Home Excise ନିର୍ଦ୍ଦେଶ ମାନୁ ନାହାନ୍ତି ମଦଦୋକାନୀ

ନିର୍ଦ୍ଦେଶ ମାନୁ ନାହାନ୍ତି ମଦଦୋକାନୀ

ଭୁବନେଶ୍ୱର : ରାଜ୍ୟରେ ମଦ ବନ୍ଦକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ରାଜଧାନୀରେ ମଦୁଆଙ୍କୁ ଜବତ ପାଇଁ କମିଶନରେଟ ପୁଲିସ୍‍ ଜାରି କରିଥିବା ନିର୍ଦ୍ଦେଶନାମାକୁ ଅଧିକାଂଶ ମଦଦୋକାନୀ ମାନୁ ନାହାନ୍ତି । ଏହି ନିର୍ଦ୍ଦେଶନାମା ତତ୍କାଳୀନ ପୁଲିସ୍‍ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ଜାରି କରିଥିଲେ ।

ରାଜ୍ୟରେ ମଦୁଆଙ୍କ ଉତ୍ପାତ ଓ ଅପରାଧକୁ ଦୃଷ୍ଟିକୁ ରଖି ଜାରି ହୋଇଥିବା ବିଜ୍ଞପ୍ତିରେ ମଦ ଦୋକାନୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିଲା । ଏଥିରେ କୁହାଯାଇଥିଲା ଯେ ମଦ ଦୋକାନ ନିକଟରେ ଚାଖଣା ଦୋକାନ ରହିବ ନାହିଁ । ଯଦି ରହିବ ଏଥିପାଇଁ ମଦ ଦୋକାନୀମାନେ ଦାୟୀ ରହିବେ । ସେହିଭଳି ମଦଦୋକାନୀମାନଙ୍କ ପାଇଁ ସିସିଟିଭି ଲଗାଇବା ବାଧ୍ୟତାମୂଳକ କରାଯାଇଥିଲା । ଏହି ସିସିଟିଭିର ରେକର୍ଡିଂ ଅତି କମ୍‍ରେ ୧୫ ଦିନ ପର୍ଯ୍ୟନ୍ତ ରହିବ ଏବଂ ପୁଲିସ୍‍ମାନେ ଯେତେବେଳେ ଚାହିଁବେ ଏହି ସିସିଟିଭିକୁ ଯାଞ୍ଚ କରିପାରିବେ ।

ତେବେ ଏହାକୁ ଅନେକ ମଦ ଦୋକାନୀ ମାନୁ ନାହାନ୍ତି । ଏବେ ରାଜଧାନୀର ଅଧିକାଂଶ ମଦଦୋକାନ ନିକଟରେ ମାଳ ମାଳ ଚାଖଣା ଦୋକାନ । ଫଳରେ ମଦୁଆମାନେ ସହଜରେ ମଦ ଦୋକାନ ଆଖପାଖରେ ମଦ ପିଉଛନ୍ତି । ଚାଖଣା ଦୋକାନମାନଙ୍କୁ ହଟାଇବାପାଇଁ ମଦ ଦୋକାନଗୁଡିକ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ବରଂ ଅଧିକାଂଶ ସ୍ଥାନରେ ସବୁ ଦେଖି ନଦେଖଲା ପରି ରହୁଛନ୍ତି ।

ସେହିଭଳି ମଦ ଦୋକାନରେ ସିସିଟିଭି ଲଗାଇବା ଓ ଏହାକୁ ନିୟମିତ ଭାବେ ଯାଞ୍ଚର ବ୍ୟବସ୍ଥା ଥିବାବେଳେ ଅପରାଧିଙ୍କୁ ଧରିବା ପାଇଁ ପୁଲିସ୍‍ ଯେଭଳି ଯାଞ୍ଚ କରିବାକଥା ତାହା ହେଉନାହିଁ । ଏଥିଯୋଗୁଁ ମଦ ଦୋକାନକୁ ନିଶା ସେବନ ପାଇଁ ନିୟମିତ ଭାବେ ଆସୁଥିବା ନିଶାଡିଙ୍କୁ ଧରାଯାଇ ପାରୁନାହିଁ । ମଦ ଦୋକାନ ଆଖପାଖରେ ଅପରାଧିମାନେ ଆତଯାତ ହେଉଥିବାବେଳେ ସେଠାରେ ପୁଲିସ୍‍ ଯେଭଳି ଭାବେ ପଇଁତରା ମାରିବାକଥା ତାହା ବି ହେଉନାହିଁ । ରାଜଧାନୀର କେତେକ ସ୍ଥାନରେ ମଦଦୋକାନ ଭିଡ ଯୋଗୁଁ ରାସ୍ତାଉପରେ ଟ୍ରାଫିକ ସମସ୍ୟା ଉପୁଜୁଥିଲେ ମଧ୍ୟ ତାହାକୁ ହଟାଇବାପାଇଁ ପୁଲିସ୍‍ ପଦକ୍ଷେପ ନନେବା ଏବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି ।

କଟକଣା ଜାରି ପରେ କିଛି ମଦ ଦୋକାନୀ ରଙ୍ଗୀନ ବିଜ୍ଞାପନ ହଟାଇବା ସହିତ ତାହାକୁ ଘୋଡାଇ ଦେଇଥିଲେ । ହେଲେ ଏବେ ଧିରେ ଧିରେ ନିଜ ନିଜ ମଦ ଦୋକାନକୁ କିଭଳି ଅଧିକ ଗ୍ରାହକ ଆସିବେ ସେଥିପାଇଁ ରଙ୍ଗ ବେରଙ୍ଗର ଆକର୍ଷଣୀୟ ଆଲୋକ ଓ ଫଟୋ ଲଗାଇବା ଆରମ୍ଭ କରିଛନ୍ତି ।

ବର୍ତ୍ତମାନ ରାଜ୍ୟରେ ମଦ ବନ୍ଦ ପାଇଁ ଖୋଦ୍‍ ମନ୍ତ୍ରୀ ମନ୍ତବ୍ୟ ଦେବାପରେ ମଦବିରୋଧି ସ୍ୱେଚ୍ଛାସେବୀମାନେ ସେମାନଙ୍କର ମଦ ବନ୍ଦ ଦାବିକୁ ଜୋରଦାର କରିଛନ୍ତି । ଏପରିକି ଆଗାମୀ ସ୍ୱାଧୀନତା ଦିବସ ଠାରୁ ରାଜ୍ୟରେ ନିଶା ନିବାରଣ ପାଇଁ ବି ଦାବି ଉଠିଲାଣି । ତେଣୁ ଏଭଳି ସ୍ଥିତିରେ ମଦୁଆ ଓ ମଦ ଦୋକାନକୁ ନିୟନ୍ତ୍ରଣ ପାଇଁ ଖୋଦ୍‍ ପୁଲିସ୍‍ ଜାରି କରିଥିବା ମାର୍ଗଦର୍ଶିକା ରାଜଧାନୀରେ କଡାକଡି ପାଳନ ପାଇଁ ମତପ୍ରକାଶ ପାଉଛି । ଏହା ହୋଇପାରିଲେ ରାଜଧାନୀରୁ କେବଳ ଅପରାଧ ହ୍ରାସ ପାଇବନାହିଁ, ରାସ୍ତାଘାଟରେ ମଦୁଆଙ୍କୁ ଧରିବାପାଇଁ ଏକାଧିକ ପୁଲିସ୍‍ ମଧ୍ୟ ମୁତୟନ କରିବାକୁ ପଡିବନାହିଁ ବୋଲି ନିଶା ନିବାରଣ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି । (ତଥ୍ୟ)