Home Judiciary ଉଠିଲା ସ୍ୟାଟ୍‍ ପୁନଃ ପ୍ରତିଷ୍ଠା ଦାବି

ଉଠିଲା ସ୍ୟାଟ୍‍ ପୁନଃ ପ୍ରତିଷ୍ଠା ଦାବି

ଭୁବନେଶ୍ୱର : ଓଡିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍) ପୁନଃ ପ୍ରତିଷ୍ଠା ଲାଗି ନୂଆ ବିଜେପି ସରକାର ପଦକ୍ଷେପ ନେବାକୁ ଉଭୟ କର୍ମଚାରୀ ଓ ଆଇନ୍‍ଜୀବୀ ମହଲରେ ଦାବି ଉଠିଛି ।

ଏଠାରେ ଉଲ୍ଲେଖନୀୟ ଯେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସରକାର ସ୍ୱତନ୍ତ୍ର ଆଇନ୍‍ ପ୍ରଣୟନ କରି କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ ପାଇଁ କ୍ୟାଟ୍‍ ଓ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ପାଇଁ ସ୍ୟାଟ୍‍ ପ୍ରତିଷ୍ଠା ଲାଗି ବ୍ୟବସ୍ଥା କରିଥିଲେ । ଏହି ମର୍ମରେ ଓଡିଶାରେ ଦେଶର ପ୍ରଥମ ସ୍ୟାଟ୍‍ ଭୁବନେଶ୍ୱରରେ ୧୯୮୬ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ପରେ ଏହାର ଏକ ନିୟମିତ ବେଞ୍ଚ କଟକରେ ଏବଂ ଦୁଇଟି ସର୍କିଟ୍‍ ବେଞ୍ଚ ସମ୍ବଲପୁର ଓ ବ୍ରହ୍ମପୁରରେ ଚାଲୁଥିଲା ।

ରାଜ୍ୟ ସରକାର ଭୁବନେଶ୍ୱର ଓ କଟକରେ ସ୍ୟାଟ୍‍ର ସ୍ଥାୟୀ ବେଞ୍ଚ ଲାଗି ସ୍ୱତନ୍ତ୍ର ସୌଧ ନିର୍ମାଣ କରିଥିଲେ । କଟକରେ ଏବେ ବି କ୍ୟାଟ୍‍ ବେଞ୍ଚ କାର୍ଯ୍ୟ କରୁଛି । ଅଥଚ ରାଜ୍ୟ ସରକାର ଜିଦ୍‍ ଧରି ଓଡିଶାରୁ ସ୍ୟାଟ୍‍କୁ ଉଠାଇ ଦେବାପାଇଁ ପଦକ୍ଷେପ ନେଇଥିଲେ । ପ୍ରଥମେ କେନ୍ଦ୍ର ସରକାର ଏଥିରେ ରାଜି ହେଉନଥିଲେ ମିନ୍ତୁ ୨୦୧୯ର ନିର୍ବାଚନ ପରେ ରାଜ୍ୟ ସରକାରଙ୍କ ପ୍ରସ୍ତାବରେ କେନ୍ଦ୍ର ମୋହର ବସାଇବାରୁ ସ୍ୟାଟ୍‍ ଉଚ୍ଛେଦ ହୋଇଥିଲା । ଏଠାରେ ଉଲ୍ଲେଖନୀୟ ଯେ ୨୦୧୯ ନିର୍ବାଚନୀ ପ୍ରତିଶ୍ରୁତିରେ ବିଜେପି ପକ୍ଷରୁ ସ୍ୟାଟ୍‍ ରଖିବା ଘେନି କୁହାଯାଇଥିଲା ।

ସ୍ୟାଟ୍‍କୁ ଉଠାଇ ଦିଆଯିବା ପରେ ଏବେ ସରକାରୀ ଚାକିରିରେ ନିଯୁକ୍ତି, ଚାକିରି ସର୍ତ୍ତାବଳୀ ଏବଂ ପେନ୍‍ସନ ଆଦି ସଂକ୍ରାନ୍ତୀୟ ମାମଲାଗୁଡିକ ହାଇକୋର୍ଟରେ ବିଚାର ହେଉଛି । ଏଥିପାଇଁ ସମ୍ବଲପୁର, ବ୍ରହ୍ମପୁର ଆଦି ଅଞ୍ଚଳର କର୍ମଚାରୀ, ଚାକିରି ପ୍ରତ୍ୟାଶି ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ କଟକ ଦଉଡିବାକୁ ପଡୁଛି । ହାଇକୋର୍ଟରେ ବି ମାମଲା ପାଇଁ ବେଶ୍‍ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି ।

