Home Judiciary ଓଡିଶାରେ ବାତିଲ ହୋଇଛି ୬୫% ସଂରକ୍ଷଣ

ଓଡିଶାରେ ବାତିଲ ହୋଇଛି ୬୫% ସଂରକ୍ଷଣ

ଭୁବନେଶ୍ୱର : ସରକାରୀ ଚାକିରି କ୍ଷେତ୍ରରେ ୬୫ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ ପାଟନା ହାଇକୋର୍ଟ ଆଜି ରଦ୍ଦ କରିବାର ୧୧ବର୍ଷ ପୂର୍ବରୁ ଓଡିଶା ସରକାରଙ୍କ ଅନୁରୂପ ଏକ ଆଇନ୍‍କୁ ଆଇନ୍‍ ଅଦାଲତ ନାକଚ କରିବା ସହ ଏ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ସୀମା ୫୦ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଥିଲେ ।

ଏଠାରେ ଉଲ୍ଲେଖନୀୟ ଯେ ଜାତି ଭିତ୍ତିକ ଜନଗଣନା କରିବା ପରେ ନୀତିଶଙ୍କ କୁମାରଙ୍କ ନେତୃତ୍ୱାଧିନ ବିହାର ସରକାର ସରକାରୀ ଚାକିରିରେ ସ୍ଥାନ ସଂରକ୍ଷଣ ୬୫ ପ୍ରତିଶତ ପର୍ଯ୍ୟନ୍ତ ରଖିବା ଲାଗି ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନ କରିଥିଲେ ଏବଂ ଏବେ ତାହା ରଦ୍ଦ ହୋଇଯାଇଛି ।

ପୂର୍ବରୁ ଓଡିଶା ସରକାର ୨୦୦୮ ମସିହାରେ ଏସଇବିସି ବର୍ଗଙ୍କ ପାଇଁ ୨୭ ପ୍ରତିଶତ ସ୍ଥାନ ସଂରକ୍ଷଣ ଲାଗି ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନ କରିଥିଲେ । ଏହା ପୂର୍ବରୁ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଜନସଂଖ୍ୟା ଅନୁପାତରେ ଓଡିଶାରେ ଅନୁସୂଚିତ ଜାତି ବର୍ଗଙ୍କ ଲାଗି ୧୬.୨୫ ଓ ଜନଜାତି ବର୍ଗଙ୍କ ପାଇଁ ୨୨.୫ ପ୍ରତିଶତ ଆସନ ସରକାରୀ ଚାକିରି କ୍ଷେତ୍ରରେ ସଂରକ୍ଷିତ ରହିଆସୁଛି । ମୋଟାମୋଟି ଭାବେ ଓଡିଶାରେ ଏହି ଆସନ ସଂରକ୍ଷଣ ୬୫.୭୫ ପ୍ରତିଶତରେ ପହଞ୍ଚିବାରୁ ଏହାକୁ ବିରୋଧ କରି ସ୍ୟାଟ୍‍ରେ ଅମର ଛାଟୋଇ ନାମକ ଜଣେ ଚାକିରି ପ୍ରତ୍ୟାଶୀ ମାମଲା ରୁଜୁ କରିଥିଲେ ।

ସ୍ୟାଟ୍‍ର ତତ୍କାଳୀନ ଅଧ୍ୟକ୍ଷ ଜଷ୍ଟିସ ନିତ୍ୟାନନ୍ଦ ପୃଷ୍ଟି ଓ ପ୍ରଶାସନିକ ସଦସ୍ୟ ଏସ.ଏନ.ଦାଶ ମାମଲାଟିର ବିସ୍ତୃତ ଶୁଣାଣି କରି ଆବେଦନକାରୀଙ୍କ ଓକିଲ ପ୍ରହଲାଦ କୁମାର ସିଂହ ଉପସ୍ଥାପନ କରିଥିବା ସୁପ୍ରିମ୍‍କୋର୍ଟଙ୍କ ବହୁ ନଜିର ଓ ବଳିଷ୍ଠ ଯୁକ୍ତିକୁ ଗ୍ରହଣ କରି ସରକାରୀ ଚାକିରି କ୍ଷେତ୍ରରେ ଆସନ ସଂରକ୍ଷଣସୀମା ୫୦ ପ୍ରତିଶତରୁ ଅଧିକ ହୋଇପାରିବ ନାହିଁ ବୋଲି ମତବ୍ୟକ୍ତ କରିବା ସହିତ ଓଡିଶା ସରକାରଙ୍କ ଏସ୍‍ଇବିସି ସଂରକ୍ଷଣ ଆଇନ୍‍କୁ ରଦ୍ଦ କରିଦେଇଥିଲେ ।

