Home General ଅଭିଯୋଗ ଶୁଣାଣି ପାଇଁ ସୁଅ ଛୁଟୁଛି

ଅଭିଯୋଗ ଶୁଣାଣି ପାଇଁ ସୁଅ ଛୁଟୁଛି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିକଟରେ ଅଭିଯୋଗ ଜଣାଇବାପାଇଁ ଏବେ ପ୍ରତିଦିନ ଏଠାରେ ଥିବା ରାଜ୍ୟ ଅତିଥିଭବନକୁ ଲୋକଙ୍କ ସୁଅ ଛୁଟୁଛି । ଦାୟିତ୍ୱ ଗ୍ରହଣ କରିବାର ୫ଦିନ ମଧ୍ୟରେ ସେ ଲକ୍ଷେ ଲୋକଙ୍କୁ ଭେଟି ସାରିଥିବା ଖବର ପ୍ରଚାରିତ ହେବା ଏବଂ ମୁଖ୍ୟମନ୍ତ୍ରୀ ନିୟମିତ ଲୋକଙ୍କ ଅଭିଯୋଗ ରାଜ୍ୟ ଅତିଥିଭବନରେ ଶୁଣୁଛନ୍ତି ବୋଲି ବାରମ୍ବାର ଗଣମାଧ୍ୟମରେ ପ୍ରଚାରିତ ହେବା ଫଳରେ ନିଜ ନିଜ ସମସ୍ୟା ସମାଧାନ ପାଇଁ ଲୋକଙ୍କ ଆଶା ଆଙ୍କାକ୍ଷା ବଢିଯାଇଛି ।

ଦୁଇ ଦିନ ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି ନିଜ ଜିଲ୍ଲା କେନ୍ଦୁଝର ଗସ୍ତରେ ଯାଇଛନ୍ତି । ଗତ ୧୨ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାପରେ କେନ୍ଦୁଝର ଜିଲ୍ଲା ତଥା ତାଙ୍କ ନିଜ ଗାଁକୁ ଏହା ହେଉଛି ପ୍ରଥମ ଗସ୍ତ । ତେବେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ସେ ଭୁବନେଶ୍ୱରରେ ଅଭିଯୋଗ ଶୁଣିପାରିବେ ନାହିଁ ବୋଲି ସର୍ବସାଧାରଣରେ ବିଜ୍ଞପ୍ତି ପ୍ରକାଶ ନପାଇବା ଫଳରେ ଦୂର ଦୂରାନ୍ତରୁ ବହୁ ଲୋକ ବଡ ଆଶା ନେଇ ପଳାଇ ଆସିଛନ୍ତି । ଅବଶ୍ୟ ରାଜ୍ୟ ଅତିଥିଭବନରେ ନିୟୋଜିତ ଥିବା ପୁଲିସ୍‍ କର୍ମଚାରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅନ୍ୟ କର୍ମଚାରୀମାନେ ସେମାନଙ୍କୁ ବାସ୍ତବ ସ୍ଥିତି ବୁଝାଇ ଫେରାଉଛନ୍ତି ଏବଂ କେତେକ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ଅଭିଯୋଗପତ୍ର ମଧ୍ୟ ଦେଇ ଯାଉଛନ୍ତି ।

ଏହାଛଡା ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗକୁ ଅଗ୍ରାଧିକାର ଭିତ୍ତିରେ ଶୁଣୁଥିବା ପରିପ୍ରେକ୍ଷୀରେ ଡାକ ଯୋଗେ ଏବଂ ସାମାଜିକ ଗଣମାଧ୍ୟମରେ ବି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲୋକେ ସେମାନଙ୍କ ହାରିଗୁହାରି ପଠାଇବାରେ ଲାଗିଛନ୍ତି ।

