Home Energy ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ଉପରେ ଗୁରୁତ୍ୱ

ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ଉପରେ ଗୁରୁତ୍ୱ

ଭୁବନେଶ୍ଵର : ୧୯୯୯ ମହାବାତ୍ୟାରୁ ଶିକ୍ଷା ଲାଭ କରି ଓଡିଶା ଏହାର ବିଦ୍ୟୁତ୍ ଭିତ୍ତିଭୂମିକୁ ବିପର୍ଯ୍ୟୟ ପ୍ରତିରୋଧୀ କରାଯିବା ପାଇଁ ଉଦ୍ୟମ ଅବ୍ୟାହତ  ରହିଛି । ବିଦ୍ୟୁତ୍ ଭିତ୍ତିଭୂମିକୁ ମଜଭୁତ୍ କରିବା ପାଇଁ ବଜେଟରେ ଅର୍ଥ ବ୍ୟବସ୍ଥା କରାଯାଉଛି । ବାତ୍ୟା ଓ ଅନ୍ୟ ବିପର୍ଯ୍ୟୟରେ ଆଦୌ କ୍ଷତିଗ୍ରସ୍ତ ନହେବା କିମ୍ବା ବିପର୍ଯ୍ୟୟ ସହନଶୀଳ ଭିତ୍ତିଭୂମି ନିର୍ମାଣ ଉପରେ  ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଗୁରୁତ୍ୱାରୋପ କରିଛନ୍ତି । ବୁଧବାର ଭୁବନେଶ୍ୱର ସ୍ଥିତ  ମେଫେୟାର ଲାଗୁନରେ ଓଡ଼ିଶା ପାଇଁ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି କର୍ମଶାଳାକୁ ଉଦ୍‌ଘାଟନ କରିବା ଅବସରରେ ଶ୍ରୀ ଜେନା ସବୁ ଭିତ୍ତିଭୂମି ବିପର୍ଯ୍ୟୟ ପ୍ରତିରୋଧୀ ହେବା ଉପରେ ଗୁରୁତ୍ୱ ଦେଇଛନ୍ତି । 

ରାଜ୍ୟ ସରକାର, କେନ୍ଦ୍ର ଶକ୍ତି ମନ୍ତ୍ରାଳୟ, ଓସ୍‌ଡମା, ଗ୍ରୀଡ୍‌କୋ ଓ କୋଆଲିସନ ଫର୍‌ ଡିଜାଷ୍ଟର ରେଜିଲିଏଣ୍ଟ ଇନଫ୍ରାଷ୍ଟ୍ରକଚର (ସିଡିଆର୍‌ଆଇ)ର ମିଳିତ ଉଦ୍ୟମରେ ଅନୁଷ୍ଠିତ ଏହି କର୍ମଶାଳାରେ ଓଡ଼ିଶାରେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ଵ ଦିଆଯାଇଥିଲ । ଏହି ଅବସରରେ ଓଡ଼ିଶା ସରକାର ଓ ସିଡିଆର୍‌ଆଇଙ୍କ ଦ୍ଵାରା ଓଡ଼ିଶାର ବିଦ୍ୟୁତ୍ ସଂଚାରଣ ଓ ବିତରଣ ଭିତ୍ତିଭୂମି ଆଧାରିତ ପ୍ରକାଶିତ ରିପୋର୍ଟ ଉନ୍ମୋଚିତ ହୋଇଥିଲା ।  ଏହି ରିପୋର୍ଟ ଉପରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ସେମାନଙ୍କର  ମତ ରଖିଥିଲେ।

କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ  ଅନୁ ଗର୍ଗ ଯୋଗଦେଇ  ବାତ୍ୟା ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ କେବଳ ଗୋଟିଏ ବିଭାଗରେ ସୀମିତ ନ ରହି ସମସ୍ତ ବିଭାଗର ନୀତିରେ ଏହା ନିଶ୍ଚିତ ସ୍ଥାନ ପାଇବା ଜରୁରୀ ବୋଲି କହିଥିଲେ । ଜଳ ସମ୍ପଦ ବିଭାଗ ପକ୍ଷରୁ ବହୁ ନିର୍ମାଣ କାର୍ଯ୍ୟ କରାଯାଉଥିବା ଓ ଏଥିରେ  ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ ଉପରେ  ଗୁରୁତ୍ଵ ଦିଆଯାଉଥିବା ସଂପର୍କରେ ସେ ଆଲୋକପାତ କରିଥିଲେ ।

ଅର୍ଥ ତଥା ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଲ କୁମାର ଦେବ କହିଥିଲେ ଯେ,  ରାଜ୍ୟ ସରକାର ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ଵ ଦେଉଛନ୍ତି ।  ବାରମ୍ବାର ଜଳବାୟୁ ପରିବର୍ତ୍ତନ ଓ ଏହା ଦ୍ଵାରା ଭିତ୍ତିଭୂମି ପ୍ରଭାବିତ ହେବାର ଆଶଙ୍କା ଥିବାରୁ ସେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣର ଗୁରୁତ୍ଵ ସମ୍ପର୍କରେ ଆଲୋଚନା କରିଥିଲେ । 

ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଏ ସମ୍ପର୍କରେ ଆଲୋଚନାରେ ଅଂଶଗ୍ରହଣ କରି କହିଥିଲେ ଯେ,  ବିପର୍ଯ୍ୟୟ ପ୍ରତିରୋଧୀ ବ୍ୟବସ୍ଥା ଏକ ବୈଶ୍ଵିକ ପ୍ରସଙ୍ଗ । ପ୍ରକାଶ ପାଇଥିବା ରିପୋର୍ଟ କେବଳ ଓଡ଼ିଶା ପାଇଁ ନୁହେଁ , ଅନ୍ୟ ଅଞ୍ଚଳ ପାଇଁ ମଧ୍ୟ ପ୍ରଯୁଜ୍ୟ । ଶିଳ୍ପ କ୍ଷେତ୍ରରେ ମଧ୍ୟ ଏହି ରିପୋର୍ଟର ପ୍ରସ୍ତାବକୁ ଗ୍ରହଣ କରାଯିବା ଉପରେ ସେ ଗୁରୁତ୍ଵ ଦେଇଥିଲେ । ଉପକୂଳ ଅଞ୍ଚଳରେ ବାତ୍ୟା, ପ୍ରବଳ ବର୍ଷା, ବନ୍ୟା ଓ ଜଳବନ୍ଦୀ ଯୋଗୁ ଗୁରୁତ୍ଵପୂର୍ଣ୍ଣ ବିଦ୍ୟୁତ ଭିତ୍ତିଭୂମି ପ୍ରଭାବିତ ହେଉଛି। ଏହାର ପୁନଃନିର୍ମାଣ ପାଇଁ ବିପୁଳ ଅର୍ଥ ଖର୍ଚ୍ଚ ହେବା ସହ, ଅନେକ ସମ୍ପତ୍ତି ନଷ୍ଟ ହେଉଛି । ବିଦ୍ୟୁତ୍ ଭିତ୍ତିଭୂମି ଉପରେ ନିର୍ଭରଶୀଳ ଅର୍ଥନୈତିକ, ଶିଳ୍ପ ଓ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ପ୍ରଭାବିତ            ହେଉଛି । କିପରି ବିଦ୍ୟୁତ୍‌ ଭିତ୍ତିଭୂମିକୁ  ମଜଭୁତ୍‌ କରାଯିବ ସେ ନେଇ ବହୁ ପ୍ରସ୍ତାବ ଏହି ରିପୋର୍ଟରେ  ଉଲ୍ଳେଖ ରହିଛି । ନୀତି ପ୍ରସ୍ତୁତି, ତାଲିମ ଓ ଦକ୍ଷତା ବୃଦ୍ଧି ସମ୍ପର୍କରେ ମଧ୍ୟ ଏଥିରେ  ପ୍ରସ୍ତାବ ରହିଥିବା ସେ ପ୍ରକାଶ କରିଥିଲେ ।

 ଏହି ରିପୋର୍ଟ ପ୍ରକାଶ କରିଥିବାରୁ କେନ୍ଦ୍ର ଶକ୍ତି ମନ୍ତ୍ରାଳୟର ଯୁଗ୍ମ ସଚିବ ଶ୍ରୀ ଶଶାଙ୍କ ଶେଖର ମିଶ୍ର ସିଡିଆରଆଇକୁ ପ୍ରଶଂସା କରିଥିଲେ। ଭବିଷ୍ୟତରେ କେନ୍ଦ୍ର ଶକ୍ତି ମନ୍ତ୍ରାଳୟ ବିପର୍ଯ୍ୟୟ ପ୍ରତିରୋଧୀ ବିଦ୍ୟୁତ୍ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ବିଭିନ୍ନ ସ୍ତରରେ ଆଲୋଚନା କରିବ ବୋଲି ସେ କହିଥିଲେ ।

ଏନ୍‌ଡିଏମଏର ସଦସ୍ୟ ଡକ୍ଟର କ୍ରିଷ୍ଣା ଏସ୍ ବତ୍ସା କହିଥିଲେ ଯେ, ଏହି ରିପୋର୍ଟ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସହାୟକ ହେବ। ସିଡିଆର୍‌ଆଇର ମହା ନିର୍ଦ୍ଦେଶକ ଅମିତ ପୁରୋହିତ କହିଥିଲେ ଯେ,  ଏହି ରିପୋର୍ଟ ସମସ୍ତ ଉପକୂଳ ଅଞ୍ଚଳରେ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଉପାଦେୟ ସାବ୍ୟସ୍ତ ହେବ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ଶକ୍ତି ବିଭାଗ, ଗ୍ରୀଡ୍‌କୋ, ଓସଡମା, ଓପିଟିସିଏଲ୍, ବିତରକ କମ୍ପାନୀର ବରିଷ୍ଠ ଅଧିକାରୀ ସାମିଲ ହେବା ସହ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ସେମାନଙ୍କ ମତ ରଖିଥିଲେ ।