ସ୍ୟାଟ୍‍ର ରାୟ ବିରୁଦ୍ଧରେ ସେତେବେଳେ ଓଡିଶା ସରକାର ହାଇକୋର୍ଟରେ ମାମଲା ରୁଜୁ କରିବା ସହିତ ଏହାର ପରିଚାଳନା ଲାଗି ସୁପ୍ରିମ୍‍କୋର୍ଟର ବରିଷ୍ଠ ଓକିଲ ପି ପି ରାଓଙ୍କୁ ନିଯୁକ୍ତ କରିଥିଲେ ଏବଂ ଓଡିଶାର ଆଡଭୋକେଟ ଜେନେରାଲ ମଧ୍ୟ ଏହି ମାମଲା ପରିଚାଳନାରେ ସହଯୋଗ କରୁଥିଲେ । ହାଇକୋର୍ଟରେ ବି ସେତେବେଳେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆଡଭୋକେଟ ଶ୍ରୀ ସିଂହ ଓ ଅମୀୟ ଛାଟୋଇ ମାମଲା ଲଢୁଥିଲେ ।

ଓଡିଶା ହାଇକୋର୍ଟର ତତ୍କାଳୀନ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ବିସ୍ତୃତ ଶୁଣାଣି କରି ରାଜ୍ୟ ସରକାରଙ୍କ ରିଟ୍‍ ଆବେଦନକୁ ଖାରଜ କରିବା ସହିତ ସ୍ୟାଟ୍‍ଙ୍କ ନିଷ୍ପତ୍ତିକୁ ବଳବତ୍ତର ରଖିଥିଲେ । ରାଜ୍ୟ ସରକାର ୨୦୧୭ ମସିହାରେ ହାଇକୋର୍ଟରେ ଏହି ମାମଲାରେ ହାରିବାର ଯଥେଷ୍ଟ ପୂର୍ବରୁ ଚାକିରି କ୍ଷେତ୍ରରେ ସ୍ଥାନ ସଂରକ୍ଷଣକୁ ୫୦ ପ୍ରତିଶତକୁ ହ୍ରାସ କରି ଏସ୍‍ଇବିସିଙ୍କ ପାଇଁ ତାହା ୧୧.୨୫ ପ୍ରତିଶତ ଧାର୍ଯ୍ୟ କରିଥିଲେ । ଏଠାରେ ଉଲ୍ଲେଖନୀୟ ଯେ ସେତେବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ ପ୍ରତିଶତ ସଂରକ୍ଷଣସୀମା ପରିପ୍ରେକ୍ଷୀରେ ବିଚିତ୍ର ଯୁକ୍ତି ଉପସ୍ଥାପନ କରାଯାଇ ଅନୁସୂତିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣ କମାଇବା କଥା ଉଠାଯାଇଥିଲା ।

୨୦୦୮ ମସିହାରେ ଓଡିଶା ସରକାର ଏହି ସଂରକ୍ଷଣ ଆଇନ୍‍ ବିଧାନସଭାରେ ପାରିତ କରାଇବା ସହ ରାଜ୍ୟପାଳଙ୍କ ସ୍ୱୀକୃତି ନେଇଥିଲେ ଏବଂ ତାହା ପରେ ଏହି ବ୍ୟବସ୍ଥାକୁ ସମ୍ବିଧାନର ୩୧ଧାରା ଅନୁଯାୟୀ ନବମ ଅନୁଚ୍ଛେଦରେ ସ୍ଥାନିତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ । ତେବେ କେନ୍ଦ୍ର ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବା ପୂର୍ବରୁ ଓଡିଶା ସରକାର ତାହାକୁ ରାଜ୍ୟ ସଚିବାଳୟର ଏଏସଓ ନିଯୁକ୍ତି ପାଇଁ ଲାଗୁ କରିବା ଫଳରେ ଆଇନ୍‍ଗତ ବିବାଦ ଉପୁଜିଥିଲା । (ତଥ୍ୟ)