Home General ଧାନ କିଣା ପାଇଁ ଅର୍ଥ ଚିନ୍ତା

ଧାନ କିଣା ପାଇଁ ଅର୍ଥ ଚିନ୍ତା

ଭୁବନେଶ୍ୱର : ଆଗାମୀ ଖରିଫ ଋତୁରେ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣାଯିବ ବୋଲି ନୂଆ ସରକାର ଘୋଷଣା କରିଥିବାବେଳେ ଧାନ କିଣୁଥିବା ଓଡିଶା ଯୋଗାଣ ନିଗମ ଏବେ ଏ ବାବଦ ଅର୍ଥ କେନ୍ଦ୍ରରୁ ନପାଇ ଋଣ ବୋଝରେ ବୁଡିଗଲାଣି । ଧାନ କିଣା ବାବଦରେ କେନ୍ଦ୍ରରୁ ପାଇବାକୁ ଥିବା ଟଙ୍କା ତୁରନ୍ତ ନମିଳିଲେ ଧାନ କିଭଳି କିଣାଯିବ ତାହାକୁ ନେଇ କର୍ତ୍ତୃପକ୍ଷ ଏବେ ଚିନ୍ତାରେ ।

ରାଜ୍ୟରେ ଚାଷୀଙ୍କ ଠାରୁ ଯୋଗାଣ ନିଗମ ଧାନ କିଣିଥାଏ । ଏଥିରୁ ଚାଉଳ ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କୁ ଯୋଗାଇଥାଏ । ଧାନ ଓ ସବସିଡ୍‍ ବାବଦ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିଥାନ୍ତି । ତେବେ କେନ୍ଦ୍ରରୁ ମିଳିବାକୁ ଥିବା ଅର୍ଥ ବିଳମ୍ବ ହେଉଥିବାରୁ ନିଗମ କର୍ତ୍ତୃପକ୍ଷ ବ୍ୟାଙ୍କ୍‍ରୁ ଋଣ ଆଣି ଥାନ କିଣିଥାନ୍ତି । ଜୁନ୍‍ ୨୦୨୪ ସୁଦ୍ଧା କେନ୍ଦ୍ର ସରାକରଙ୍କୁ ଠାରୁ ପ୍ରାରମ୍ଭିକ ସବସିଡ୍‍ ବାବଦରେ ପାଇବାକୁ ଥିବା ୯୬୫୩ କୋଟି ଟଙ୍କା ଏବଂ ଅଗ୍ରୀମ ସବସିଡ୍‍ ବାବଦରେ ପାଇବାକୁ ଥିବା ୪୯୫ କୋଟି ଟଙ୍କା ନିଗମକୁ ମିଳିନାହିଁ ।

ଗୋଟିଏ ପଟେ କେନ୍ଦ୍ର ସରକାର ଅର୍ଥ ପ୍ରଦାନରେ ବିଳମ୍ବ କରୁଥିବାବେଳେ ଅନ୍ୟ ପଟେ ବ୍ୟାଙ୍କ୍‍ ଋଣ ଉପରେ ସୁଧ ବଢିବାରେ ଲାଗିଛି । ନିଆଯାଇଥିବା ଋଣ ଉପରେ ବର୍ତ୍ତମାନ ସୁଦ୍ଧା ସୁଦ୍ଧ ପରିମାଣ ବଢି ବଢି ୭୫୦୦ କୋଟି ଟଙ୍କାରେ ପହଞ୍ଚିଗଲାଣି । ଏହି ଅର୍ଥ ମଧ୍ୟ କେନ୍ଦ୍ର ସରକାର ପ୍ରଦାନ କରିବାକଥା ।

ମୋଟାମୋଟି ଭାବେ କେନ୍ଦ୍ର ସରକାରଙ୍କ ଠାରୁ ଧାନକିଣା ବାବଦରେ ରାଜ୍ୟ ପାଇବାକୁ ଥିବା ୧୭,୬୪୮ କୋଟି ଟଙ୍କା ମିଳିପାରୁ ନାହିଁ । ଏଥିଯୋଗୁଁ ରାଜ୍ୟ ଯୋଗାଣ ନିଗମ ଏବେ ଏକ ପ୍ରକାର ଋଣ ଭାରରେ ବୁଡି ଗଲାଣି । ଯଦି ତୁରନ୍ତ କେନ୍ଦ୍ର ସରକାର ଅର୍ଥ ପଇଠ ନକରନ୍ତି ତେବେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇପାରିବ ନାହିଁ ବୋଲି ସୂଚନା ମିଳିଲାଣି ।

ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୩୦୦ ଟଙ୍କାକୁ ବୃଦ୍ଧି କରିଥିବାବେଳେ ରାଜ୍ୟ ସରକାର ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଖରିଦ କରିବେ । ଏହା ଫଳରେ କୁଇଣ୍ଟାଲ ପ୍ରତି ଆଉ ୮୦୦ ଟଙ୍କା କରି ଅଧିକ ବ୍ୟୟ କରିବାକୁ ପଡିବ । ତେଣୁ ଧାନ କିଣା ପୂର୍ବରୁ ଯୋଗାଣ ନିଗମ ହାତରେ ଆହୁରି ଅଧିକ ଅର୍ଥ ଆବଶ୍ୟକ ପଡୁଛି ।

କେବଳ ଚାଷୀଙ୍କ ଠାରୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ଦରରେ ଧାନ କିଣାଯିବ ନାହିଁ, ଧାନ ବିକ୍ରିର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ୍‍ ଖାତାକୁ ଏ ବାବଦୀୟ ଅର୍ଥ ଯିବ ବୋଲି ମଧ୍ୟ ସରକାର ଘୋଷଣା କରିଛନ୍ତି । ତେଣୁ ଯୋଗାଣ ନିଗମ ପାଖରେ ବିପୁଳ ଅର୍ଥ ଆବଶ୍ୟକ ହେଉଛି । ନିଗମ କର୍ତ୍ତୃପକ୍ଷ ସୁଧ ଚାପରେ ଥିବାରୁ ବ୍ୟାଙ୍କ୍‍ରୁ ଆଉ ଅଧିକ ଋଣ କରିବା ସ୍ଥିତିରେ ନାହାନ୍ତି । ତେଣୁ କେନ୍ଦ୍ର ସରକାର ଧାନ କିଣା ପ୍ରକ୍ରିୟା ପୂର୍ବରୁ ଯଦି ତୁରନ୍ତ ବକେୟା ଟଙ୍କା ପ୍ରଦାନ କରନ୍ତି ତେବେ ଚାଷୀଙ୍କ ଠାରୁ ଧାନ କିଣା ମୁସ୍କିଲ ହୋଇପଡିବ ବୋଲି ଏହି ଦାୟିତ୍ୱରେ ଥିବା ଅଧିକାରୀମାନେ କହୁଛନ୍ତି । (ତଥ୍ୟ)