Home General ଉପକୃତ ହେବେ ୪୮ଲକ୍ଷ ଭତ୍ତାଧାରୀ

ଉପକୃତ ହେବେ ୪୮ଲକ୍ଷ ଭତ୍ତାଧାରୀ

ଭୁବନେଶ୍ୱର : ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଓଡିଶାରେ ଏବେ ୪୮ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଭତ୍ତା ପାଉଛନ୍ତି । ବିଜେଡି ସରକାର ଅମଳରେ ଏହି ଭତ୍ତା ପରିମାଣ ବଢି ବଢି ମାସିକ ୧୦୦୦ ଟଙ୍କାରେ ପହଞ୍ଚିଥିବାବେଳେ ଏହି ଭତ୍ତାର ପରିମାଣ ସର୍ବନିମ୍ନ ୩୦୦୦ ଟଙ୍କାକୁ ବଢାଇବା ଲାଗି ଗତ ନିର୍ବାଚନରେ ବିଜେପି ପ୍ରତିଶ୍ରୁତି ଦେଇଥିଲା ।

ବିଜେପିର ପ୍ରତିଶ୍ରୁତି ମୁତାବକ ୮୦ବର୍ଷରୁ କମ୍‍ ବୟସ୍କମାନଙ୍କୁ ଏହି ସାମାଜିକ ନିରାପତ୍ତା ପେନ୍‍ସନ ଯୋଜନାଗୁଡିକରେ ମାସିକ ୩୦୦୦ ଟଙ୍କା କରି ଏବଂ ୮୦ବର୍ଷରୁ ଉର୍ଦ୍ଧ୍ୱ ବୟସ୍କମାନଙ୍କ ଲାଗି ମାସିକ ୩୫୦୦ ଟଙ୍କା କରି ଭତ୍ତା ଦିଆଯିବା କଥା ।

ଓଡିଶାରେ ବିଭିନ୍ନ ଜାତୀୟ ସାମାଜିକ ସହାୟତା ଯୋଜନାରେ ୧୪ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ମାସକୁ ମାସ ଭତ୍ତା ପାଉଛନ୍ତି । ଏମାନଙ୍କ ଛଡା ମଧୁବାବୁ ପେନ୍‍ସନ ଯୋଜନାରେ ୨୮ଲକ୍ଷରୁ ଉର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେଉଛନ୍ତି । ଏହି ହିତାଧିକାରୀମାନେ ଆଶା ରଖି ବସିଛନ୍ତି ଯେ ନୂଆ ବିଜେପି ସରକାର ଆସିବା ଦିନ ଠାରୁ ସେମାନଙ୍କୁ ନିର୍ବାଚନୀ ଘୋଷଣା ମୁତାବକ ବର୍ଦ୍ଧିତ ହାରରେ ଭତ୍ତା ମିଳିବ । ଏହାଛଡା ମାସିକ ଭତ୍ତା ପାଇବାପାଇଁ ବିଭିନ୍ନ ଜିଲ୍ଲାରେ ବି ଲକ୍ଷାଧିକ ଆବେଦନପତ୍ର ମଞ୍ଜୁରୀ ପ୍ରତୀକ୍ଷାରେ ପଡି ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଯୋଜନା, ଇନ୍ଦିରା ଗାନ୍ଧୀ ଜାତୀୟ ବିଧବା ଯୋଜନା ଓ ଇନ୍ଧିରା ଗାନ୍ଧୀ ଜାତୀୟ ଭିନ୍ନକ୍ଷମ ଯୋଜନାରେ ଭତ୍ତା ଅର୍ଥ କେନ୍ଦ୍ର ସରକାର ଯୋଗାଉଥିବାବେଳେ ମଧୁବାବୁ ପେନ୍‍ସନ ଯୋଜନା ହେଉଛି ଓଡିଶା ସରକାରଙ୍କର ନିଜସ୍ୱ । ନିର୍ବାଚନ ପ୍ରତିଶ୍ରୁତି ମୁତାବକ ନୂଆ ବିଜେପି ସରକାର ବର୍ଦ୍ଧିତ ହାରରେ ଭତ୍ତା ପ୍ରଦାନ କଲେ ଏବେ ଏ ବାବଦରେ ଯେତେ ଅର୍ଥ ବ୍ୟୟ ହେଉଛି ତାହାର ପରିମାଣ ୩ଗୁଣ ବୃଦ୍ଧି ପାଇବ ।

