Home General ରାଜଧାନୀ ନାଳର ରକ୍ଷଣା ବେକ୍ଷଣ ହେଉନି

ରାଜଧାନୀ ନାଳର ରକ୍ଷଣା ବେକ୍ଷଣ ହେଉନି

ଭୁବନେଶ୍ୱର :  ପ୍ରାକ୍‍ ମୌସୁମୀ ବର୍ଷାରେ ରାଜଧାନୀରେ ନାଳରେ ପଡି ଗୋଟିଏ ବାଳକର ପ୍ରାଣଯିବା ପରେ ଏବେ ସହରରେ ଥିବା ବଡ ବଡ ନାଳର ରକ୍ଷଣା ବେକ୍ଷଣକୁ ନେଇ ପ୍ରଶ୍ନ ଉଠିଛି । କର୍ତ୍ତୃପକ୍ଷ ଏହାକୁ ଯେତେ ସଫା କଲେ ବି ସ୍ଥାନୀୟ ଲୋକେ ଏହାକୁ ଆବର୍ଜନାକୁଣ୍ଡ ଭାବେ ବ୍ୟବହାର କରୁଛନ୍ତି । ଏପରିକି ବହୁ ସ୍ଥାନରେ ଏହି ଜଳ ନିଷ୍କାସନ ପାଇଁ ନାଳଗୁଡିକରେ ଲୋକେ ନିଜ ନିଜ ଘରର ସ୍ୱରେଜ ଲାଇନ୍‍ ପକାଇ ଦେଉଥିବା ଦେଖିବାକୁ ମିଳୁଛି ।

ରାଜଧାନୀର ବର୍ଷାଜଳ ନିଷ୍କାସନ ପାଇଁ ସହରରେ ରହିଛି ୧୧ଟି ବଡ ବଡ ନାଳ । ବର୍ଷାଦିନେ ସହରର ଜଳ ଏହି ନାଳ ଦେଇ ନିଷ୍କାସିତ ହୋଇଥାଏ । ତେବେ ପୂର୍ବରୁ ଏହି ନାଳରେ ଯେତେ ପରିମାଣରେ ଜଳ ନିଷ୍କାସିତ ହେଉଥିଲା ଏବେ ତାହାର ପରିମାଣ ବୃଦ୍ଧିପାଇଛି । ସହରରେ ବିଛାଯାଉଥିବା ପେଭର ବ୍ଲକ ଏହାର ଅନ୍ୟତମ କାରଣ କାରଣ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ପୂର୍ବରୁ ବର୍ଷାଜଳର ସିଂହଭାଗ ମାଟି ତଳକୁ ଚାଲି ଯାଉଥିଲା । ଏବେ ସହରର ସାରା ପେଭର ବ୍ଲକ ବିଛାଯିବା ସହିତ ବକ୍ସଡ୍ରେନ ନିର୍ମାଣ ଯୋଗୁଁ ଜଳ ମାଟିତଳକୁ ଯିବା ବଦଳରେ ସିଧାସଳ ଏହି ନାଳରେ ପଡୁଛି । ଏହାଦ୍ୱାରରା ଭୂତଳ ଜଳ ଯେଉଁ ପରିମାଣରେ ରିଚାର୍ଜ ହେବାକଥା ତାହା ମଧ୍ୟ ହୋଇପାରୁ ନାହିଁ ।

