Home Culture ଭାଷା ଭବନ କେବେ ?

ଭାଷା ଭବନ କେବେ ?

ଭୁବନେଶ୍ୱର : ଓଡିଆ ଅସ୍ମିତା ଗତ ନିର୍ବାଚନରେ ଏକ ପ୍ରମୁଖ ପ୍ରସଙ୍ଗ ହୋଇଥିବାବେଳେ ରାଜ୍ୟ ବିଜେପି ମୁଖ୍ୟ ଦପ୍ତର ଠାରୁ ପ୍ରାୟ ୪୦୦ ମିଟର ଦୂରରେ ଓଡିଆ ଭାଷା ପ୍ରତିଷ୍ଠାନ ଲାଗି ଥିବା ଜମିରେ କେବେ ଭାଷା ଭବନ ନିର୍ମିତ ହେବ ସେଥିଘେନି ଭାଷାପ୍ରେମୀମାନେ ପ୍ରଶ୍ନ ଉଠାଉଛନ୍ତି ।

ଓଡିଆ ଭାଷାକୁ ସମୃଦ୍ଧ କରିବାପାଇଁ ରାଜ୍ୟ ସରକାର ଗଢିଥିବା ଓଡିଆ ଭାଷା ପ୍ରତିଷ୍ଠାନ କେତେବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ତ ଆଉ କେତେବେଳେ ସଂସ୍କୃତି ବିଭାଗ ଅଧିନରେ ରହୁଛି । ଏହି ସଂସ୍ଥା ପ୍ରତିଷ୍ଠା ହେବା ପରଠାରୁ ତାହାର ଦପ୍ତର ଲାଗି ବହୁ ଜାଗା ବୁଲି ସାରିଲାଣି । ଭାଷା ପ୍ରତିଷ୍ଠାନର ଭାଷା ଭବନ ନିର୍ମାଣ ପାଇଁ ଖାରବେଳନଗର ଅଞ୍ଚଳରେ ସରକାର ୫୩,୨୫୦ ବର୍ଗଫୁଟ ପରିମିତ ଜମି ସହିତ ଅର୍ଥ ବ୍ୟବସ୍ଥା କରିଥିଲେ । ଏଥିଲାଗି ପ୍ଲାନ ମଞ୍ଜୁରୀ ସଂଗେ ସଂଗେ ପ୍ରଶାସନିକ ମଞ୍ଜୁରୀ ବି ମିଳି ସାରିଥିଲା ଏବଂ ଶେଷ ମୂହୂର୍ତ୍ତରେ ଓଡିଆ ଭାଷା ଭବନ ନିର୍ମାଣ ଲାଗି ଟେଣ୍ଡର ଡକାଯିବା ପୂର୍ବରୁ ସ୍ମାର୍ଟସିଟି କର୍ତ୍ତୃପକ୍ଷ ଏଠାରେ ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିଥିଲେ ।

ଭାଷା ଭବନ ନିର୍ମିତ ହେବାକୁ ଥିବା ଅଞ୍ଚଳରେ ତାରକା ହୋଟେଲ ହେବ ବୋଲି କୁହାଯାଇଥିଲା । ପରେ ଖାରବେଳଭବନର କିଛି ଅଂଶ ଓଡିଆ ଭାଷା ଭବନ ପାଇଁ ଦିଆଯିବ ବୋଲି ସରକାର କହିଥିଲେ ମଧ୍ୟ ଖାରବେଳଭବନ ଭିତରକୁ ଓଡିଆ ଭାଷା ପ୍ରତିଷ୍ଠାନକୁ ପୂରାଇ ଦିଆଯାଇନଥିଲା । ଅନ୍ୟ ପକ୍ଷରେ ଭାଷା ଭବନ ନିର୍ମାଣ ପାଇଁ ଓଡିଆ ଭାଷା ପ୍ରତିଷ୍ଠାନକୁ ରାଜ୍ୟ ସରକାର ଦେଇଥିବା ଅର୍ଥ ବ୍ୟାଙ୍କ୍‍ରେ ଗଚ୍ଛିତ ରହି କେବଳ ସୁଧ ବଢିବାରେ ଲାଗିଛି ।