ନିର୍ଦ୍ଦିଷ୍ଟ ଭାବେ କେଉଁ କେଉଁ ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲା ରହିବ ତାହା ଏଯାବତ୍‍ ଧାର୍ଯ୍ୟ ହୋଇନଥିବାରୁ ସବୁଦିନ ଲୋକେ ଆସୁଛନ୍ତି । ବିଶେଷକରି ନ୍ୟାୟ ପାଇବାରୁ ବଞ୍ଚିତ ହୋଇ ଦୀର୍ଘଦିନ ଧରି ହଇରାଣ ହରକତ ହେଉଥିବା ଲୋକଙ୍କୁ ଅନେକ କ୍ଷେତ୍ରରେ ସ୍ଥାନୀୟ ବିଜେପି ନେତାମାନେ ମଧ୍ୟ ଭୁବନେଶ୍ୱର ପଠାଇବାରେ ସହଯୋଗ କରୁଥିବା କେତେକ ବ୍ୟକ୍ତି ପ୍ରକାଶ କରିଛନ୍ତି ।

ସଂଖ୍ୟାଧିକ ମନ୍ତ୍ରୀ ଏବେ ନିଜ ନିଜ ଜିଲ୍ଲା ଗସ୍ତରେ ଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଦିଲ୍ଲୀ ଗସ୍ତରେ ଅଛନ୍ତି । ଶାସକଦଳର ପ୍ରାୟ ସମସ୍ତ ବିଧାୟକ ବି ନିଜ ନିଜ ନିର୍ବାଚନମଣ୍ଡଳୀରେ ବୁଲୁଥିବାବେଳେ ସାଂସଦମାନେ ଶପଥପାଠ ପାଇଁ ଦିଲ୍ଲୀ ଯାଇଛନ୍ତି । ମନ୍ତ୍ରୀ, ବିଧାୟକ, ସାଂସଦମାନଙ୍କ ନିକଟରେ ବି ଅଭିଯୋଗ ଜଣାଇବାପାଇଁ ଢେର ଭିଡ ହେଉଛି ।

ଏଯାବତ୍‍ ମୁଖ୍ୟମନ୍ତ୍ରୀଙ୍କ ସମେତ ଅଧିକାଂଶ ମନ୍ତ୍ରୀ ସଚିବାଳୟରେ ସେମାନଙ୍କ ଲାଗି ଉଦ୍ଦିଷ୍ଟ ଥିବା ଦପ୍ତରରେ କାର୍ଯ୍ୟ ଆରମ୍ଭ କରିନାହାନ୍ତି । ସେହିପରି ସରକାର ବଦଳିବାର ଇତି ମଧ୍ୟରେ ୧୩ଦିନ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ସବୁ ମନ୍ତ୍ରୀଙ୍କ ଦପ୍ତର ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ । ଏହାଛଡା ନୂଆ ସରକାରରେ କେଉଁ ବିଭାଗରେ କାହାକୁ ସଚିବ ରଖାଯିବ ସେଥିଘେନି ବଦଳି ଓ ନିଯୁକ୍ତି ଆଦେଶନାମା ପ୍ରକାଶ ପାଇନଥିବାରୁ ପୂର୍ବ ସରକାର ସମୟରେ ବିଭିନ୍ନ ବିଭାଗରେ ନିଯୁକ୍ତି ପାଇଥିବା ଅଧିକାରୀମାନେ ମଧ୍ୟ ନିଜ ନିଜ ସ୍ଥାନରେ ରହିଛନ୍ତି ।

ଏଥିଯୋଗୁଁ ମନ୍ତ୍ରୀ ଓ ସଚିବ ସ୍ତରୀୟ ଅଭିଯୋଗ ଶୁଣାଣି ବ୍ୟବସ୍ଥା ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । କେତେକ ମନ୍ତ୍ରୀ କହୁଛନ୍ତି ଯେ ମୁଖ୍ୟମନ୍ତ୍ରୀ ତାଙ୍କ ଲାଗି ଉଦ୍ଦିଷ୍ଟ ଦପ୍ତର ଓ ବାସଭବନକୁ ଯିବାପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ଅଧିକ ଶୃଙ୍ଖଳିତ ହେବ । ଅନୁରୂପ ଭାବେ ମନ୍ତ୍ରୀମାନେ ସଚିବାଳୟରେ କାମ ଆରମ୍ଭ କରିବା ସହିତ ସରକାରୀ ବଙ୍ଗଳା ପାଇବାପରେ ସେମାନଙ୍କର ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ମଧ୍ୟ ଅଧିକ ତ୍ୱରାନ୍ୱିତ ହୋଇପାରିବ । (ତଥ୍ୟ)