ଓଡିଶା ହାଇକୋର୍ଟରେ ମାମଲା ସଂଖ୍ୟା ତୁଳନାରେ ବିଚାରପତି ନଥିବାରୁ ସ୍ୟାଟ୍‍ର ପୁରୁଣା ମାମଲା ଓ ଚାକିରି ସଂକ୍ରାନ୍ତୀୟ ନୂଆ ମାମଲା ଗୁଡିକର ବୋଝ ହାଇକୋର୍ଟକୁ ବୋହିବାକୁ ପଡୁଛି । ବିଭିନ୍ନ କର୍ମଚାରୀ ସଂଗଠନ ପକ୍ଷରୁ ଦୀର୍ଘଦିନ ଧରି ସ୍ୟାଟ୍‍ ପୁନଃ ପ୍ରତିଷ୍ଠା ଘେନି ଦାବିହୋଇ ଆସୁଛି । ସ୍ୟାଟ୍‍ ଓକିଲ ସଂଘ ମଧ୍ୟ ଏହି ଟ୍ରିବ୍ୟୁନାଲ ଉଚ୍ଛେଦକୁ ମୂଳରୁ ବିରୋଧ କରି ଆସୁଛି । କର୍ମଚାରୀମାନଙ୍କ ଉପରେ ନିର୍ଯ୍ୟାତନା ବଢୁଥିବାବେଳେ ସମସ୍ୟାର ତ୍ୱରିତ ଫଏସଲା ଲାଗି ରାଜ୍ୟ ସରକାର ପୁର୍ନବାର ସ୍ୟାଟ୍‍ର ୪ଟି ଯାକ ବେଞ୍ଚକୁ କାର୍ଯ୍ୟକ୍ଷମ କରିବାପାଇଁ ଆଇନ୍‍ଜୀବୀ ମହଲରୁ ଦାବି ଉଠୁଛି ।

ଏଠାରେ ଉଲ୍ଲେଖନୀୟ ଯେ ସ୍ୟାଟ୍‍ରେ ଜଣେ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସମେତ ୬ଜଣ ସଦସ୍ୟ ରହିବାର ବ୍ୟବସ୍ଥା ଥିଲା । ଏମାନଙ୍କ ମଧ୍ୟରୁ ୩ଜଣ ବିଚାର ବିଭାଗୀୟ ଓ ଆଉ ୩ଜଣ ପ୍ରଶାସନିକ ସଦସ୍ୟ ରହୁଥିଲେ । ଫଳରେ କେବଳ ଚାକିରି ସଂକ୍ରାନ୍ତୀୟ ମାମଲାଗୁଡିକ ଉପରେ ଏମାନେ ତର୍ଜମା କରିବା ସହ ନ୍ୟାୟ ଦେଉଥିଲେ । ଏଥିରେ କୌଣସି ପକ୍ଷ ସନ୍ତୁଷ୍ଟ ନହେଲେ ସେମାନେ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମ୍‍କୋର୍ଟ ଯିବାର ସୁଯୋଗ ଥିଲା ।

ସ୍ୟାଟ୍‍ ଉଚ୍ଛେଦ ପରେ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ମଧ୍ୟ ମାମଲା ପରିଚାଳନା କ୍ଷେତ୍ରରେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।୨୦୧୪ ରୁ ୨୦୧୯ ପର୍ଯ୍ୟନ୍ତ ଲଗାତାର ଭାବେ ବିଜେପି ସ୍ୟାଟ୍‍କୁ ଚଳାଇ ରଖିବା ସପକ୍ଷରେ ମତଦେଇ ଆସୁଥିଲା । ଏମିତିକି ବିଜେପି ଆଇନ୍‍ଜୀବୀ ସେଲ୍‍ ର ନେତାମନେ ସେତେବେଳେ ଏ ପ୍ରସଙ୍ଗରେ ବିଭାଗୀୟ କେନ୍ଦ୍ରମନ୍ତ୍ରୀ ଓ ଦଳର ଅନ୍ୟ ନେତାମାନଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ । କର୍ମଚାରୀମାନଙ୍କ ବୃହତ୍ତର ସ୍ୱାର୍ଥ ଏବଂ ରାଜ୍ୟ ସରକାରଙ୍କ ସୁବିଧା ଲାଗି ସ୍ୟାଟ୍‍ ପୁନଃ ପ୍ରତିଷ୍ଠା କରିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)