Home Agriculture ହ୍ରାସ ପାଇବ ଧାନ ଉତ୍ପାଦନ

ହ୍ରାସ ପାଇବ ଧାନ ଉତ୍ପାଦନ

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ଧାନ ଉତ୍ପାଦନ ହ୍ରାସ ପାଇବ । ଚାଷୀମାନେ ଅଧିକ ଅମଳକ୍ଷମ ଉନ୍ନତମାନର ପ୍ରମାଣିକ ଧାନ ବିହନ ଖରିଦ କରୁନଥିବାରୁ ଏଭଳି ଆଶଙ୍କା ପ୍ରକାଶ ପାଇଲାଣି । ତେବେ ଚାଷୀଙ୍କ ଏଭଳି ଅନାଗ୍ରହ ପଛରେ ସରକାରଙ୍କ ଡିବିଟି, ଓଟିପି ଓ ଇ-ରୂପି ବ୍ୟବସ୍ଥାକୁ ଦାୟୀ କରାଯାଉଛି ।

ରାଜ୍ୟରେ ବାର୍ଷିକ ହାରାହାରି ୫ଲକ୍ଷ କୁଇଣ୍ଟାଲ ଉନ୍ନତମାନର ବିହନ ଯୋଗାଣର ଲକ୍ଷ୍ୟ ଥିବାବେଳେ ବର୍ତ୍ତମାନ ସୁଦ୍ଧା ଏକ ଲକ୍ଷ କୁଇଣ୍ଟାଲରୁ ସାମାନ୍ୟ ଅଧିକ ପରିମାଣର ଧାନ ବିହନ ବିକ୍ରି ହୋଇଛି । ଚଳିତ ଖରିଫ ଋତୁରେ ଚାଷୀଙ୍କୁ ୨ଲକ୍ଷ ୯୫ ହଜାର କୁଇଣ୍ଟାଲ ଧାନ ବିହନ ଯୋଗାଇବାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ପୂରଣ ନେଇ ସନ୍ଦେହ ପ୍ରକାଶ ପାଇଲାଣି ।

ତେବେ ଧାନ ବିହନର ଏଭଳି କମ୍‍ ବିକ୍ରି ପଛରେ ସରକାରଙ୍କର ଗୋଟିଏ ପରେ ଗୋଟିଏ ଯୋଜନାକୁ ଚାଷୀମାନେ ଦାୟୀ କରୁଛନ୍ତି । ପ୍ରଥମେ ଧାନ ବିହନ କ୍ଷେତ୍ରରେ ଡିବିଟି ପ୍ରଚଳନ କଲେ । ଏହି ବ୍ୟବସ୍ଥାରେ ଚାଷୀଟି ପ୍ରଥମେ ପୂର୍ଣ୍ଣ ଅର୍ଥ ଦେଇ ବିହନ ଖରିଦ କରିବ ଏବଂ ପରେ ତାଙ୍କର ଆକାଉଣ୍ଟକୁ ସବସିଡ୍‍ ଅର୍ଥ ଦେବ । ତେବେ ଚାଷୀମାନେ ଏଥିପ୍ରତି ଆଗ୍ରହ ନଦେଖାଇବାରୁ ବିହନ ନିଗମ ଗୋଟିଏ ବର୍ଷରେ ୩୦ କୋଟି ଟଙ୍କା କ୍ଷତି କରିଥିଲା ।

