରାଜଧାନୀ ଓ କଟକର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ଗାଦିମାଡି ବସିଥିବା ଏଭଳି କିଛି ଅଧ୍ୟାପକ ଏବେ ଛାନିଆ ହୋଇଛନ୍ତି । ଅବଶିଷ୍ଟ ଚାକିରି କିଭଳି ଏଠାରେ କଟିବ ସେଥିପାଇଁ ଏବେ ନୂଆ ନେତାଙ୍କ ଶରଣାପନ୍ନ ହେବାରେ ଲାଗିଛନ୍ତି । ତେବେ ନୂଆ ସରକାର ଏହି ଅଧ୍ୟାପକମାନଙ୍କ ପ୍ରତି କିଭଳି ମନୋଭାବ ପୋଷଣ କରୁଛନ୍ତି ଏବଂ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏମାନଙ୍କୁ କେଉଁଠାକୁ ବଦଳି କରୁଛନ୍ତି ତାହା ଉପରେ ଏବେ ସମସ୍ତଙ୍କ ନଜର ।

ସେହିଭଳ ସରକାରୀ ମହାବିଦ୍ୟାଳୟରେ ପାଠପଢା ପାଇଁ ଅତିଥି ଅଧ୍ୟାପକ ଭରସା ହୋଇଥିବାବେଳେ ଚଳିତ ଶିକ୍ଷାବର୍ଷରେ ବର୍ତ୍ତମାନ ସୁଦ୍ଧା ଏମାନଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇପାରି ନାହିଁ । ଫଳରେ ପାଠପଢା କିଭଳି ହେବ ତାହାକୁ ନେଇ ଅନେକ ମହାବିଦ୍ୟାଳୟ ଅଧ୍ୟକ୍ଷ ଚିନ୍ତାରେ ପଡିଛନ୍ତି । ଉଲ୍ଲେଖନୀୟ ଯେ ରଜଛୁଟିରେ କଲେଜ ଦୀର୍ଘଦିନ ଛୁଟି ରହୁଥିବାରୁ ଅତିଥି ଅଧ୍ୟାପକମାନଙ୍କ କାର୍ଯ୍ୟ ଶେଷ ହୋଇଥାଏ । ପ୍ରତି ଶ୍ରେଣୀ ପାଇଁ ପାଉଣା ପାଉଥିବା ଏହି ଅଧ୍ୟାପକମାନଙ୍କ ପାଇଁ ଛୁଟିପରେ ପୁଣି ବିଜ୍ଞାପ୍ତି ପ୍ରକାଶ ପାଇବାକଥା । ବର୍ତ୍ତମାନ ସୁଦ୍ଧା ଏହା ହୋଇପାରିନଥିବାରୁ ପିଲାଙ୍କ ପାଠପଢା ଉପରେ ଏହାର ପ୍ରଭାବ ପଡିବ ବୋଲି ଆଶଙ୍କା ପ୍ରକାଶ ପାଇଲାଣି ।

ଗୋଟିଏ ପଟେ ଅଧ୍ୟାପକମାନେ ସହରାଞ୍ଚଳରେ ଗାଦିମାଡି ବସିବା ଓ ଅନ୍ୟପଟେ ଅତିଥି ଅଧ୍ୟାପକ ନିଯୁକ୍ତିରେ ଅହେତୁକ ବିଳମ୍ବ ଏବେ ସରକାରୀ ମହାବିଦ୍ୟାଳୟର ପାଠପଢା ଉପରେ ପ୍ରଭାବ ପକାଇବ ବୋଲି ଶିକ୍ଷାବିତ୍‍ ଓ ଅଭିଭାବକମାନେ ଆଶଙ୍କା ପ୍ରକାଶ କରୁଛନ୍ତି । ତେଣୁ ନୂଆ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମତପ୍ରକାଶ ପାଉଛି । (ତଥ୍ୟ)