Home Education ଆଇନ୍‍ ଅଧ୍ୟାପକଙ୍କୁ ନେଇ ଟଣାଓଟରା

ଆଇନ୍‍ ଅଧ୍ୟାପକଙ୍କୁ ନେଇ ଟଣାଓଟରା

ଭୁବନେଶ୍ୱର : ବାଣୀବିହାରରେ ଥିବା ବିଶ୍ୱବିଦ୍ୟାଳୟ ଆଇନ୍‍ କଲେଜ ଓ କଟକରେ ଥିବା ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଦୁଇଜଣ ଅଧ୍ୟାପକଙ୍କୁ ନେଇ ଏକ ସଂଘର୍ଷ ମୁଖର ବାତାବରଣ ସୃଷ୍ଟି ହୋଇଛି । ପର୍ଯ୍ୟାପ୍ତ ସଂଖ୍ୟକ ଅଧ୍ୟାପକ ନଥିବାରୁ ଏହି ଦୁଇଟି ଯାକ ଆଇନ୍‍ ଶିକ୍ଷା ପ୍ରତିଷ୍ଠାନରେ ଏକ ପ୍ରକାର ଅଚଳାବସ୍ଥା ଲାଗିରହିଛି ।

ବିଶ୍ୱବିଦ୍ୟାଳୟ ଆଇନ୍‍ କଲେଜର ଦୁଇଜଣ ଅଧ୍ୟାପକଙ୍କୁ କଟକ ମଧୁସୂଦନ ଆଇନ୍‍ କଲେଜକୁ ପଠାଯାଇଥିଲା । ମଧୁସୂଦନ ଆଇନ୍‍ କଲେଜ ବିଶ୍ୱବିଦ୍ୟାଳୟରେ ପରିଣତ ହେବାପରେ ଏହି ଦୁଇଜଣ ଆଇନ୍‍ ଅଧ୍ୟାପକଙ୍କୁ ବାଣୀବିହାର ଫେରାଯାଉ ନାହିଁ । ବାଣୀବିହାରରେ ଥିବା ବିଶ୍ୱବିଦ୍ୟାଳୟ ଆଇନ୍‍ କଲେଜରେ ଏବେ ମାତ୍ର ଜଣେ ନିୟମିତ ଅଧ୍ୟାପକ ଅଛନ୍ତି ଏବଂ ସେଠାରେ ନିୟମିତ ଅଧ୍ୟକ୍ଷ ନଥିବାରୁ ଉକ୍ତ ଅଧ୍ୟାପକ ମଧ୍ୟ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାମ ଚଳାଉଛନ୍ତି । ମୋଟାମୋଟି ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ଏହି ଆଇନ୍‍ କଲେଜରେ ଜଣେମାତ୍ର ଅଧ୍ୟାପକ ଥିବାରୁ ଏଠାରୁ ପୂର୍ବରୁ କଟକ ପଠାଯାଇଥିବା ଦୁଇ ଜଣ ଅଧ୍ୟାପକଙ୍କୁ ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଫେରାଇ ଦେବାକୁ ବାରମ୍ବାର ଚାପ ପଡୁଥିଲେ ମଧ୍ୟ ତାହା ଫଳବତୀ ହେଉନାହିଁ ।

ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ ପାଇଁ ୬ଟି ପ୍ରଫେସର ପଦବୀ ସହିତ ମୋଟ୍‍ ୫୦ଟି ଶିକ୍ଷକ ପଦବୀ ମଞ୍ଜୁରୀ ହୋଇ ବର୍ଷ ବର୍ଷ ଧରି ପଡିରହିଛି । ଏଥିରୁ ଗୋଟିଏ ହେଲେ ପଦବୀରେ ନିୟମିତ ନିଯୁକ୍ତି ଦିଆଯାଉନାହିଁ । ଫଳରେ ଅତିଥି ଅଧ୍ୟାପକଙ୍କ ଉପରେ ଭରସା କରି ଏହି ବିଶ୍ୱବିଦ୍ୟାଳୟ ଚାଲିଥିବାରୁ ବାଣୀବିହାରରୁ ନେଇଥିବା ଦୁଇଜଣ ଅଧ୍ୟାପକଙ୍କୁ ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଫେରାଉନାହାନ୍ତି । ଏଭଳି ଦୟନୀୟ ସ୍ଥିତିରେ ଉତ୍କଳଗୌରବ ମଧୁସୂଦନଙ୍କ ନାମରେ ନାମିତ ଏହି ଗୌରବାବହ ଶିକ୍ଷାନୁଷ୍ଠାନ ଥିବାବେଳେ ଯେକୌଣସି ମୂହୂର୍ତ୍ତରେ ଭାରତୀୟ ବାର୍‍ କାଉନ୍‍ସିଲ୍‍ ଓ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଏଠାରେ ସମସ୍ୟା ସୃଷ୍ଟି କରିପାରନ୍ତି । ଏଠାରେ ଉଲ୍ଲେଖନୀୟ ଯେ ବିନା ଅଧ୍ୟାପକରେ ଚାଲିଥିବା ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟରେ ନାମାଙ୍କନ ୟୁଜିସିଙ୍କ ନିର୍ଦ୍ଦେଶାନୁଯାୟୀ ପୂର୍ବରୁ ବନ୍ଦ ରହିଥିଲା ।

