Home Administration ମନ୍ତ୍ରୀଙ୍କ ଦପ୍ତରରୁ ଫେରୁନି ଫାଇଲ୍‍

ମନ୍ତ୍ରୀଙ୍କ ଦପ୍ତରରୁ ଫେରୁନି ଫାଇଲ୍‍

ଭୁବନେଶ୍ୱର : ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାର ତୁରନ୍ତ ନିଷ୍ପତ୍ତି ନେବାପାଇଁ ନବ ନିଯୁକ୍ତ ମନ୍ତ୍ରୀମାନଙ୍କୁ ଓସ୍ୱାସ ସଂଯୋଗ ସହିତ ପାସ୍‍ୱାର୍ଡ ଦେଇ ଦିଆଯାଇଛି । ଏହା ସତ୍ୱେ ବି ଅନେକ ମନ୍ତ୍ରୀଙ୍କ ପାଖକୁ ବିଭାଗରୁ ଓସ୍ୱାସରେ ପଠାଯାଉଥିବା ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡିକ ଫେରୁନାହିଁ ।

ଏଯାବତ୍‍ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ ମନ୍ତ୍ରୀମାନେ ସଚିବାଳୟରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଚାମ୍ବରରେ ବସିନାହାନ୍ତି । ଯେଉଁମାନେ ନୂଆହୋଇ ନିର୍ବାଚିତ ହୋଇ ଆସିଛନ୍ତି ସେମାନଙ୍କ ପାଇଁ ସରକାରୀ ବାସଭବନ ଆବଣ୍ଟିତ ହୋଇନଥିବାରୁ କିଏ ନଜ ଘରେ ତ ଆଉ କିଏ ବିଭିନ୍ନ ସରକାରୀ ଅତିଥିଭବନରେ ରହୁଛନ୍ତି । ଅନେକ ମନ୍ତ୍ରୀଙ୍କର ଏଯାବତ୍‍ ବ୍ୟକ୍ତିଗତ ସଚିବ ନିଯୁକ୍ତ ହୋଇନାହାନ୍ତି । ଫଳରେ ତ୍ୱରିତ ଫାଇଲ୍‍ କାମ କରିବାପାଇଁ ଓସ୍ୱାସରେ ପଠାଯାଇଥିବା ଫାଇଲ୍‍ ତଳକୁ ଫେରୁନଥିବାରୁ ତାହା ଉପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁନାହିଁ ।

ତେବେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଓସ୍ୱାସରେ ପଠାଯାଉଥିବା ଫାଇଲ୍‍ଗୁଡିକୁ ତାଙ୍କ ଦପ୍ତରର ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଆଣି ତୁରନ୍ତ ପଦକ୍ଷେପ ନେବାରେ ସଫଳ ହେଉଛନ୍ତି । ରାଜସ୍ୱ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ନଗର ଉନ୍ନୟନ, ପୂର୍ତ୍ତ ଆଦି ବିଭାଗରୁ ମନ୍ତ୍ରୀମାନଙ୍କ ନିକଟକୁ ଓସ୍ୱାସରେ ପଠାଯାଉଥିବା ଫାଇଲଗୁଡିକ ଫେରିବାରେ ବିଳମ୍ବ ହେଉଥିବା ଜଣାପଡିଛି । ଏମିତିକି ଜଣେ ଜଣେ ମନ୍ତ୍ରୀଙ୍କ ନିକଟରେ ଏଭଳି ନଥି ଚାରି ପାଞ୍ଚଦିନ ଧରି ପଡି ରହିଲାଣି ।