ବର୍ତ୍ତମାନ ଏହିସବୁ ନାଳରେ ଜଳ ପ୍ରଭାହର ପରିମାଣ ଓ ଗତି ଯଥେଷ୍ଟ ବୃଦ୍ଧି ପାଇଛି । ଏହାଛଡା ନାଳଗୁଡିକୁ ସ୍ଥାନୀୟ ଲୋକେ ଜବରଦଖଲ କରୁଥିବାରୁ ଏହାର ଆକାର କମିବା ଫଳରେ ଜଳପ୍ରବାହର ତୀବ୍ରତା ବଢିଛି । ଏହାଛଡା ଏହି ନାଳକୁ ସ୍ଥାନୀୟ ଲୋକେ ଆବର୍ଜନା କୁଣ୍ଡ ଭାବେ ବ୍ୟବହାର କରୁଛନ୍ତି । ନାଳରେ କିଭଳି ଅଳିଆ ନପଡିବ ସେଥିପାଇଁ କର୍ତ୍ତୃପକ୍ଷ ସୁଉଚ୍ଚ ତାର ଜାଲି ଲଗାଇଥିଲେ ମଧ୍ୟ ଲୋକେ ତାହାକୁ ମାନୁ ନାହାନ୍ତି ।

ସେହିଭଳି ଏହି ନାଳ କଡେ କଡେ ବସ୍ତି ଗଢି ଉଠିଥିବାରୁ ଲୋକେ ଏହାକୁ ସ୍ୱରେଜ ଲାଇନ୍‍ ଭାବେ ବ୍ୟବହାର କରୁଛନ୍ତି । କେତେକ ସ୍ଥାନରେ ଏହି ନାଳ ଉପରେ ଶୌଚାଳୟ ବି ନିର୍ମାଣ କରିଛନ୍ତି ।

ବର୍ତ୍ତମାନ ସାମାନ୍ୟ ବର୍ଷାରେ ଗୋଟିଏ ପିଲା ଭାସିଯାଇ ମୃତ୍ୟୁବରଣ କରିବାପରେ ଏବେ କର୍ତ୍ତୃପକ୍ଷ ତତ୍ପର ହୋଇ ଉଠିଛନ୍ତି । ଯୁଦ୍ଧକାଳୀନ ଭିତ୍ତିରେ ଏହି ନାଳଗୁଡିକୁ ଘୋଡାଇବାକୁ ଉଦ୍ୟମ ଚଳାଯାଉଛି ଯାହା ଏତେ ସହଜ ନୁହେଁ । ଏହି ନାଳଗୁଡିକୁ ଘୋଡାଇବା ପୂର୍ବରୁ ଏଠାରେ ହୋଇଥିବା ଜବରଦଖଲ ଏବଂ ଏହା ମଧ୍ୟକୁ ପଡିଥିବା ସ୍ୱରେଜ ଲାଇନ୍‍ଗୁଡିକୁ ବନ୍ଦ ଲାଗି ମତପ୍ରକାଶ ପାଉଛି ।

ଅନ୍ୟ ପକ୍ଷରେ ଏହି ବଡ ବଡ ନାଳଗୁଡିକ ଏବେ ସହରର ମଶାବଂଶ ବୃଦ୍ଧିର ଅନ୍ୟତମ ପ୍ରମୁଖ କାରଣ ସାଜିଥିବାବେଳେ ଏଠାରେ ମଶା ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ କହୁଛନ୍ତି । ପୂର୍ବରୁ ଏହି ନାଳଗୁଡିକରେ ଗମ୍ବୁସିଆ ମାଛ ଛାଡି ମଶାଲାର୍ଭା ମାରିବାକୁ ହୋଇଥିବା ଯୋଜନା ଅଳ୍ପଦିନ ପରେ ବନ୍ଦହୋଇ ଯାଇଛି । ବର୍ତ୍ତମାନ କର୍ତ୍ତୃପକ୍ଷ ଏହା ଉପରେ ଢାଙ୍କୁଣି ପକାଇବାକୁ ଯେଉଁ ଯୋଜନା କରିଛନ୍ତି ତାହାକୁ ଲୋକେ ସ୍ୱାଗତ କରୁଥିବାବେଳେ ଏହି ନାଳରେ ଯେଭଳି ସ୍ୱଚ୍ଛ ଜଳ ପ୍ରବାହିତ ହେବ ସେ ଦିଗରେ ପଦକ୍ଷେପ ନେବାକୁ ମତ ଦେଉଛନ୍ତି । (ତଥ୍ୟ)