Home News in Odia ପୌର, ପଞ୍ଚାୟତ ଦଖଲ ଅଭିଯାନ

ପୌର, ପଞ୍ଚାୟତ ଦଖଲ ଅଭିଯାନ

ଭୁବନେଶ୍ୱର : ଓଡିଶାରେ ବିଜେପି ସରକାର ଗଢାଯିବା ପରେ ବିଭିନ୍ନ ପୌର ଓ ପଞ୍ଚାୟତିରାଜ ସଂସ୍ଥାର ବହୁ ଅଣ ବିଜେପି ନିର୍ବାଚିତ ସଦସ୍ୟ ବିଜେପିରେ ଯୋଗଦେବାକୁ ସଜବାଜ ହେଲେଣି । ସେମାନଙ୍କୁ ଆପଣେଇ ନେଇ ବିଜେପି ମଧ୍ୟ ବହୁ ପୌର ଓ ପଞ୍ଚାୟତିରାଜ ସଂସ୍ଥା ଦଖଲ କରିପାରେ । ଏହି କାର୍ଯ୍ୟକ୍ରମର ମୂଳଦୂଆ ଭବାନୀପାଟଣା ପୌରସଂସ୍ଥାରୁ ଆରମ୍ଭ ହେଉଛି ।

ଭବାନୀପାଟଣା ପୌରସଂସ୍ଥାର ପୌରାଧ୍ୟକ୍ଷା ବିଜେଡି ଦଳର । ତାଙ୍କ ବିରୁଦ୍ଧରେ ଏବେ ବିଜେଡି, ବିଜେପି ଓ କଂଗ୍ରେସର ପ୍ରାୟ ୨୦ଜଣ କାଉନସିଲର ମେଳି ହୋଇ ବହିଷ୍କାର କରିବାକୁ ଦାବି ଉଠାଇଛନ୍ତି । ଏହା ସଫଳ ହେଲେ ବିଜେଡିର ବହୁ କାଉନସିଲର ବିଜେପିରେ ଯୋଗଦେବେ ଏବଂ ଏହି ପୌରସଂସ୍ଥା ବିଜେପି ନିୟନ୍ତ୍ରଣକୁ ଆସିବ ବୋଲି କୁହାଯାଉଛି । ଏଠାରେ ଉଲ୍ଲେଖନୀୟ ଯେ କଳାହାଣ୍ଡିର ଲୋକସଭା ଆସନରୁ ବିଜେପି ଜିଣିଥିବାବେଳେ ଭବାନୀପାଟଣା ବିଧାନସଭା କ୍ଷେତ୍ରରେ କିନ୍ତୁ କଂଗ୍ରେସ ପ୍ରାର୍ଥୀ ଜିଣିଛନ୍ତି ।

ଇତି ମଧ୍ୟରେ ଭୁବନେଶ୍ୱର ଓ କଟକ ମହାନଗର ନିଗମରେ କମିଟି ଅଧ୍ୟକ୍ଷ ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି କର୍ପୋରେଟରମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ଏମିତିକି ଗତ ବିଧାନସଭା ଓ ଲୋକସଭା ନିର୍ବାଚନରେ କିଛି ବିଜେଡି କର୍ପୋରେଟର ଦଳୀୟ ପ୍ରାର୍ଥୀଙ୍କ ବିରୁଦ୍ଧରେ ଖୋଲା ବିଦ୍ରୋହ ଘୋଷଣା କରିଥିଲେ ମଧ୍ୟ ଦଳୀୟ କର୍ତ୍ତୃପକ୍ଷ ସେମାନଙ୍କୁ ବୁଝାସୁଝା କରି ରଖିଥିଲେ । ତେବେ ଏହାର ପ୍ରଭାବ ନିର୍ବାଚନରେ ପ୍ରତିଫଳିତ ହୋଇଛି ।

ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ଖାତାକୁ ୩୦ଟି ଯାକ ଜିଲ୍ଲା ପରିଷଦ ସମେତ ସଂଖ୍ୟାଧିକ ପଞ୍ଚାୟତ ସମିତି ଓ ପୌରସଂସ୍ଥା ଯାଇଥିଲା । ଏବେ ପରିବର୍ତ୍ତିତ ରାଜନୈତିକ ପାଣିପାଗରେ ଦଳ ବଦଳକୁ ରୋକାଯାଇ ନପାରିଲେ ଅନେକ ପଞ୍ଚାୟତିରାଜ ଓ ପୌରସଂସ୍ଥାରେ ଅଧ୍ୟକ୍ଷମାନଙ୍କୁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡିପାରେ ।

୨୦୨୭ରେ ପୌର ଓ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ପରିପ୍ରେକ୍ଷୀରେ ଏବେ ଠାରୁ ବିଜେପି ପ୍ରସ୍ତୁତି ପର୍ବ ଆରମ୍ଭ କରିଛି । ନିଜ ଘର ସଜାଡିବା ପାଇଁ ବିଜେଡି ମଧ୍ୟ ଉଦ୍ୟମ କରିବା ସ୍ୱାଭାବିକ । ତେବେ ରାଜନୈତିକ ଟଣାଓଟରାରେ ଅନେକ ପଞ୍ଚାୟତ ସମିତି ଅଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ପୌରାଧ୍ୟକ୍ଷଙ୍କ ଆସନ ଟଳମଟଳ ଅବସ୍ଥାରେ ରହିଛି ।

ବିଜେପି ନେତାମାନେ କହୁଛନ୍ତି ଯେ ସେମାନେ କୌଣସି ପୌର ବା ପଞ୍ଚାୟତିରାଜ ସଂସ୍ଥାକୁ ଭାଙ୍ଗିବା ସପକ୍ଷରେ ନଥିଲେ ମଧ୍ୟ ବହୁ ସ୍ଥାନରେ ଅନ୍ୟ ଦଳର ନିର୍ବାଚିତ ଲୋକପ୍ରତିନିଧିମାନେ ବିଜେପିରେ ଯୋଗଦେବାପାଇଁ ଆଗ୍ରହ ପ୍ରକାଶ କରୁଥିବାରୁ ଏ ସଂକ୍ରାନ୍ତରେ ଠିକଣା ସମୟରେ ଦଳୀୟ କର୍ତ୍ତୃପକ୍ଷ ଉଚିତ୍‍ ନିଷ୍ପତ୍ତି ନେବେ । ତେବେ କେନ୍ଦ୍ର ଓ ରାଜ୍ୟ ସରକାର ପଞ୍ଚାୟତିରାଜ ଓ ପୌରସଂସ୍ଥାଗୁଡିକୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମରେ ଦେଇଥିବା ଅର୍ଥ ଯେପରି ହେରଫେର ନହୁଏ ଏବଂ ଅତୀତରେ ଯେଉଁ କ୍ଷେତ୍ରରେ ଦୁର୍ନୀତି କରି ପାଣ୍ଠି ତୋଷରପାତ ହୋଇଛି ସେ ସବୁର ଠିକଣା ତଦନ୍ତ କରାଯାଇ ଅବଶ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କେବଳ ସେତିକି ନୁହେଁ, ଯେଉଁସବୁ କେନ୍ଦ୍ରୀୟ ଯୋଜନାର ନାମ ବଦଳାଇ ରାଜ୍ୟ ସରକାର ପୂର୍ବରୁ ପ୍ରଶଂସା ସାଉଁଟୁଥିଲେ ସେ ସବୁର ମଧ୍ୟ ପର୍ଦ୍ଦାଫାଶ ହେବ । ନୂଆ ସରକାରଙ୍କ ଏହି ସ୍ପଷ୍ଟ ଆଭିମୁଖ୍ୟ ଜଣାପଡିବା ପରେ କେତେକଙ୍କ ମନରେ ଛନକା ପଶିଛି । ତେବେ ଏଭଳି ଦୁର୍ନୀତିରେ ଯେଉଁମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଜଡିତ ସେମାନଙ୍କ ଭିତରୁ କାହାକୁ ବି ଛଡାଯିବ ନାହିଁ ବୋଲି ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀ ଏବଂ ବିଧାୟକ ଓ ସାଂସଦମାନେ କହୁଛନ୍ତି । (ତଥ୍ୟ)