Home Election ଟିଡିପି ସାଂସଦ ସବୁଠୁ ଧନୀ

ଟିଡିପି ସାଂସଦ ସବୁଠୁ ଧନୀ

ଭୁବନେଶ୍ୱର : କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ଟିଡିପି ସାଂସଦ ଡାକ୍ତର ଚନ୍ଦ୍ର ଶେଖର ପେମାସାନି ହେଉଛନ୍ତି ମନ୍ତ୍ରୀମାନଙ୍କ ମଧ୍ୟରେ ସବୁଠାରୁ ଧନୀ । ତାଙ୍କର ସମ୍ପତ୍ତିର ପରିମାଣ ୫୭୦୫ କୋଟି ଟଙ୍କାରୁ ଅଧିକ । ଡାକ୍ତର ପେମାସାନି ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ।

କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କ ସମ୍ପତ୍ତିକୁ ଆକଳନ କରି ଏହି ସୂଚନା ଦେଇଛି ଏଡିଆର । ଏଡିଆର ସୂଚନା ଅନୁଯାୟୀ ଧନି ମନ୍ତ୍ରୀ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ମଧ୍ୟପ୍ରଦେଶର ଗୁନାରୁ ନିର୍ବାଚିତ ହୋଇଥିବା ବିଜେପିର ଜ୍ୟୋତିରାଦିତ୍ୟ ସିନ୍ଧିଆ । ତାଙ୍କ ସମ୍ପତ୍ତିର ପରିମାଣ ୪୨୪ କୋଟି ଟଙ୍କାରୁ ଅଧିକ । ସେହିଭଳି ତୃତୀୟ ସ୍ଥାନରେ ରହିଛନ୍ତି ଧର୍ମ ନିରପେକ୍ଷ ଜନତାଦଳ ସାଂସଦ ଏଚ ଡି କୁମାରସ୍ୱାମୀ । ତାଙ୍କ ସମ୍ପତ୍ତିର ପରିମାଣ ୨୧୭ କୋଟି ଟଙ୍କାରୁ ଅଧିକ ।

ଏହି ସୂଚନା ଅନୁଯାୟୀ ମୋଟ୍‍ ୭୧ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୭୦ ଜଣ ହେଉଛନ୍ତି କୋଟିପତି । ଏହି ୭୧ଜଣ ମନ୍ତ୍ରୀଙ୍କର ହାରାହାରି ସମ୍ପତ୍ତିର ପରିମାଣ ୧୦୭.୯୪ କୋଟି ଟଙ୍କା ।

ସେହିଭଳି ୭୧ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୮ଜଣ ଅର୍ଥାତ୍‍ ୩୯ ପ୍ରତିଶତଙ୍କ ନାମରେ ଅପରାଧିକ ମାମଲା ରହିଛି । ୧୯ଜଣ ମନ୍ତ୍ରୀଙ୍କ ନାମରେ ହତ୍ୟା ଉଦ୍ୟମ, ଅପହରଣ ଏବଂ ମହିଳା ବିରୁଦ୍ଧରେ ହିଂସା ଭଳି ଜଘନ୍ୟ ଅପରାଧିକ ମାମଲାମାନ ରହିଛି । ପଶ୍ଚିମବଙ୍ଗର ବିଜେପି ମନ୍ତ୍ରୀ ଶାନନ୍ତୁ ଠାକୁର ଓ ସୁକାନ୍ତ ମଜୁମଦାରଙ୍କ ନାମରେ ଯଥାକ୍ରମେ ୨୩ ଓ ୧୬ଟି ଅପରାଧିକ ମାମଲା ରହିଛି । ଏହି ଦୁଇ ମନ୍ତ୍ରୀଙ୍କ ନାମରେ ହତ୍ୟା ଉଦ୍ୟମ ସଙ୍ଗୀନ ଭଳି ଦଫା ଲାଗିଛି ।

ପାଞ୍ଚ ଜଣ ମନ୍ତ୍ରୀଙ୍କ ନାମରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ଘଟାଇଥିବା ଦଫା ଲାଗିଛି । ଏହି ସମସ୍ତ ୫ଜଣ ମନ୍ତ୍ରୀ ବିଜେପିର ହୋଇଥିବାବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ତେଲେଙ୍ଗାନାରୁ ବଣ୍ଡି ସଞ୍ଜୟ କୁମାର, ପଶ୍ଚିମବଙ୍ଗରୁ ଶାନ୍ତନୁ ଠାକୁର ଓ ସୁକାନ୍ତ ମଜୁମଦାର, କେରଳର ସୁରେଶ ଗୋପୀ ଓ ଓଡିଶାର ଜୁଏଲ ଓରାମ ।

ସେହିଭଳି ୮ଜଣ ମନ୍ତ୍ରୀଙ୍କ ବିରୁଦ୍ଧରେ ଘୃଣା ସୃଷ୍ଟିକାରୀ ଭାଷଣ ଦେଇଥିବା ଦଫା ଲାଗିଛି । ସେମାନଙ୍କ ମଧ୍ୟରେ ତେଲେଙ୍ଗାନାରୁ ବଣ୍ଡି ସଞ୍ଜୟ କୁମାର, ପଶ୍ଚିମବଙ୍ଗରୁ ଶାନ୍ତନୁ ଠାକୁର ଓ ସୁକାନ୍ତ ମଜୁମଦାର, କର୍ଣ୍ଣାଟକର ଶୋଭା ପରନ୍ଦଲାଜେ, ଓଡିଶାର ଧର୍ମେନ୍ଦ୍ର ପ୍ରଧାନ, ବିହାରର ଗିରିରାଜ ସିଂହ ଓ ନିତ୍ୟାନନ୍ଦ ରାୟ ଏବଂ ଗୁଜୁରାଟର ଅମିତ ଶାହ ।