Home Education ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ

ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଜଳବାୟୁକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପାଣିପାଗ ଅନୁକୂଳ ରହିଲେ ଓ ସ୍କୁଲ ଖୋଲିବାକୁ ଅନୁମତି ମିଳିଲେ ଜୁନ୍ ୨୦ ତାରିଖ ପର୍ଯ୍ୟନ୍ତ ସକାଳ ସାଢ଼େ ୬ଟାରୁ ୧୦ଟା ପର୍ଯ୍ୟନ୍ତ ସକାଳ କ୍ଲାସ ହେବ।

ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାରେ ଗରମ ଓ ଆର୍ଦ୍ର ପାଗ ଲାଗି ରହିଲେ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଛୁଟି ଘୋଷଣା କରିପାରିବେ। ଏହି ନିର୍ଦ୍ଦେଶନାମା ଜୁନ୍ ୨୦ ପର୍ଯ୍ୟନ୍ତ ବଳବତ୍ତର ରହିବ।

ରାଜ୍ୟ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ଖୋର୍ଦ୍ଧା, କଟକ, ପୁରୀ, ଦେବଗଡ଼, ଅନୁଗୁଳ ଓ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳମାନେ ଆସନ୍ତାକାଲିଠାରୁ ସକାଳ ସମୟରେ ସ୍କୁଲ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି ବରଗଡ଼, ଭଦ୍ରକ ଓ ଗଞ୍ଜାମ ଜିଲ୍ଲା ସମେତ କେତେକ ଜିଲ୍ଲାରେ ସ୍କୁଲ ବନ୍ଦ ରହିବ। ବାଲେଶ୍ୱର ଜିଲ୍ଲାରେ ଆସନ୍ତାକାଲି ପାଇଁ ସ୍କୁଲ ବନ୍ଦ ରହିବ ଏବଂ ଜୁନ୍ ୧୯ ତାରିଖ ସକାଳେ ଖୋଲିବ। ନବରଙ୍ଗପୁର ଜିଲ୍ଲାରେ ଜୁନ୍ ୨୨ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରଖାଯାଇଛି।

ସେପଟେ ପିଲାଙ୍କ ସଂପୃକ୍ତି ବିନା ନିର୍ଦ୍ଧାରିତ ସମୟରେ ସ୍କୁଲ ସୁରକ୍ଷା ସପ୍ତାହ ଆୟୋଜନ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପ୍ରଧାନ ଶିକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେବଳ ଶିକ୍ଷକ ଓ ଏସଏମସିଙ୍କ ଉପସ୍ଥିତିରେ ଗାଇଡଲାଇନରେ ଉଲ୍ଲେଖ ଥିବା ଭଳି କାର୍ଯ୍ୟକଳାପ କରାଯାଇପାରିବ ବୋଲି ସୂତ୍ରରୁ ପ୍ରକାଶ।

ଜୁନ୍ ୮ ତାରିଖରେ ରାଜ୍ୟରେ ମୌସୁମୀ ପ୍ରବେଶ କରିଥିଲେ ହେଁ ଏହାର ଅଗ୍ରଗତି ଧୀରେ ଧୀରେ ଚାଲିଛି। ମୌସୁମୀ ଆସିବାରେ ବିଳମ୍ବ ଯୋଗୁଁ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ଉଷ୍ମ ପାଗ ସୃଷ୍ଟି ହୋଇଥିଲା। ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ଏବେ ମୌସୁମୀ ସକ୍ରିୟ ରହିଛି।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୧.୪ ମିଲିମିଟର ବର୍ଷା ହୋଇଥିବା ବେଳେ ୩୬.୬ ମିଲିମିଟର ବର୍ଷା ହୋଇଛି, ଯାହା କି ୪୨ ପ୍ରତିଶତ କମ୍ ବୋଲି ଆଇଏମଡି କହିଛି।

୧୯ ତାରିଖ ପର୍ଯ୍ୟନ୍ତ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତିର କେତେକ ସ୍ଥାନରେ ଗରମ ଓ ଆର୍ଦ୍ରତା ରହିବ।

୨୦ ତାରିଖରେ ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ଜିଲ୍ଲାର କେତେକ ସ୍ଥାନରେ ଏବଂ ୨୧ ତାରିଖରେ ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।

୩ ଦିନ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଇଏମଡି କହିଛି।