Home Administration ବଦଳିବ କି ଦପ୍ତର ସମୟ ?

ବଦଳିବ କି ଦପ୍ତର ସମୟ ?

ଭୁବନେଶ୍ୱର : କେନ୍ଦ୍ର ସରକାରୀ କର୍ମଚାରୀମାନେ ଧାର୍ଯ୍ୟ ସମୟରେ ଦପ୍ତରକୁ ଆସିବା ଉପରେ ଜୋର ଦିଆଯିବା ସହିତ ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ କାର୍ଯ୍ୟଦିବସ ଅଧାଦିନ ହୋଇଯିବ ବୋଲି କୁହାଯିବା ପରେ ଏହାକୁ ନେଇ ଏବେ ରାଜ୍ୟ ପ୍ରଶାସନରେ ଗୁଞ୍ଜରଣ ସୃଷ୍ଟି ହୋଇଛି । ରାଜ୍ୟରେ ଅନୁରୂପ ନିୟମ କାନୁନ୍‍ ଥିଲେ ମଧ୍ୟ ଖୋଦ ଲୋକସେବା ଭବନରେ ତାହାକୁ ଠିକଣା ଭାବେ ପାଳନ କରାଯାଉ ନାହିଁ ।

ଲୋକସେବା ଭବନ ସହିତ ରାଜ୍ୟ ସରକାରଙ୍କ କମଚାରୀଙ୍କ ପାଇଁ ଦପ୍ତରର କାର୍ଯ୍ୟ ସମୟରେ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଥିଲା । ସପ୍ତାହରେ ୬ଦିନ କାର୍ଯ୍ୟଦିବସ ଥିବାବେଳେ କର୍ମଚାରୀମାନେ ଦ୍ୱିତୀୟ ଶନିବାରଟିକୁ ଛୁଟି ଭାବେ ପାଉଥିଲେ । ତେବେ ଚାରିବର୍ଷ ତଳେ ରାଜ୍ୟ ସରକାର ଏଥିରେ ପରିବର୍ତ୍ତନ କରି କର୍ମଚାରୀମାନଙ୍କୁ ମାସର ଚତୁର୍ଥ ଶନିବାର ଦିନ ଛୁଟି ପ୍ରଦାନ କଲେ । ଏଥି ସହିତ କର୍ମଚାରୀମାନଙ୍କ ଦପ୍ତର ଆସିବା ସମୟକୁ ଦୈନିକ ଏକ ଘଣ୍ଟା ବୃଦ୍ଧି କରିଦେଲେ । ଅର୍ଥାତ୍‍ କର୍ମଚାରୀମାନେ ସପ୍ତାହରେ ଛଅ ଦିନ ସକାଳ ୯.୩୦ରୁ ଅଫିସ୍‍ ଆସିବେ ଓ ଅପରାହ୍ନ ୫.୩୦ରେ ଅଫିସ୍‍ ଛାଡିବେ । ଏହି ବର୍ଦ୍ଧିତ ସମୟରେ ବରିଷ୍ଠ ଅଧିକାରୀମାନେ କର୍ମଚାରୀମାନଙ୍କୁ ପ୍ରଶାସନିକ ବ୍ୟବସ୍ଥା ସଂକ୍ରାନ୍ତରେ ବୁଝାଇବାର ବ୍ୟବସ୍ଥା ବି ହୋଇଥିଲା ।

ସେହିଭଳି କର୍ମଚାରୀମାନେ କିଭଳି ଠିକଣା ସମୟରେ ଦପ୍ତର ଆସିବେ ଓ ଛାଡିବେ ତାହା ଜାଣିବାପାଇଁ ବ୍ୟାପକ ଅର୍ଥ ବ୍ୟୟରେ ଅଧିକାଂଶ ବିଭାଗ, ନିର୍ଦ୍ଦେଶାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତରରେ ବାୟୋମେଟ୍ରିକ ଯନ୍ତ୍ର ଖଞ୍ଜାଯାଇଛି । କର୍ମଚାରୀମାନେ ଦପ୍ତରକୁ ପ୍ରବେଶ କରିବା ସମୟରେ ଏହି ଯନ୍ତ୍ରରେ ନିଜର ଟିପ ଦେବାମାତ୍ରେ ତାହା ରେକର୍ଡ ହୋଇ ରହିବ । ଅଧିକାରୀମାନେ ଯେତେବେଳେ ଜାଣିବାକୁ ଚାହିଁବେ ଏହି ତଥ୍ୟ ପାଇପାରିବେ । ସେହିଭଳି କର୍ମଚାରୀ ଜଣଙ୍କ ଦପ୍ତର ଛାଡିବା ସମୟରେ ମଧ୍ୟ ବାୟୋମେଟ୍ରିକରେ ଟିପ ଦେବେ ।

