Home Education ଅଚଳ ଅବସ୍ଥାରେ ଓଡିଶା ନାଇଲିଟ

ଅଚଳ ଅବସ୍ଥାରେ ଓଡିଶା ନାଇଲିଟ

ଭୁବନେଶ୍ୱର : ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ଶିକ୍ଷା ଦେବାପାଇଁ ରାଜଧାନୀରେ ଖୋଲିଥିବା କେନ୍ଦ୍ର ସରକାରଙ୍କ ନେସନାଲ ଇନଷ୍ଟ୍ୟୁଟ ଅଫ୍‍ ଇଲେକଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ ଟେକ୍ନୋଲୋଜି (ନାଇଲିଟ) କେନ୍ଦ୍ରଟି ଏବେ ପ୍ରାୟ ଅଚଳ ଅବସ୍ଥାରେ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଦୀର୍ଘଦିନ ଧରି ଏହି କେନ୍ଦ୍ରୀୟ ସଂସ୍ଥା ସାର୍ଟିଫିକେଟ ପ୍ରଦାନ କରିପାରୁନଥିବାବେଳେ ‘ଏ ଲେଭଲ୍‍’ ଭଳି ପାଠ୍ୟକ୍ରମ ପଢିବାପାଇଁ ଏଠାରେ ପିଲା ଆଗ୍ରହୀ ହେଉନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କର ଏହି ପ୍ରଶିକ୍ଷଣ ସଂସ୍ଥାଟି ସମ୍ପୂର୍ଣ୍ଣ ରୂପେ ଅତିଥି ଅଧ୍ୟାପକଙ୍କ ଉପରେ ନିର୍ଭରଶୀଳ । ବୈଷୟିକ ଡିଗ୍ରୀଧାରୀମାନଙ୍କୁ ସ୍ୱଳ୍ପ ପାରିଶ୍ରମିକ ମିଳୁଥିବାରୁ କୌଣସି ଶିକ୍ଷକ ଏଠାରେ ଅଧିକ ଦିନ କାର୍ଯ୍ୟ କରୁନାହାନ୍ତି । କିଛି ଦିନର ଅଭିଜ୍ଞତା ହାସଲ ପରେ ଏମାନେ ଭଲ ଭଲ ସ୍ଥାନରେ ଅଧିକ ପଇସାରେ ନିଯୁକ୍ତି ପାଇ ପଳାଉଛନ୍ତି । ଏହାର ପ୍ରଭାବ ଛାତ୍ରଛାତ୍ରୀଙ୍କ ପାଠପଢା ଉପରେ ପଡୁଛି ।

ସେହିଭଳି ‘ଓ ଲେଭଲ’ ଭଳି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାଙ୍କୁ ଦୀର୍ଘଦିନ ଧରି ସାର୍ଟିଫିକେଟଟିଏ ମିଳିପାରୁନାହିଁ । ସେମାନେ ଉତ୍ତୀର୍ଣ୍ଣ ହେବାର ବହୁ ଦିନ ବିତିଥିଲେ ବି କାହିଁକି ସେମାନଙ୍କୁ ଏହି କେନ୍ଦ୍ରୀୟ ସଂସ୍ଥା ସାର୍ଟିପିକେଟଟିଏ ଦେଇପାରୁ ନାହିଁ ତାହା ଖୋଦ ଛାତ୍ରଛାତ୍ରୀମାନେ ବି ଜାଣିପାରୁ ନାହାନ୍ତି । ଇତି ମଧ୍ୟରେ କେତେକ ଛାତ୍ରଛାତ୍ରୀ ଏଠାକୁ ବାରମ୍ବାର ଦଉଡି ଦଉଡି ହତାଶ ହେବାପରେ ଆଉ ଆସୁନାହାନ୍ତି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି ଏହି କେନ୍ଦ୍ରୀୟ ସଂସ୍ଥା ଅନୁସୂଚିତ ଜାତି ଓ ଜନଜାତି ଏବଂ ଆର୍ଥିକ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ବିନା ମୂଲ୍ୟରେ ପ୍ରଶିକ୍ଷଣ ଦେବା ସହିତ ଷ୍ଟାଇପେଣ୍ଡ ପ୍ରଦାନ କରିଥାଏ । ହେଲେ ଏଠାରୁ ଉତ୍ତୀର୍ଣ୍ଣ ଅନେକ ଛାତ୍ରଛାତ୍ରୀ ବର୍ଷ ବର୍ଷ ଧରି ସେମାନଙ୍କର ପ୍ରାପ୍ୟ ପାଇପାରୁ ନାହାନ୍ତି । ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢିବା ସହିତ ନୂଆ ଛାତ୍ରଛାତୀମାନେ ଏଠାକୁ ଆଉ ପୂର୍ବଭଳି ଆଗ୍ରହୀ ହେଉନାହାନ୍ତି ।