ବହୁ ସମୟରେ ଏହି ଗୁରୁତ୍ୱପୂର୍ଣ୍ଣ ସଂସ୍ଥା ଲାଗି ପୂର୍ଣ୍ଣ ସମୟ ଦେଉଥିବା ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଉନାହିଁ । କେତେବେଳେ ଓଡିଶା ସଙ୍ଗୀତ ନାଟକ କଲେଜର ଅଧ୍ୟକ୍ଷ ତ ଆଉ କେତେବେଳେ ରାଜ୍ୟ ସଂଗ୍ରହାଳୟର କୌଣସି ଅଧିକାରୀ କିମ୍ବା ସଂସ୍କୃତି ନିର୍ଦ୍ଦେଶକଙ୍କୁ ଏହି ସଂସ୍ଥାର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରଖାଯାଉଛି ।

ବର୍ତ୍ତମାନର ସଂସ୍କୃତି ନିର୍ଦ୍ଦେଶକ ଓଡିଆ ଭାଷା ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦବୀ ସହିତ ରାଜ୍ୟ ପାଠାଗାରର ନିର୍ଦ୍ଦେଶକ ବି ଅଛନ୍ତି । ତାହାଛଡା ଓଡିଶା ସାହିତ୍ୟ ଏକାଡେମୀ ସମେତ ସଂସ୍କୃତି ବିଭାଗର ବହୁ ଏକାଡେମୀର ସଭାପତି ଓ ଉପସଭାପତି କେହି ନଥିବାରୁ ସେସବୁ ଦାୟିତ୍ୱ ବି ନିର୍ଦ୍ଦେଶକ ଚଳାଉଛନ୍ତି । ଗତ ସରକାର ସମୟରେ ସୃଷ୍ଟି କରାଯାଇଥିବା ଓଡିଶା ମୋ ପରିବାର ସଂସ୍ଥାର ନିର୍ଦ୍ଦେଶକ ଭାବେ ବି ସେ ଦାୟିତ୍ୱ ସମ୍ପାଦନ କରୁଛନ୍ତି । ଅନନ୍ତଃ ପକ୍ଷେ ସାତ ଆଠଟି ସଂସ୍ଥାର ମୁଖିଆ ଦାୟିତ୍ୱ ସଂସ୍କୃତି ନିର୍ଦ୍ଦେଶକ ତୁଲାଉଥିବାବେଳେ ଓଡିଆ ଭାଷା ପ୍ରତିଷ୍ଠାନ ପାଇଁ କେତେ ସମୟ ଦେଇପାରୁଥିବେ ସେଥିପାଇଁ ଭାଷାବିତ୍‍ମାନେ ପ୍ରଶ୍ନ ଉଠାଇ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତି ସମେତ ଓଡିଆ ଭାଷା ପ୍ରତିଷ୍ଠାନ ପାଇଁ ଭବ୍ୟ ସୌଧ ନିର୍ମାଣ ଲାଗି ମତ ଦେଉଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ କୋଲକତା ବିମାନବନ୍ଦରରୁ ମହାନଗର ମଧ୍ୟକୁ ପ୍ରବେଶ କରିବା ମୁଖ୍ୟ ରାସ୍ତାର ନାମ ବିଶ୍ୱ ବାଙ୍ଗଲା ସରଣୀ ରଖାଯାଇଥିବାବେଳେ ତାହା କଡରେ ବିଶ୍ୱ ବାଙ୍ଗଲା ଭବନ ରହିଛି । ସେଠାରେ ବଙ୍ଗଳା ଭାଷା ସମ୍ପର୍କରେ ଗବେଷଣା ସହିତ ବଙ୍ଗଳାର ଐତିହ୍ୟ, ପରମ୍ପରା ଆଦିର ଝଲକ ମଧ୍ୟ ଦେଖିବାକୁ ମିଳିଛି । ବିଭିନ୍ନ ରାଜ୍ୟରେ ଭାଷା ପ୍ରତିଷ୍ଠାନକୁ ଭଲ ମାନ୍ୟତା ମିଳୁଥିବାବେଳେ ଶାସ୍ତ୍ରୀୟ ମାନ୍ୟତା ପାଇଥିବା ଓଡିଆ ଭାଷାର ସମୃଦ୍ଧି ପାଇଁ ଭାଷା ଭବନଟିଏ ପ୍ରାୟ ୨୦ବର୍ଷ ଧରି ରାଜଧାନୀରେ ନିର୍ମାଣ କରାଯାଇ ପାରୁନାହିଁ । ନୂଆ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି । (ତଥ୍ୟ)