Home Health ପାଳନ ହେବ ସିକଲ ସେଲ ସଚେତନତା ଦିବସ 

ପାଳନ ହେବ ସିକଲ ସେଲ ସଚେତନତା ଦିବସ 

ଭୁବନେଶ୍ୱର : ଜୁନ୍‌ ୧୯ରେ  ରାଜ୍ୟରେ ପାଳନ ହେବ ବିଶ୍ୱ ସିକଲ ସେଲ ରୋଗ  ସଚେତନତା ଦିବସ ।  ଏଥି ସହିତ ଜୁନ୍‌ ୧୯ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ପରିପ୍ରେକ୍ଷୀରେ ରୋଗ ପରୀକ୍ଷା(ସ୍କ୍ରିନିଂ) ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜୁନ ୧୯ରେ  ସୁନ୍ଦରଗଡରେ  ରାଜ୍ୟସ୍ତରୀୟ ଓ ବିଭିନ୍ନ ଜିଲ୍ଲାରେ ଜିଲ୍ଲାସ୍ତରୀୟ  ସିକିଲ ସେଲ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି  ।

ସିକିଲ ସେଲ ଏକ ଜେନେଟିକ୍ ରୋଗ ଓ ଏହି ରୋଗ ହେଲେ ବ୍ୟକ୍ତି ବା ଶିଶୁକୁ ରକ୍ତହୀନତାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ଚିହ୍ନଟ ଓ ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ଜରୁରୀ । ୨୦୪୭  ମସିହା  ସୁଦ୍ଧା ଏହି  ରୋଗର ଦୂରୀକରଣ ଲକ୍ଷ୍ୟ ରହିଛି । ଏହି ରୋଗ ଆମ ରାଜ୍ୟରେ ବିଶେଷ କରି ଜନଜାତି  ବହୁଳ ଜିଲ୍ଲା ସମେତ ପ୍ରାୟ ୨୧ ଟି ଜିଲ୍ଲାରେ ଦେଖା ଦେଉଥିବା ଜଣାଯାଇଛି । 

ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ,  ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,  ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ, ପଂଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସଂପର୍କ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, କ୍ରୀଡା ଓ ଯୁବ ସେବା ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆଦିର  ମିଳିତ  ପ୍ରୟାସରେ ବିଭିନ୍ନ  କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ତିର କରାଯାଇଛି ।

ଏ ସଂପର୍କରେ ଏକ ସମନ୍ୱୟ ବୈଠକ  ଆଜି ପୂର୍ବାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ  ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।  ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ  ଅନୁ ଗର୍ଗ, ଉପରୋକ୍ତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ନିର୍ଦ୍ଦେଶକ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

ବୈଠକରୁ ଜଣାଯାଇଛି ଯେ, ଆସନ୍ତା କାଲି ଜୁନ୍‌ ୧୯ ତାରିଖରେ ସୁନ୍ଦରଗଡରେ ରାଜ୍ୟସ୍ତରୀୟ ସ୍କ୍ରିନିଂ ଓ ସଚେତନତା କାର୍ଯ୍ୟକ୍ରମ  ଓ ଚିହ୍ନଟ ହୋଇଥିବା ଅନ୍ୟ ସମସ୍ତ ୨୦ ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ସ୍କ୍ରିନିଂ ଓ  ସଚେତନତା  କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସିକଲ ସେଲ ରୋଗ ସଂପର୍କରେ ସଚେତନତା  ପାଇଁ ପ୍ରତ୍ୟେହ  ବୈଦ୍ୟୁତିକ , ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମ ଆଦିରେ ବହୁଳ ପ୍ରଚାର ପ୍ରସାର ହେବ ।  ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ ଆଦି ଗୁଡିକରେ  ପ୍ରଚାର ପତ୍ର ଲଗାଯିବ । 

ବିଦ୍ୟାଳୟ, ମହାବିଦ୍ୟାଳୟ , ଡାକ୍ତରଖାନା, ଗବେଷଣା ପ୍ରତିଷ୍ଠାନ, ପାରା-ମେଡିକାଲ ସଂସ୍ଥା ସମେତ ଆଶା, ସ୍ୱାସ୍ଥ୍ୟକର୍ମୀ, ‘ନିକ୍ଷୟ ମିତ୍ର’, ସ୍ଵେଚ୍ଛାସେବୀ ସଂଗଠନ, ବାୟୁବାହିତ ରୋଗ ନିୟନ୍ତ୍ରଣରେ ନିୟୋଜିତ  ଅଧିକାରୀ, ଗ୍ରାମ ପଞ୍ଚାୟତଗୁଡିକର ସ୍ୱସ୍ଥ୍ୟ କମିଟିର  ସକ୍ରିୟ ସହଯୋଗ ସହଯୋଗ ନିଆଯିବ ।  ବିଶେଷ କରି  ଗର୍ଭବତୀ ମହିଳା ଓ ପ୍ରସୂତି ମା’ ମାନଙ୍କୁ ସିକେଲ ସେଲ ରୋଗର କାରଣ ଓ ଲକ୍ଷଣ ସଂପର୍କରେ ସଚେତନ କରାଯିବ ।

ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ରୋଗର ପରୀକ୍ଷା ଓ ବିଭିନ୍ନ ସଚେତନତା  କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ପ୍ରକାଶ କରିଥିଲେ । ୧୫ ଦିନ ଧରି ଏହି ସଚେତନତା କାର୍ଯ୍ୟକ୍ରମ ଅଭିଯାନ ପାଇଁ ସଂପୃକ୍ତ  ବିଭାଗ ଓ  ଜିଲ୍ଲାପାଳମାନଙ୍କ ସହ  ଆବଶ୍ୟକ ସମନ୍ୱୟ ଓ ଯୋଗାଯୋଗ   କରାଯାଇଥିବା ସଂପର୍କରେ ଏସଟି, ଏସ୍‌ସି ଉନ୍ନୟନ ବିଭାଗ , ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ କମିଶନର ତଥା  ଶାସନ ସଚିବ  ଶ୍ରୀମତୀ ରୂପାରୋଶନ ସାହୁ ପ୍ରକାଶ କରିଥିଲେ । ସୁନ୍ଦରଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୫୦୦୦ ଅଂଶଗ୍ରହଣକାରୀ ଯୋଗଦେବାକୁ ଥିବା ବେଳେ ପ୍ରଭାବିତ ଅନ୍ୟ ସମସ୍ତ  ଜିଲ୍ଲାରେ ଜିଲ୍ଲାସ୍ତରୀୟ  ସ୍ୱାସ୍ଥ୍ୟ ଶିବିରରେ ୫00 ରୁ ୭00 ଅଂଶଗ୍ରହଣକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନବାଡି କେନ୍ଦ୍ରରେ ଏହି ରୋଗ ପରୀକ୍ଷା ଓ ସଚେତନ କାର୍ଯ୍ୟକ୍ରମ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ  ଜରିଆରେ ସ୍ୱୟଂସହାୟକ ଗୋଷ୍ଠୀ, ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ କମିଟି ଜରିଆରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ,  ପ୍ରତିଯୋଗିତା ଓ କର୍ମଶାଳା,  ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଜରିଆରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର, କ୍ରୀଡା ଓ ଯୁବସେବା ବିଭାଗ ଜରିଆରେ କ୍ରୀଡା ପ୍ରତିଯୋଗିତା, ଜାତୀୟ  ସେବା ସଂସ୍ଥା (ଏନଏସଏସ), ନ୍ୟାସନାଲ ୟୁଥ୍‌ କର୍ପସ,  ସ୍କାଉଡ୍‌,  ଗାଇଡ୍ , ନେହେରୁ  ଯୁବ କେନ୍ଦ୍ର, ଯୁବକ ସଂଘ,  ମାଇଁ  ଭାରତ ସ୍ୱେଚ୍ଛାସେବୀ ଆଦିଙ୍କର  ସହଯୋଗ ନିଆଯାଇ ସଚେତନତାକୁ ବ୍ୟାପକ କରାଯିବ । 

ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷି ବିଜ୍ଞାନ କେନ୍ଦ୍ର, କୃଷକ ଉତ୍ପାଦକ ଗୋଷ୍ଠୀ, କୃଷି ବିଶ୍ୱବିଦ୍ୟାଳୟ ଆଦି ଗୁଡିକରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ସହାୟତାରେ  ସ୍ୱାସ୍ଥ୍ୟ ଶିବିର  ଓ ରୋଗ ପରୀକ୍ଷା(ସ୍କ୍ରିନିଂ)  କରାଯିବ । ଅନୁସୂଚିତ ଜନଜାତି  ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ  ନୋଡାଲ ବିଭାଗ ଭାବେ ଏଥିପାଇଁ ଆବଶ୍ୟକ  ସହଯୋଗ  ଓ ସମନ୍ୱୟ  କରିବ । ପ୍ରଚାର ପତ୍ର  ବଣ୍ଟନ  ସହ ଆଶ୍ରମ ସ୍କୁଲ ଓ ଏକଲବ୍ୟ  ମଡେଲ ଆବାସିକ ସ୍କୁଲଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଜିଲ୍ଲାସ୍ତରୀୟ ଅଧିକାରୀ ଓ ସିଡିପିଓମାନଙ୍କୁ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂପୃକ୍ତ ରହିବାକୁ  ମୁଖ୍ୟ  ଶାସନ ସଚିବ  ଶ୍ରୀ ଜେନା  ନିର୍ଦ୍ଦେଶ  ଦେଇଛନ୍ତି ।  ବିଦ୍ୟାଳୟରେ ପ୍ରାର୍ଥନା  ସମୟରେ ଛାତ୍ରଛାତ୍ରୀମାନଙ୍କୁ ଏ ସଂପର୍କରେ  ସଚେତନ କରିବାକୁ ସେ ପରାମର୍ଶ ଦେଇଛନ୍ତି । 

ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ  ଓ ପାନୀୟ ଜଳ  ବିଭାଗ ପ୍ରମୁଖ ଶାସନ ସଚିବ  ଶ୍ରୀ  ସୁଶୀଲ କୁମାର  ଲୋହାନୀ, ମହିଳା ଓ ଶିଶୁ ବିକାଶ ବିଭାଗ  ପ୍ରମୁଖ  ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ, ବିଦ୍ୟାଳୟ ଓ ଗଣଶିକ୍ଷା  ବିଭାଗ କମିଶନର ତଥା ଶାସନ ସଚିବ  ଆଶ୍ୱତୀ ଏସ୍‌, ଉଚ୍ଚ ବିଭାଗ ସଚିବ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡ. ବୃନ୍ଦା ଡି., ଅନୁସୂଚିତ ଜନଜାତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।