ବର୍ତ୍ତମାନ ଏହି କେନ୍ଦ୍ରୀୟ ଅନୁଷ୍ଠାନରେ ‘ଏ ଲେଭଲ’ ପାଠ୍ୟକ୍ରମରେ ନାମ ଲେଖାଇବାପାଇଁ ଛାତ୍ରଛାତ୍ରୀ ମିଳୁନାହାନ୍ତି । ଏହି ପାଠ୍ୟକ୍ରମପାଇଁ ନାଇଲେଟ୍‍ ଜିଏସ୍‍ଟି ଟିକସ ବାହାରେ ୩୪ ହଜାର ଟଙ୍କା ଦାବି କରୁଥିବାବେଳେ ଘରୋଇ କମ୍ପ୍ୟୁଟର ସଂସ୍ଥାମାନେ ଏହାଠାରୁ ୪/୫ ହଜାର ଟଙ୍କା କମ୍‍ ନେଉଛନ୍ତି । ଏହିସବୁ ଘରୋଇ ସଂସ୍ଥାକୁ ନାଇଲେଟ୍‍ ଅନୁମତି ଦେବା ସହିତ ସାର୍ଟିଫିକେଟ ପ୍ରଦାନ କରୁଛି । ହେଲେ ଘରୋଇ ସଂସ୍ଥା ତୁଳନାରେ ଏଠାରେ ଅଧିକ ଅର୍ଥ ନିଆଯିବା ଯୋଗୁଁ ଛାତ୍ରଛାତ୍ରୀମାନେ ଏଠାରେ ପଢିବାକୁ ରାଜି ହେଉନାହାନ୍ତି । ପୂର୍ବରୁ ଛାତ୍ରଛାତ୍ରୀମାନେ ଏହି ପାଠ୍ୟକ୍ରମ ଓଡିଶା ସରକାରଙ୍କ ସଂସ୍ଥା ଓକାକ୍‍ରେ ପଢିବାର ସୁଯୋଗ ପାଉଥିଲେ । ହେଲେ ନାଇଲେଟ୍‍ ଖୋଲିବା ପରେ ଓକାକ୍‍ କର୍ତ୍ତୃପକ୍ଷ ତାଙ୍କର ପ୍ରଶିକ୍ଷଣ ବ୍ୟବସ୍ଥାକୁ ବନ୍ଦକରି ଦେଇଛନ୍ତି । ଫଳରେ ସରକାରୀ ଅନୁଷ୍ଠାନରେ ‘ଏ ଲେଭଲ୍‍’ ପଢିବା ଏବେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱପ୍ନ ପାଲଟିଛି ।

ଏହି କେନ୍ଦ୍ରୀୟ ସଂସ୍ଥାଟି କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଅଧିନରେ ଥିବାବେଳେ ଏହାର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ଓଡିଶାର ସାଂସଦ । ଏହି କେନ୍ଦ୍ର ପ୍ରତିଷ୍ଠା ହେବାପରେ ରାଜ୍ୟ ବାହାରେ ଥିବା କିଛି ଓଡିଆ ଅଧିକାରୀ ମଧ୍ୟ ଏଠାରେ ନିଯୁକ୍ତ ହୋଇଛନ୍ତି । ତେବେ ସମସ୍ତ ପ୍ରକାର ଭିତ୍ତିଭୂମି ଥିବା ସତ୍ୱେ ଏହି କେନ୍ଦ୍ରଟିର ଏଭଳି ଅବସ୍ଥା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିବାବେଳେ ଓଡିଶାରୁ ମନ୍ତ୍ରୀ ହୋଇଥିବା ଶ୍ରୀ ବୈଷ୍ଣବ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାପାଇଁ ମତ ଦେଉଛନ୍ତି । (ତଥ୍ୟ)