ଏହି ଉଭୟ ଶିକ୍ଷାନୁଷ୍ଠାନରେ ତିନି ବର୍ଷିଆ ଓ ପାଞ୍ଚ ବର୍ଷିଆ ଆଇନ୍‍ ସ୍ନାତକ ପାଠ୍ୟକ୍ରମ ସହ ସ୍ନାତକୋତ୍ତର ଶ୍ରେଣୀ ମଧ୍ୟ ରହିଛି । ଏହାଛଡା ବିଶ୍ୱବିଦ୍ୟାଳୟରେ ବି ଆଇନ୍‍ ଉପରେ ଉଚ୍ଚତର ଗବେଷଣା ପାଇଁ ବ୍ୟବସ୍ଥା ଅଛି । ତେବେ ବିନା ପ୍ରଫେସରରେ ଚାଲିଥିବା ଏହି ବିଶ୍ୱବିଦ୍ୟାଳୟରେ ପିଏଚ୍‍ଡି କରିବାପାଇଁ ଛାତ୍ରଛାତ୍ରୀମାନେ କୁନ୍ଥୁ କୁନ୍ଥୁ ହେଉଛନ୍ତି ।

ବାଣୀବିହାର ସ୍ଥିତ ବିଶ୍ୱବିଦ୍ୟାଳୟ ଆଇନ୍‍ କଲେଜର ବାର କାଉନସିଲ୍‍ ଅନୁବନ୍ଧନ ପୂର୍ବରୁ କଟି ଯାଇଥିଲା । ଫଳରେ ଏଠାରୁ ଉତ୍ତୀର୍ଣ୍ଣ ହୋଇଥିବା ବହୁ ଛାତ୍ରଛାତ୍ରୀ ଅନ୍ୟ ରାଜ୍ୟରେ ଓକିଲାତି ପାଇଁ ଲାଇସେନ୍ସ ପାଇବା କ୍ଷେତ୍ରରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଅବଶ୍ୟ ପରେ ଉକ୍ତ ସମସ୍ୟାର ସମାଧାନ କରାଯାଇଛି । ଏହି କଲେଜରେ ପାଞ୍ଚଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ କିଭଳି ଜଣେ ନିୟମିତ ଅଧ୍ୟାପକ ୧୦ଟି ଶ୍ରେଣୀରେ ପାଠ ପଢାଇବା ସହ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ ପ୍ରଶାସନିକ କାର୍ଯ୍ୟ ଓ ପରୀକ୍ଷା ପରିଚାଳନା କରିବେ ସେଥିଘେନି ଛାତ୍ରଛାତ୍ରୀମାନେ ପ୍ରଶ୍ନ ଉଠାଉଛନ୍ତି ।

ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟରେ ଅଟକ ଥିବା ତାଙ୍କର ଦୁଇ ଅଧ୍ୟାପକଙ୍କୁ ତୁରନ୍ତ କର୍ତ୍ତୃପକ୍ଷ ଫେରାଇ ଆଣିବା ସହିତ ଏଠାରେ ଖାଲି ପଡିଥିବା ସମସ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ତୁରନ୍ତ ପୂରଣ କରିବାପାଇଁ ମତପ୍ରକାଶ ପାଉଛି । ଛାତ୍ରଛାତ୍ରୀମାନେ ଅଭିଯୋଗ କରୁଛନ୍ତି ଯେ ଏହି କଲେଜର ସ୍ନାତକୋତ୍ତର ପାଠ୍ୟକ୍ରମକୁ ଉଠାଇ ନେବାପାଇ ଚକ୍ରାନ୍ତ ଚାଲିଛି । ଏଭଳି ହେଲେ ନିଶ୍ଚିତ ଭାବେ ସେମାନେ ଆନ୍ଦୋଳନର ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ । ରାଜ୍ୟର ଦୁଇଟି ଅଗ୍ରଣୀ ଆଇନ୍‍ ଶିକ୍ଷାନୁଷ୍ଠାନର ଅବସ୍ଥା ଏଭଳି ଥିବାବେଳେ ଅନ୍ୟ ଆଇନ୍‍ କଲେଜଗୁଡିକର ସ୍ଥିତି ମଧ୍ୟ ଚିନ୍ତାଜନକ । (ତଥ୍ୟ)