ତେବେ ରାଜ୍ୟ ପ୍ରଶାସନର ପ୍ରାଣକେନ୍ଦ୍ର ଲୋକସେବା ଭବନ ସହିତ ନିର୍ଦ୍ଦେଶାଳୟ ଓ ଅନ୍ୟାନ୍ୟ ସରକାରୀ ଦପ୍ତରରେ ଧାର୍ଯ୍ୟ ସମୟ ସାରଣୀକୁ ପାଳନ କରୁନଥିବା ଦେଖିବାକୁ ମିଳୁଛି । ସକାଳ ୯.୩୦ସୁଦ୍ଧା ହାତଗଣତି କେତେଜଣ କର୍ମଚାରୀ ଦପ୍ତର ଆସୁଛନ୍ତି । ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ପାଇଁ ଅଧାଦିନ ଛୁଟି ଭଳି ଦଣ୍ଡର ବ୍ୟବସ୍ଥା ଥିଲେ ମଧ୍ୟ ତାହା ବି କାର୍ଯ୍ୟକାରୀ ହେଉନାହିଁ ।

ସେହିଭଳି ଅତୀତରେ କର୍ମଚାରୀମାନଙ୍କ ପରିଚୟପତ୍ରରେ ଚିପ୍‍ ଲଗାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପରିଚୟପତ୍ରରେ ଚିପ୍‍ ଲଗାଯିବା ସହିତ ପ୍ରବେଶପଥରେ ସେନ୍‍ସର ଲଗାଯାଇଥାନ୍ତା । ଫଳରେ କର୍ମଚାରୀମାନେ କେତେବେଳେ ଲୋକସେବଭବନକୁ ପ୍ରବେଶ ଓ ପ୍ରସ୍ଥାନ କରିବେ ତାହା ସହଜରେ ଜଣାପଡିଥାନ୍ତା । ଏଥି ସହିତ ଲୋକସେବା ଭବନର ସୁରକ୍ଷା ବି କଡାକଡି ହୋଇପାରିଥାନ୍ତା । ହେଲେ ଏହି ପ୍ରକଳ୍ପଟି ନାଲିଫିତା ତଳେ ରହିଯାଇଛି ।

ଗୋଟିଏ ପଟେ ଅଧିକାଂଶ କର୍ମଚାରୀ ଧାର୍ଯ୍ୟ ସମୟରେ ଦପ୍ତରକୁ ଆସିପାରୁନଥିବାବେଳେ ସଚିବାଳୟ କର୍ମଚାରୀ ସଂଘ ପକ୍ଷରୁ କେନ୍ଦ୍ରୀୟ ଦପ୍ତର ଢାଞ୍ଚାରେ କିନ୍ତୁ ସପ୍ତାହକୁ ୫ଦିନ ଦପ୍ତର କାର୍ଯ୍ୟ କରିବାକୁ ଦାବିପତ୍ର ଦିଆଯାଇଥିଲା । ବର୍ତ୍ତମାନ ନୂଆ ସରକାର ଆସିବାପରେ କର୍ମଚାରୀ ସଂଘ ପୁଣିଥରେ ଏହି ଦାବି ଉପରେ ଜୋର ଦେଉଥିବାବେଳେ ସରକାର କର୍ମଚାରୀମାନଙ୍କ ଦପ୍ତର ଆସିବା ନେଇ କି ପ୍ରକାର ପଦକ୍ଷେପ ଗ୍ରହଣ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)