ଭୁବନେଶ୍ୱର : ଲାଭରେ ଚାଲୁଥିବା ରାଜ୍ୟ ସରକାରଙ୍କ ଉଦ୍ୟୋଗଗୁଡ଼ିକ ନିଜ ନିଜ କର୍ମଚାରୀଙ୍କୁ ଏବେ ବି ପୁରୁଣା ହାରରେ ବେତନ ଦେଉଛନ୍ତି । କିଏ ପଞ୍ଚମ ଅର୍ଥ କମିଶନଙ୍କ ସୁପାରିଶ ତ ଆଉ କିଏ ଷଷ୍ଠ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ଦରମା ପ୍ରଦାନ କରୁଛନ୍ତି ।
ମିଳିଥିବା ସୂଚନାନୁଯାୟୀ ରାଜ୍ୟର ୧୩ଟି ସରକାରୀ ଉଦ୍ୟୋଗର କର୍ମଚାରୀ ଏବେ ବି ସପ୍ତମ ବେତନ କମିଶନ ଆଧାରରେ ଦରମା ପାଇବାରୁ ବଞ୍ଚିତ । ଓଡ଼ିଶା ରାଜ୍ୟ ଅର୍ଥ ନିଗମର କର୍ମଚାରୀମାନେ ଏବେ ବି ପଞ୍ଚମ ବେତନ କମିଶନଙ୍କ ସୁପାରିଶ ଆଧାରରେ ଦରମା ପାଉଥିବା ବେଳେ ଏହି ତାଲିକାରେ ମତ୍ସ୍ୟଚାଷ ଉନ୍ନୟନ ନିଗମ ଓ ଚଳଚ୍ଚିତ୍ର ନିଗମର କର୍ମଚାରୀମାନେ ଅଛନ୍ତି ।
ଷଷ୍ଠ ବେତନ କମିଶନଙ୍କ ସୁପାରିଶ ଆଧାରରେ ବେତନ ଦେଉଥିବା ସଂସ୍ଥାଗୁଡ଼ିକ ହେଲା ଓଡ଼ିଶା ରାଜ୍ୟ ବିହନ ନିଗମ, ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜିଲଗାଣ ନିଗମ, ଓଡ଼ିଶା ଇଡିକଲ ସଫ୍ଟୱେୟାର ଲିମିଟେଡ୍, ଓଡ଼ିଶା ଶିଳ୍ପ ଉନ୍ନୟନ ନିଗମ, ଓଡ଼ିଶା କ୍ଷୁଦ୍ରଶିଳ୍ପ ଉନ୍ନୟନ ନିଗମ, ଓଡ଼ିଶା ଗ୍ରାମ୍ୟ ଗୃହ ନିର୍ମାଣ ଓ ଉନ୍ନୟନ ନିଗମ, ଇଡିକ୍ଲ କଳିଙ୍ଗ ଆଇରନ୍ ୱାର୍କସ୍ ଲିମିଟେଡ୍, ଇଡିକଲ୍ ଫେରୋକ୍ରମ ଆଣ୍ଡ ଆଲଏଜ୍, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ଓ ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମ ।
କର୍ମଚାରୀମାନଙ୍କୁ ପଞ୍ଚମ କମିଶନ ବେତନ ଆଧାରରେ ଦରମା ଦେଉଥିବା ଓଡ଼ିଶା ମତ୍ସ୍ୟଚାଷ ଉନ୍ନୟନ ନିଗମ ଏକ ଲାଭଜନକ ସଂସ୍ଥା । ଏହି ନିଗମ ଲଗାତର ଭାବେ ଲାଭ କରିଆସୁଛି । ରାଜ୍ୟ ଅର୍ଥ ନିଗମ କର୍ମଚାରୀଙ୍କ ବି ଅନୁରୂପ ଅବସ୍ଥା । ଏହି ନିଗମ ଲାଭ କରୁଥିବା ସରକାରୀ ଭାବେ ଦର୍ଶାଯାଉଥିବା ବେଳେ କର୍ମଚାରୀମାନେ କିନ୍ତୁ ପଞ୍ଚମ କମିଶନ ବେତନ ଆଧାରରେ ଦରମା ପାଉଛନ୍ତି ।
ସେହିଭଳି ଷଷ୍ଠ ବେତନ କମିଶନଙ୍କ ଆଧାରରେ କର୍ମଚାରୀଙ୍କୁ ଦରମା ଦେଉଥିବା ଲାଭଜନକ ସଂସ୍ଥାଗୁଡ଼ିକ ମଧ୍ୟରେ ବିହନ ନିଗମ, କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ, ଇଡିକଲ୍ ସଫ୍ଟୱେୟାର, କ୍ଷୁଦ୍ରଶିଳ୍ପ ନିଗମ, ପଣ୍ୟାଗାର ନିଗମ ଓ ରାଜ୍ୟ ସଡ଼କ ପରିବହନ ନିଗମ ଆଦି ସରକାରୀ ଉଦ୍ୟୋଗ ରହିଛି ।
ତେବେ ସପ୍ତମ ବେତନ କମିଶନ ଆଧାରରେ ଦରମା ଦେଉଥିବା ସରକାରୀ ଉଦ୍ୟୋଗୁଡ଼ିକ ମଧ୍ୟରେ କାଜୁ ଉନ୍ନୟନ ନିଗମ, ବନ ଉନ୍ନୟନ ନିଗମ, ଖଣି ନିଗମ, ନିର୍ମାଣ ନିଗମ, ଉଠାଜଳସେଚନ ନିଗମ, ପାନୀୟ ନିଗମ, ସେତୁ ଓ ନିର୍ମାଣ ନିଗମ, ଯୋଗାଣ ନିଗମ, ପର୍ଯ୍ୟଟନ ନିଗମ, ଗ୍ରୀଡ୍କୋ, ଇଡ୍କୋ, ପୁଲିସ ଗୃହ ନିର୍ମାଣ ନିଗମ, ରାଜ୍ୟ ଔଷଧ ନିଗମ, ଇପିକଲ୍, ୱାଟ୍କୋ, ଜେଡ୍ପୋଲ୍, କୋଇଲା ଓ ଶକ୍ତି ନିଗମ ଆଦି ସରକାରୀ ଉଦ୍ୟୋଗ ରହିଛି ।