ମନ୍ତ୍ରୀମାନଙ୍କ ଦପ୍ତରଗୁଡିକ ଲୋକସେବା ଭବନରେ କାର୍ଯ୍ୟକ୍ଷମ ହେବାପରେ ଫାଇଲ୍‍ କାମ ତ୍ୱରାନ୍ୱିତ ହୋଇପାରିବ ବୋଲି ପୁରୁଖା ଅଧିକାରୀମାନେ କହୁଛନ୍ତି । ତେବେ ଜଣେ ମନ୍ତ୍ରୀ କହିଛନ୍ତି ଯେ ଦିଲ୍ଲୀ ଢାଞ୍ଚାରେ ଓଡିଶା ସରକାର କାର୍ଯ୍ୟ କରିବା ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ବିଭାଗରୁ ଯେଉଁଦିନ ନଥି ଆସିବ ସେହିଦିନ ତାହା ଉପରେ ତ୍ୱରିତ ପଦକ୍ଷେପ ଲାଗି ବ୍ୟବସ୍ଥା ଗ୍ରହଣ କରାଯାଉଛି । କେତେକ କ୍ଷେତ୍ରରେ ଓସ୍ୱାସରେ ଆସୁଥିବା ନଥି ଉପରେ ବିଭାଗୀୟ ସଚିବ ଓ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା ଆବଶ୍ୟକ ପଡୁଛି ।

ଏମିତିକି ହାଇକୋର୍ଟ ସମେତ ଅନ୍ୟାନ୍ୟ ଆଇନ୍‍ ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ବିଭାଗୀୟ ସ୍ତରରୁ ତତ୍ପରତା ପ୍ରକାଶ କରାଯାଉଥିବାବେଳେ କେତେକ ନୂଆ ମନ୍ତ୍ରୀଙ୍କ ନିକଟରେ ଓସ୍ୱାସ ଫାଇଲ୍‍ ରହିଯାଉଛି । ତେବେ ମନ୍ତ୍ରୀ ଓ ସେମାନଙ୍କ ବ୍ୟକ୍ତିଗତ ସଚିବମାନେ ଏଥିରେ ଅଭ୍ୟସ୍ତ ହେବାପରେ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ । କେତେକ କ୍ଷେତ୍ରରେ ସୀମିତ ସମୟ ମଧ୍ୟରେ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବା କଥା । ଏ କ୍ଷେତ୍ରରେ ଯଦି ବିଳମ୍ବ ଘଟେ ତେବେ ବିଭାଗୀୟ ଶାସନ ସଚିବ, ମୁଖ୍ୟ ଶାସନ ସଚିବ ଓ ଅତିରିକ୍ତ ଶାସନ ସଚିବମାନଙ୍କୁ ଆଇନ୍‍ ଅଦାଲତରେ ଅପଦସ୍ତ ହେବାର ଆଶଙ୍କା ଥିବାରୁ ବିଭାଗୀୟ ଅଧିକାରୀମାନେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ମନ୍ତ୍ରୀଙ୍କ ପାଇଁ ନିଯୁକ୍ତ କର୍ମଚାରୀମାନଙ୍କୁ ମନେ ପକାଇବାକୁ ବାଧ୍ୟ ହେଉଛନ୍ତି ।

ମନ୍ତ୍ରୀ ପରିଷଦରେ ନୂଆ ସ୍ଥାନ ପାଇଥିବା ସଦସ୍ୟମାନଙ୍କ ନିକଟକୁ ଆଠଦିନ ଧରି ଶୁଭେଚ୍ଛାର ସୁଅ ଛୁଟୁଛି ଏବଂ ସମ୍ବର୍ଦ୍ଧନା ସଭା ବି ଚାଲିଛି । ଏହାଛଡା ଗଣମାଧ୍ୟମ ଯୋଗାଯୋଗ ସହିତ ବିଭାଗୀୟ ବୈଠକ ସମୀକ୍ଷା ଓ ନିର୍ବାଚନମଣ୍ଡଳୀ ଗସ୍ତ ରହୁଥିବାରୁ କେତେକ କ୍ଷେତ୍ରରେ ନଥି ଫେରାଇବାରେ ବିଳମ୍ବ ଘଟୁଛି । ତିନି ଦିନିଆ ବିଧାନସଭା ଅଧିବେଶନ ଓ ତା ପରେ ପରେ କେତେକ ମନ୍ତ୍ରୀ ଦୂର ଦୂରାନ୍ତରେ ଥିବା ସେମାନଙ୍କ ନିର୍ବାଚନମଣ୍ଡଳୀକୁ ଚାଲି ଯାଇଥିବାରୁ ଏ କ୍ଷେତ୍ରରେ ବିଳମ୍ବ ଘଟୁଥିବା ଘେନି ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । (ତଥ୍ୟ)