ଭତ୍ତା ପାଉଥିବା ହିତାଧିକାରୀମାନେ କହୁଛନ୍ତି ଯେ ଏବେ ମୁଦ୍ରାସ୍ଫିତି ଓ ଦରଦାମ ବୃଦ୍ଧି ଯେଉଁ ସ୍ତରରେ ପହଞ୍ଚିଛି ସେଥିରେ ମାସିକ ୧୦୦୦ ଟଙ୍କା ଭତ୍ତାରେ ବଞ୍ଚିବା ମୁସ୍କିଲ । ଏହା ଔଷଧ ଓ ପଥ୍ୟ ପାଇଁ ନିଅଣ୍ଟ ପଡୁଥିବାବେଳେ ଭତ୍ତାଧାରୀମାନଙ୍କ ଦୈନନ୍ଦିନ ଅନ୍ୟାନ୍ୟ ଗୁଜୁରାଣ ମେଣ୍ଟାଇବା କଷ୍ଟସାଧ୍ୟ ହୋଇପଡୁଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଂସଦ, ବିଧାୟକ, ମନ୍ତ୍ରୀ ଓ ଅନ୍ୟାନ୍ୟ ସାମ୍ବିଧାନିକ ପଦାଧିକାରୀମାନଙ୍କ ବେତନ ଓ ପେନ୍‍ସନ ଢେର ବଢାଇଛନ୍ତି । ଏହାଛଡା ସରକାରୀ କର୍ମଚାରୀମାନଙ୍କ ବେତନ ଓ ପେନସନ ମଧ୍ୟ ଖାଉଟି ମୂଲ୍ୟସୂଚୀକୁ ଆଖିଆଗରେ ରଖି ବେତନ କମିଶନଙ୍କ ସୁପାରିଶ୍‍ ଆଧାରରେ ନିୟମିତ ବ୍ୟବଧାନରେ ବଢାଯାଉଛି । ଅନ୍ୟ ପକ୍ଷରେ ସାମାଜିକ ସୁରକ୍ଷା ପାଇଁ ଯେଉଁ ବିପନ୍ନ ବର୍ଗଙ୍କ ଲାଗି ଏକ ଜନମଙ୍ଗଳକାରୀ ରାଷ୍ଟ୍ର ଭତ୍ତା ବ୍ୟବସ୍ଥା କରିଛି ତାହା ମଧ୍ୟ ମୁଦ୍ରସ୍ଫିତି ଓ ଖାଉଟି ମୂଲ୍ୟସୂଚୀକୁ ଆଖିଆଗରେ ରଖି ସାମ୍ବିଧାନିକ ପଦାଧିକାରୀ ଓ ସରକାରୀ କର୍ମଚାରୀମାନଙ୍କ ବେତନ ଓ ପେନ୍‍ସନ ତୁଳନାରେ ସ୍ଥିର କରାଯିବା ଆବଶ୍ୟକ ।

ଓଡିଶାରେ ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବାର ଇତି ମଧ୍ୟରେ ଏକ ସପ୍ତାହ ପୂରିନଥିଲେ ବି ର୍ନିବାଚନ ପ୍ରତିଶ୍ରୁତି ମୁତାବକ କେତେକ ନୂଆ ଘୋଷଣା ହୋଇ ସାରିଲାଣି । ତେବେ ଅନ୍ୟାନ୍ୟ ଘୋଷଣାଗୁଡିକ ୧୦୦ ଦିନ ମଧ୍ୟରେ କରାଯିବ ବୋଲି ମନ୍ତ୍ରୀମାନେ ଗଣମାଧ୍ୟମକୁ ବାରମ୍ବାର କହୁଛନ୍ତି । ଏ ପରିପ୍ରେକ୍ଷୀରେ ଭତ୍ତା ବୃଦ୍ଧି ଘେନି ହିତାଧିକାରୀମାନଙ୍କ ଆଶା ବଢିବାରେ ଲାଗିଛି । ଆଗକୁ ବିଧାନସଭା ଅଧିବେଶନ ଥିବା ଏବଂ ରାଜ୍ୟ ଓ କେନ୍ଦ୍ର ସରକାର ପୂର୍ଣ୍ଣାଙ୍ଗ ବଜେଟ୍‍ ଆଗତ କରିବାକୁ ଅପେକ୍ଷାରେ ଥିବା ପରିପ୍ରେକ୍ଷୀରେ ସାମାଜିକ ନିରାପତ୍ତା ଯୋଜନାରେ ଅର୍ନ୍ତଭୁକ୍ତ ହିତାଧିକାରୀମାନଙ୍କ ମାସିକ ଭତ୍ତା ପ୍ରତିଶ୍ରୁତି ମୁତାବକ ବୃଦ୍ଧି ପାଇବା ଘେନି ଆଶା ପ୍ରକାଶ ପାଇବା ସ୍ୱାଭାବିକ । (ତଥ୍ୟ)