ଭୁବନେଶ୍ୱର : ରାଜଧାନୀର ନକ୍ସାକୁ ଏବେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ବିଗାଡିବାରେ ଲାଗିଛି । ସାଧାରଣ ଲୋକଙ୍କ ସମେତ ବିଲ୍ଡରମାନଙ୍କୁ ମନଇଚ୍ଛା ନିର୍ମାଣ ଅନୁମତି ଦେବାଯୋଗୁଁ ଏଭଳି ମତ ପ୍ରକାଶ ପାଉଛି ।
ରାଜ୍ୟ ରାଜଧାନୀରେ ଥିବା ୬୭ଟି ୱାର୍ଡ ପରିସୀମା ମଧ୍ୟରେ ଘର ତିଆରି କରିବାପାଇଁ ଏବେ ବିଏମ୍ସିର ଅନୁମୋଦନ ଆବଶ୍ୟକ । ବିଏମ୍ସି କର୍ତ୍ତୃପକ୍ଷ ପ୍ଲାନ ମଞ୍ଜୁରୀ କଲାପରେ ଘର ତିଆରି ହେବ । ହେଲେ ଆଖିବୁଜା ପ୍ଲାନ ମଞ୍ଜୁରୀ ଏବେ ବିଭିନ୍ନ ୱାର୍ଡରେ ଲୋକଙ୍କ ପାଇଁ ଏକ ପ୍ରକାର କାଳ ହେଲାଣି । ବିଶେଷକରି ଦୀର୍ଘଦିନ ଧରି ସାଧାରଣ ପ୍ରଶାସନ ବିଭାଗରୁ ପ୍ଲଟ ଖଣ୍ଡିଏ ପାଇ ତାହା ଉପରେ ଘର କରିଥିବା ଲୋକେ ଆଉ ସୂର୍ଯ୍ୟକିରଣ କିମ୍ବା ମୁକ୍ତ ପବନ ଟିକେ ପାଉନାହାନ୍ତି । ଅନେକଙ୍କ ବାଡିରେ ଆଉ ଦୁବ ବି କଅଁଳୁ ନାହିଁ ।
ସହରର ବିଭିନ୍ନ ୟୁନିଟ୍ରେ ଜିଏ ପ୍ଲଟ ପାଇଥିବା ଲୋକେ ଏବେ ସେମାନଙ୍କ ଜମିକୁ ବିଲଡରମାନଙ୍କ ହାତକୁ ଟେକି ଦେଉଛନ୍ତି । ବିଲ୍ଡର ସେଠାରେ ୫/୬ ମହଲା ଘର ଠିଆ କରୁଛି । ଏଥିରୁ ଜମି ମାଲିକ କିଛି ଘର ମାଗଣାରେ ପାଇଲା ପରେ ଅବଶିଷ୍ଟକୁ ବିଲ୍ଡର କୋଟି କୋଟି ଟଙ୍କାରେ ବିକ୍ରି କରୁଛି । ତେବେ ଏହି ପ୍ଲଟ ଚାରିପଟେ ରହୁଥିବା ଲୋକେ ସବୁଦିନ ପାଇଁ ଏକ ପ୍ରକାର ବନ୍ଦୀ ଜୀବନ ଯାପନ କରୁଛନ୍ତି ।
ରାଜଧାନୀରେ ବସବାସ ପାଇଁ ସାଧାରଣ ପ୍ରଶାସନ କର୍ତ୍ତୃପକ୍ଷ ରିହାତି ଦରରେ ଲଟେରୀ ମାଧ୍ୟମରେ ଲୋକଙ୍କୁ ଜମି ଯୋଗାଇଛନ୍ତି । ଏହି ଜମିଟି ଗୋଟିଏ କିମ୍ବା ଅତି ବେଶୀରେ ଦୁଇଟି ପରିବାର ରହିବାପାଇଁ ଉଦ୍ଦିଷ୍ଟ । ସେହି ଅନୁଯାୟୀ ସଡକ, ଜଳଯୋଗାଣ, ବିଜୁଳି ଯୋଗାଣ ଆଦି ବ୍ୟବସ୍ଥା ହୋଇଛି । ତେବେ ଅନେକ ବ୍ୟକ୍ତି ଏବେ ଲୋଭରେ ପଡି ନିଜ ନିଜ ଘରକୁ ବିଲଡରଙ୍କ ହାତରେ ଟେକି ଦେଉଛନ୍ତି ।
ତେବେ ସାଧାରଣ ପ୍ରଶାସନ ବିଭାଗ ଦେଇଥିବା ଏହି ଜମି ଉପରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ବିଏମ୍ସି କିଭଳି ଅନୁମତି ଦେଉଛି ତାହା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ପୂର୍ବରୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏଭଳି ଆଖିବୁଜା ଅନୁମତି ଦେବା ଯୋଗୁଁ ବିଭିନ୍ନ ୟୁନିଟ୍ରେ ମାଳ ମାଳ ସୁଉଚ୍ଚ ଅଟ୍ଟାଳିକା ହୋଇଥିବାବେଳେ ଏବେ ବିଏମ୍ସି କର୍ତ୍ତୃପକ୍ଷ ସେହି ରାସ୍ତାରେ ଯାଉଛନ୍ତି ।
ଛୋଟ ଛୋଟ ଜମି ଉପରେ ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେବାପରେ ସେହି ସବୁ ସ୍ଥାନରେ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ସ୍ୱରେଜ, ପାନୀୟଜଳ ଓ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ପାଇଁ ବ୍ୟାପକ ଅର୍ଥ ବ୍ୟୟକରିବାକୁ ପଡୁଛି । କାରଣ ଜମି ପ୍ରଦାନ ସମୟରେ ଯେଉଁଠାରେ ୪/୫ ଜଣ ଲୋକ ରହିବାପାଇଁ ଭିତ୍ତିଭୂମି ତିଆରି ହୋଇଥିଲା ସେଠାରେ ଏବେ ଶତାଧିକ ଲୋକ ବସବାସ କରୁଛନ୍ତି । ଅନେକ ବିଲ୍ଡର ଆପାର୍ଟମେଣ୍ଟ ନିର୍ମାଣ ସମୟରେ ଅଧିକ ଅର୍ଥ ଆଶାରେ ପାର୍କିଂପାଇଁ ସ୍ଥାନ ଟିକେ ଛାଡୁ ନଥିବାରୁ ସେହିସବୁ ଅଞ୍ଚଳରେ ଗାଡିମୋଟର ରଖିବା ଏବେ ବଡ ସମସ୍ୟା ହେଲାଣି ।
ଦୀର୍ଘଦିନ ଧରି ଚାଲି ଆସିଥିବା ଏଭଳି ଆଖିବୁଜା ନିର୍ମାଣ ଅନୁମତିର ସମୀକ୍ଷା କରିବା ସହିତ ଏହା ଉପରେ ନୂଆ ସରକାର ରୋକ୍ ଲଗାଇବାପାଇଁ ବିଭିନ୍ନ ୟୁନିଟ୍ର ଲୋକେ ମତ ଦେଉଛନ୍ତି । ଏହା ନହେଲେ ରାଜଧାନୀର ନକ୍ସାକୁ ବିଡିଏ ଓ ବିଏମ୍ସି ଯେଭଳି ବିଗାଡିବାରେ ଲାଗିଛନ୍ତି ଆଗାମୀ ଦିନରେ ତାହା ଅଧିକ ବିକୃତ ହୋଇଯିବ । (ତଥ୍ୟ)