ଏହାପରେ ଚାଷୀଙ୍କୁ ବିହନ ସବସିଡ୍‍ ମିଳିବା ପାଇଁ ଓଟିପି ବ୍ୟବସ୍ଥା ହେଲା । ଚାଷୀମାନେ ଏଥିପ୍ରତି ମଧ୍ୟ ଆଗ୍ରହ ପ୍ରକାଶ କଲେ ନାହିଁ । ଏବେ ପାଇଲଟ୍‍ ପ୍ରକଳ୍ପ ଭାବେ ସବସିଡ୍‍ ଅର୍ଥ ପାଇବାକୁ ଚାଷୀଙ୍କ ପାଇଁ ‘ଇ-ରୂପି’ ବ୍ୟବସ୍ଥା ପ୍ରଚଳନ ହୋଇଛି । ଏହି ବ୍ୟବସ୍ଥାରେ ପଞ୍ଜିକୃତ ଚାଷୀମାନେ ବିହନ କିଣିବାପରେ ସବସିଡ୍‍ ଅର୍ଥ ବାବଦରେ ସେମାନଙ୍କ ନିକଟକୁ ଡିଜିଟାଲ ଅର୍ଥ ଯିବ ଏବଂ ତାହାକୁ ନେଇ ଡିଲରଙ୍କୁ ଦେଖାଇଲେ ନଗଦ ଅର୍ଥ ପାଇବେ । ପୂର୍ବ ଦୁଇ ଯୋଜନା ଭଳି ଏଥିପ୍ରତି ମଧ୍ୟ ଚାଷୀମାନେ ଆଗ୍ରହ ପ୍ରକାଶ କରୁନାହାନ୍ତି, ଯାହା ଫଳରେ ଧାନ ବିହନ ବିକ୍ରି ହ୍ରାସ ପାଇବାରେ ଲାଗିଛି ।

ଚଳିତ ଖରିଫ ଋତୁରେ ରାଜ୍ୟ ସରକାର ଗୋଟିଏ କୁଇଣ୍ଟାଲ ଧାନ ବିହନ ଉପରେ ୧୪୩୭ ଟଙ୍କାରୁ ୧୫୮୭ ଟଙ୍କା ପର୍ଯ୍ୟନ୍ତ ସବସିଡ୍‍ ପ୍ରଦାନ କରୁଛନ୍ତି । ଏହା ସତ୍ୱେ ବି ଚାଷୀମାନେ ବିହନ ନେବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଥି ଯୋଗୁଁ କେବଳ ରାଜ୍ୟରେ ଧାନ ଉତ୍ପାଦନ ହ୍ରାସ ପାଇବ ନାହିଁ, ବିହନ ପ୍ରତିବଦଳ ମଧ୍ୟ କମିଯିବ । ଚାଷୀମାନେ ଉନ୍ନତମାନର ଅମଳକ୍ଷମ ବିହନ ବଦଳରେ ପୁରୁଣା ଧାନ ବିହନ ବ୍ୟବହାର କରିବେ । ଏହାଦ୍ୱାରା ଅମଳ ହ୍ରାସ ସହିତ ରୋଗ ପ୍ରତିରୋଧ ପାଇଁ ସେମାନେ ଅଧିକ ଅର୍ଥ ଖର୍ଚ୍ଚ କରିବେ ।

ଗୋଟିଏ ପଟେ କେନ୍ଦ୍ର ସରକାର ନୂତନ ପ୍ରଜାତିର ଧାନ ବିହନ ପ୍ରଚଳନ ଉପରେ ଗୁରୁତ୍ୱ ଦେବା ସହିତ ପୁରୁଣାଧାନ ବିହନ ଉପରେ ଆଉ ପ୍ରୋତ୍ସାହନରାଶି ପ୍ରଦାନ କରୁନାହାନ୍ତି । ଏଭଳି ସ୍ଥିତିରେ ରାଜ୍ୟର ଚାଷୀମାନେ ଉନ୍ନତ କିସମର ଧାନ ବିହନ ଉପରୁ ମୁହଁ ଫେରାଇନେବା ଏବେ ରାଜ୍ୟରେ ଧାନ ଉତ୍ପାଦନକୁ ଗୁରୁତର ଭାବେ ପ୍ରଭାବିତ କରିବ ବୋଲି ଚାଷୀମାନେ ଖୋଲାଖୋଲି ଭାବେ ମତ ଦେଉଛନ୍ତି । (ତଥ୍ୟ)